ନୂଆଦିଲ୍ଲୀ: ଇନଫୋସିସର କୋ-ଫାଉଣ୍ଡର ଏସ.କେ ଗୋପାଳକ୍ରିଷ୍ଣନ ପାଇଁ ବଢ଼ିବାରେ ଅଡ଼ୁଆ। କାରଣ ଗୋପଳକ୍ରିଷ୍ଣନଙ୍କ ବିରୁଦ୍ଧରେ ଏସସି-ଏସଟି ଆକ୍ଟରେ ହୋଇଛି ମାମଲା ରୁଜୁ। ତାଙ୍କ ସହ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ପୂର୍ବତନ ଡାଇରେକ୍ଟର ବଳରାମଙ୍କ ସମେତ ୧୮ ଜଣକ ବିରୋଧରେ ମଧ୍ୟ ଏସସି-ଏସଟି ଆକ୍ଟରେ ମାମଲା ରୁଜୁ ହୋଇଛି।
ବେଙ୍ଗାଲୁରୁ ସହରର ସେଶନ୍ସ କୋର୍ଟଙ୍କ ଆଦେଶକ୍ରମେ ସଦାଶିବ ନଗର ଥାନାରେ ମାମଲା ରୁଜୁ ହୋଇଛି। ଏତଲା ଦେଇଥିବା ବ୍ୟକ୍ତି ଦୁର୍ଗପ୍ପା ଅଭିଯୋଗ ଆଣିଛନ୍ତି, ତାଙ୍କୁ ୨୦୧୪ରେ ମିଥ୍ୟା ହନି ଟ୍ରାପ୍ କେସ୍ରେ ଫସାଯାଇଥିଲା ଆଉ ସେହି ବାହାନାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସର ଚାକିରିରୁ ମଧ୍ୟ ହଟାଇଦିଆଯାଇଥିଲା।ଗୋପାଳକ୍ରିଷ୍ଣନ ଏହି ସଂସ୍ଥାରେ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ର ମେମ୍ବର ରହିସାରିଛନ୍ତି । ଦୁର୍ଗପ୍ପା ବୋବି ଜନଜାତି ସମୁଦାୟ ସହ ଜଡ଼ିତ। ଦୁର୍ଗପ୍ପା କହିଛନ୍ତି ସେ ଆଇଆଇଏସର ସେଣ୍ଟର ଫର ସଷ୍ଟେନେବୁଲ ଟେକ୍ନୋଲୋଜିରେ ଫ୍ୟାକଲ୍ଟି ମେମ୍ବର ଥିଲେ।
ଏତିକି ନୁହେଁ ଦୁର୍ଗପା ଆହୁରି ଅଭିଯୋଗ ଆଣିଛନ୍ତି, ତଙ୍କୁ ଜାତିଗତ ଗାଳି ଦିଆଯିବା ସହ ଧମକ ମଧ୍ୟ ଦିଆଯାଇଥିଲା। ଏହି କେସରେ ଗୋବିନ୍ଦନ ରଙ୍ଗରାଜନ, ଶ୍ରୀଧର ବରିୟର, ସନ୍ଧ୍ୟା ବିଶ୍ବବରୈୟା, ହରି କେବିଏସ, ଦାସପ୍ପା, ବଳରାମ ପୀ, ହେମଲତା ମହୀସୀ, କେ. ଚଚ୍ଚୋପାଧ୍ୟାୟ ଏବଂ ପ୍ରଦୀ ଡି. ସାଭକର ସାମିଲ ଅଛନ୍ତି। ଏପର୍ଯ୍ୟନ୍ତ ଏହି ମାମଲାରେ ଆଇଆଇଏସ କିମ୍ବା ଗୋପାଳକ୍ରିଷ୍ଣନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ। କୁହାଯାଉଛି ଏହି ମାମଲାରେ ପୋଲିସ ସେମାନଙ୍କ ପଚରା ଉଚରା କରିପାରେ।
ଆଇଟି ଇଣ୍ଡଷ୍ଟ୍ରି ଜଣେ ପରିଚିତ ବ୍ୟକ୍ତି ହେଉଛନ୍ତି ଗୋପାଳକ୍ରିଷ୍ଣନ। ନାରାୟଣମୂର୍ତ୍ତିଙ୍କ ନେତୃତ୍ବାଧୀନ କମ୍ପାନିରେ ଗୋପାଳକ୍ରିଷ୍ଣନ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ଭାଇସ ଚେୟାରମ୍ୟାନ ରହିସାରିଛନ୍ତି। ଏହା ବ୍ୟତୀତ ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ସେ ସିଇଓ ଏବଂ ଏମଡି ଭାବରେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ। ସେ କମ୍ପାନିର ସହ-ସଂସ୍ଥାପକଙ୍କ ମଧ୍ୟରୁ ଜଣେ ଥିଲେ। ୨୦୧୩-୧୪ରେ ସେ ଉଦ୍ୟୋଗ ଜଗତନର ବଡ଼ ସଂସ୍ଥା କନଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ)ର ନେତୃତ୍ବ ନେଇଥିଲେ। ୨୦୧୧ରେ ଭାରତ ସରକାରଙ୍କ ତରଫରୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଥିଲେ। ହେଲେ ଏଭଳି କେସରେ ନାଁ ଆସିବା ଚିନ୍ତା ବଢ଼ାଇଛି। ଅବଶ୍ୟ ଏହି ମାମଲାରେ କେହି ମୁଖ୍ୟ ଅଭିଯୁକ୍ତ ନାହାଁନ୍ତି।