ନୂଆଦିଲ୍ଲୀ: ବିଶ୍ବ ମୋଟରସାଇକେଲ ଇଣ୍ଡଷ୍ଟ୍ରିରେ ବଢ଼ିଛି ହୋଣ୍ଡା ଟୁ-ହ୍ବିଲରର ପ୍ରଭାବ। କମ୍ପାନିର ବାଇକ୍ ଏବଂ ସ୍କୁଟର ବିଶ୍ବରେ ଗ୍ରାହକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି। ଏଥିପାଇଁ ତ’ କମ୍ପାନିର ମାର୍କେଟ ସେୟାର, ଖୁବଶୀଘ୍ର ବିଶ୍ବ ମୋଟରସାଇକେଲ ମାର୍କେଟର ୪୦ ପ୍ରତିଶତ ଛୁଇଁବାକୁ ଯାଉଛି। ମଙ୍ଗଳବାର କମ୍ପାନି ଏନେଇ ଏକ ବିବୃତ୍ତିରେ ସୂଚନା ଦେଇଛି।
କମ୍ପାନି କହିଛି ୨୦୨୫ ମାର୍ଚ୍ଚ ସୁଦ୍ଧା ହୋଣ୍ଡା ମୋଟରସାଇକେଲ ବିଶ୍ବ ମୋଟରସାଇକେଲ ମାର୍କେଟରେ ୪୦ % ସେୟାର ହାସଲ କରିବ। କମ୍ପାନିର ମୋଟ୍ ଟୁ-ହ୍ବିଲର ବିକ୍ରି ମାର୍ଚ୍ଚ ବେଳକୁ ୨ କୋଟି ୟୁନିଟ୍ ପାର କରିବ। ଯେଉଁଥିରୁ ସବୁଠୁ ଅଧିକ ୮୫% ବିକ୍ରି ଭାରତ ସହ ଇଣ୍ଡୋନେସିଆ, ଥାଇଲାଣ୍ଡ୍ ଏବଂ ଭିଏତନାମରେ ରହିବ।
କମ୍ପାନି ଆହୁରି କହିଛି ୨୦୩୦ ସୁଦ୍ଧା ବିଶ୍ବରେ ଟୁ-ହ୍ବିଲର ବିକ୍ରି ୬ କୋଟି ୟୁନିଟ୍ ପାର କରିବ। ଯାହା ବର୍ତ୍ତମାନ ୫ କୋଟି ରହିଛି। ସେତେବେଳକୁ ଇଲେକ୍ଟ୍ରିକ୍ ଗାଡ଼ିର ମଧ୍ୟ ବିକ୍ରି ବଢ଼ିବ। କାରଣ ଭାରତ, ଇଣ୍ଡୋନେସିଆ, ଫିଲିପାଇନ୍ସ, ବ୍ରାଜିଲ ଏବଂ ଅନ୍ୟ ଦକ୍ଷିଣ ଆମେରିକୀୟ ଦେଶ ତଥା ଗ୍ଲୋବାଲ ସାଉଥ ଦେଶରେ ଚାହିଦା ବଢ଼ୁଛି। ସେଦୃଷ୍ଟିରୁ କମ୍ପାନି ମୋଟସାଇକେଲ ବ୍ୟବସାୟକୁ ମଜଭୁତ କରିବା ପାଇଁ ଆହୁରି ଅଧିକ ନୂଆ ନୂଆ ଉତ୍ପାଦ ଆଣିବ।
ଏହା ସହ ବିଶ୍ବ ଇଲେକ୍ଟ୍ରିକ ମୋଟରସାଇକେଲ ମାର୍କେଟରେ ମଧ୍ୟ ୫୦% ସେୟାର ହାସଲ ଲକ୍ଷ୍ୟ ରଖିଥିବା କହିଛି କମ୍ପାନି। ଏଥିପାଇଁ ହୋଣ୍ଡା ୨୦୩୦ ସୁଦ୍ଧା ୩୦ ଇଲେକ୍ଟ୍ରିକ୍ ଟୁ ହ୍ବିଲର ମଡେଲ ଲଞ୍ଚ କରିବାକୁ ଯୋଜନା ରଖିଛି। ଯାହାଦ୍ବାରା କମ୍ପାନି ନିଜର ବାର୍ଷିକ ୪୦ ଲକ୍ଷ ୟୁନିଟ ଉତ୍ପାଦନ ଲକ୍ଷ୍ୟ ପୂରା କରିପାରିବ।
ଭାରତରେ କାରବାରକୁ ନେଇ କମ୍ପାନି କହିଛି ଏଠାରେ ହୋଣ୍ଡା ବିକ୍ରିରେ ଲଗାତାର ବୃଦ୍ଧି କରିଛି। ସବୁଠୁ ବଡ଼ ମାର୍କେଟ ସେୟାର ଏବେ ନିକଟତର। ଏଥିପାଇଁ କମ୍ପାନି ୨୦୨୮ ସୁଦ୍ଧା ଭାରତରେ ଇଲେକ୍ଟ୍ରିକ ମୋଟରସାଇକେଲ ପ୍ଲାଣ୍ଟ ଲଗାଇବାକୁ ଯୋଜନା ରହିଛି।