ନୂଆଦିଲ୍ଲୀ ୩୦।୧୦: ଦୁନିଆରେ ସବୁଠାରୁ ପସନ୍ଦ କରାଯାଉଥିବା ଖେଳ ଫୁଟବଲ । ଏହି ଖେଳ ଦୁନିଆର ଅଧିକାଂଶ ଦେଶରେ ଖେଳାଯାଇଥାଏ । ଫୁଟବଲ ଜଗତର ଦିଗ୍ଗଜ ପ୍ଲେୟର ହେଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ । ତାଙ୍କର ସାରା ବିଶ୍ୱରେ ରହିଛନ୍ତି ଅଗଣିତ ପ୍ରଶଂସକ । ଏବେ ସାମ୍ନାକୁ ଆସିଛନ୍ତି ରୋନାଲ୍ଡଙ୍କ ଜଣେ ବଡ ଫ୍ୟାନ୍ ।
ନିଜର ପ୍ରିୟ ଖେଳାଳିଙ୍କୁ ଭେଟିବା ଲାଗି ସେ ସାଇକେଲରେ କରିଛନ୍ତି ୧୩ ହଜାର କିମିର ଯାତ୍ରା । ସେ ଚୀନ୍ରୁ ସାଉଦି ଆରବ ଯାତ୍ରା କରିଥିଲେ । ଏଥିପାଇଁ ତାଙ୍କୁ ଲାଗିଥିଲା ୭ ମାସ ସମୟ । ଏହି ଫ୍ୟାନ୍ସ ଜଣକ ହେଉଛନ୍ତି ଚୀନ୍ର ୨୪ ବର୍ଷୀୟ ଗୋଙ୍ଗ । ମାର୍ଚ୍ଚ ୧୮ରେ ସେ ପୂର୍ବ ଚୀନ୍ର ଆଙ୍ଗୁଇ ପ୍ରଦେଶସ୍ଥିତ ନିଜ ଘରୁ ଆରମ୍ଭ କରିଥିଲେ ଯାତ୍ରା । ଆଉ ୨୦ ଅକ୍ଟୋବରକୁ ଅଲ-ନସର ଫୁଟବଲ୍ କ୍ଲବ୍ ସାମ୍ନାରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଭେଟ ହୋଇଥିଲେ ।
ରିପୋର୍ଟ ଅନୁଯାୟୀ, କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଫ୍ୟାନ୍ ନିଜର ଯାତ୍ରା ସମୟରେ ମୋଟ ୬ଟି ଦେଶ ପାର କରିଛନ୍ତି । ସେ ସିନ୍ଜିଆଙ୍ଗ ପ୍ରଦେଶ ଦେଇ କାଜାଖସ୍ତାନରେ ପ୍ରବେଶ କରିଥିଲେ । ଏହାପରେ ଜର୍ଜିଆ, ଇରାନ୍, କାତାର ଭଳି ଅନ୍ୟ ୬ ଦେଶ ଦେଇ ରୋନାଲ୍ଡୋ ରହୁଥିବା ସାଉଦି ଆରବର ରାଜଧାନୀ ରିୟାଦ୍ରେ ପହଞ୍ଚିଥିଲେ । ଯାତ୍ରା ସମୟରେ ଗୋଙ୍ଗ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ବିଭିନ୍ନ ଦେଶର ଭିନ୍ନ ଭାଷା ଯୋଗୁଁ ସେ ଅସୁବିଧାରେ ପଡିଥିଲେ । ଏହାବ୍ୟତୀତ ଖାଦ୍ୟର ମୂଲ୍ୟ ବୃଦ୍ଧି ଏବଂ ହ୍ରାସ ମଧ୍ୟ ଗୋଙ୍ଗକୁ ଅଡୁଆରେ ପକାଥିଲା । କିନ୍ତୁ ସେ ହାର ନମାନି ସାଇକେଲ ଯାତ୍ରା ପୂରା କରିଥିଲେ । ଖବର ଅନୁଯାୟୀ ଅଗଷ୍ଟରେ ଆମେରିକା ଗସ୍ତ ସମୟରେ ଗୋଙ୍ଗ ଅସୁସ୍ଥ ହୋଇପଡିଥିଲେ । ତେବେ ସେ ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇଥିଲେ ।
ଖବର ଅନୁଯାୟୀ ଅକ୍ଟୋବର ୧୦ରେ ଗୋଙ୍ଗ ରିୟାଦରେ ପହଞ୍ଚିଥିଲେ । କିନ୍ତୁ ରୋନାଲ୍ଡଙ୍କୁ ଭେଟିବା ପାଇଁ ତାଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡିଲା । ଅଲ ନାସର କର୍ମଚାରୀମାନେ ଗୋଙ୍ଗଙ୍କୁ ରୋନାଲ୍ଡ ସହ ଭେଟିବା ପାଇଁ ବ୍ୟବସ୍ଥା କରିଥିଲେ । ଏଠାରେ ରୋନାଲ୍ଡୋ ଖେଳୁଥିବା ବେଳେ ଗୋଙ୍ଗ ପ୍ରଥମ ଥର ଲାଗି ନିଜ ହିରୋଙ୍କୁ ବାସ୍ତବରେ ଦେଖିଥିଲେ । ପରେ ତାଙ୍କ ସହ ଏକ ମିନିଟ୍ ସାକ୍ଷାତ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା ।
ସେ ରୋନାଲ୍ଡୋ ସହିତ ହାତ ମିଳାଇଥିଲେ ଏବଂ ଆଲିଙ୍ଗନ କରିଥିଲେ । ଗୋଙ୍ଗ ଶେଷରେ ରୋନାଲ୍ଡଙ୍କୁ ଭେଟି ତାଙ୍କ ଜର୍ସିରେ ଅଟୋଗ୍ରାଫ୍ ନେଇଥିଲେ । ରୋନାଲ୍ଡୋଙ୍କୁ ଭେଟିବାର ସେହି ଆବେଗମୟ ମୁହୂର୍ତ୍ତକୁ ଗୋଙ୍ଗ ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ସେୟାର କରିଛନ୍ତି ।