ନୂଆଦିଲ୍ଲୀ: ପ୍ରାୟ ୧୨୮ ବର୍ଷ ପରେ ୨୦୨୮ ଲସଏଞ୍ଜେଲସ୍ ଅଲିମ୍ପିକରେ ପ୍ରତ୍ୟାବର୍ତ୍ତନ କରିବ କ୍ରିକେଟ୍। ଏଥି ପାଇଁ ପ୍ରସ୍ତୁତି ଏବେ ଜୋରସୋର ଆରମ୍ଭ ହୋଇଯାଇଛି। ଏହିକ୍ରମରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏକ ବଡ଼ ଘୋଷଣା କରିଛି। ଲସଏଞ୍ଜେଲସ୍ ଅଲିମ୍ପିକ ସମୟରେ କେଉଁ ସ୍ଥାନରେ କ୍ରିକେଟ ଖେଳାଯିବ ଆଇସିସି ସେହି ସ୍ଥାନର ନାମ ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁସାରେ ଦକ୍ଷିଣ କାଲିଫର୍ଣ୍ଣିଆର ପୋମୋନା ସହର ଅଲିମ୍ପିକ କ୍ରୀଡାରେ କ୍ରିକେଟ ମ୍ୟାଚ୍ ର ଆୟୋଜକ ହେବ।
ଅଲିମ୍ପିକ କ୍ରିକେଟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ୬ଟି ଲେଖାଏଁ ଟିମ୍ ଅଂଶଗ୍ରହଣ କରିବ। ଏହାର ଆୟୋଜନ ପୋମୋନାର ଫେୟାର ଗ୍ରାଉଣ୍ଡରେ ହେବ। ଏହି ସହର ଅଲିମ୍ପିକ ଖେଳର ମୁଖ୍ୟ ସହର ଲସ ଏଞ୍ଜେଲସରୁ ୪୮ କିଲୋମିଟର ଦୂରରେ ଅବସ୍ଥିତ। ଆଇସିସି ଚେୟାରମ୍ୟାନ ଜୟ ଶାହ ଏ ନେଇ ଜାରି ବିଜ୍ଞପ୍ତିରେ କହିଛନ୍ତି ଯେ ‘ଆମେ ଲସଏଞ୍ଜେଲସ୍ ଅଲମ୍ପିକ ୨୦୨୮ରେ କ୍ରିକେଟ ଆୟୋଜନସ୍ଥଳ ଘୋଷଣାକୁ ସ୍ୱାଗତ କରୁଛୁ। କାରଣ ଏହା ଅଲିମ୍ପିକରେ ଆମ ଖେଳ ପ୍ରତ୍ୟାବର୍ତ୍ତନର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ’।
ଶେଷ ଥର କ୍ରିକେଟ ୧୯୦୦ ମସିହାରେ ପ୍ୟାରିସ ଅଲିମ୍ପିକରେ ଖେଳା ଯାଇଥିଲା। ସେତେବେଳେ ଗ୍ରେଟ ବ୍ରିଟେନ ଓ ଫ୍ରାନସ ମଧ୍ୟରେ ଦୁଇ ଦିବସୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏବେ ଏହାକୁ ଅନଧିକାରୀକ ଟେଷ୍ଟ ରୂପେ ଗଣନା ଯାଉଛି। ତେବେ ଲସଏଞ୍ଜେଲସ୍ ଅଲିମ୍ପିକରେ ୬ଟି ଟିମ୍ ଟି-୨୦ ଫର୍ମାଟରେ ଖେଳୁଥିବାର ଦେଖାଯିବେ। କେବଳ ଏତିକି ନୁହେଁ ଆୟୋଜକ ଗୋଟିଏ ଟିମ୍ରେ ଅଧିକତମ ଖେଳାଳିଙ୍କ ସଂଖ୍ୟା ମଧ୍ୟ ନିର୍ଦ୍ଧାରଣ କରିବେ। ଆୟୋଜକ କହିଛନ୍ତି ଯେ ଗୋଟିଏ ଟିମରେ ୧୫ଜଣ ଖେଳାଳି ରହିବେ। ଏଣୁ ପୁରୁଷ ଓ ମହିଳା ଉଭୟ ଶ୍ରେଣୀରେ ସର୍ବାଧିକ ୯୦ ଜଣ ଖେଳାଳିଙ୍କ କୋଟା ନିର୍ଦ୍ଧାରଣ କରାଯାଇଛି।
ଆଗାମୀ ଅଲିମ୍ପିକରେ କେବଳ କ୍ରିକେଟ ନୁହେଁ, ଆଉ ୫ଟି ନୂଆ ଖେଳକୁ ମଧ୍ୟ ସାମିଲ କରାଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ ସଂଘ ଏ ନେଇ ଘୋଷଣା ମଧ୍ୟ କରିଛନ୍ତି। କ୍ରିକେଟ ବ୍ୟାତୀତ ଏଥିରେ ବେସବଲ,ସଫ୍ଟ ବଲ, ଫ୍ଲାଗ ଫୁଟବଲ, ଲ୍ୟାକ୍ରସ ଓ ସ୍କ୍ୱାସ୍ କୁ ମଧ୍ୟ ସାମିଲ କରାଯାଇଛି। ଏଥି ମଧ୍ୟରେ ଆଇଓସି କାର୍ଯ୍ୟକାରୀ ବୋର୍ଡ ଅଲିମ୍ପିକ ୨୦୨୮ ନିମନ୍ତେ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଓ ଖେଳାଳିଙ୍କ କୋଟାକୁ ମଞ୍ଜୁର କରିଛନ୍ତି। ଏହି କ୍ରିଡାରେ ପ୍ୟାରିସ୍ ଅଲିମ୍ପିକ ୨୦୨୪ ତୁଳନାରେ ଅଧିକ ୨୨ଟି ପଦକ ପ୍ରତିଯୋଗୀତା ରହିବ।