ବାତ୍ୟା 'ଦାନା'ର ସଦ୍ୟ ଗତିପଥର ପୂର୍ବାନୁମାନ: ପାଥ୍ ଏବଂ ଲ୍ୟାଣ୍ଡଫଲ୍ ପଏଣ୍ଟ କିପରି ଅନୁମାନ କରେ IMD ?

Published By : Prameya-News7 Bureau | October 22, 2024 IST

ଭୁବନେଶ୍ୱର: ବଙ୍ଗୋପସାଗରରେ ଥିବା ଅବପାତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ବାତ୍ୟାର ରୂପ ନେଇପାରେ । ସମୁଦ୍ର ମଧ୍ୟରେ ଅବପାତ ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୫୦ କିଲୋମିଟର ବେଗରେ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି । ସମୁଦ୍ର ସ୍ତରର ସର୍ବନିମ୍ନ ଚାପ ୧୦୦୦hPa ମପାଯାଇଛି । ସମୁଦ୍ର ସ୍ତରର ଚାପ ସାମୁଦ୍ରିକ ଝଡ଼ର ତୀବ୍ରତା ଧୀର ଥିବା ଦର୍ଶାଉଛି  ।

ଉପଗ୍ରହ ଚିତ୍ରରେ ନିମ୍ନ ସ୍ତରରେ ବାତ୍ୟା କେନ୍ଦ୍ର (LLCC) ନିକଟରେ ଖଣ୍ଡ ଖଣ୍ଡ ବାଦଲ ଦେଖିବାକୁ ମିଳୁଛି । ଏଲ୍‌ଏଲ୍‌ସିସି ସ୍ପଷ୍ଟ ଦୃଶ୍ୟମାନ ହୋଇଛି । ତେବେ ବାଦଲର ଗଠନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଜି ବାଦଲର ସର୍ବୋଚ୍ଚ ତାପମାତ୍ରା ମାଇନସ୍ ୧୦୦ ଡିଗ୍ରୀ ସେଲସିୟସ ଯାଏ ଖସି ଆସିଛି ।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସମ୍ଭାବ୍ୟ ବାତ୍ୟା ଦାନାର ସମ୍ଭାବିତ ଗତିପଥର ସଦ୍ୟ ଅନୁମାନ ଜାରି କରିଛି । ତେବେ ଅବପାତର ରୂପ ନେବା ପୂର୍ବରୁ ଗତିପଥ ନେଇ ଯେଉଁ ଅନୁମାନ କରାଯାଇଥିଲା ସେଥିରେ କୌଣସି ପରିବର୍ତ୍ତନ ନଥିବା ଦେଖିବାକୁ ମିଳୁଛି ।

ମଙ୍ଗଳବାର ଭାରତୀୟ ପାଣିପାଗ ବିଭାଗ ବୟାନ ଜାରି କରି କହିଥିଲା, 'ଗତକାଲିର ୱେଲ୍‌ ମାର୍କ ଲୋ ପ୍ରେସ୍‌ର ଅବପାତରେ ପରିଣତ ହୋଇଛି । ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଆଜି ସକାଳେ (ଅକ୍ଟୋବର ୨୨) ଏହା ଦକ୍ଷିଣ ପୂର୍ବ ପାରାଦୀପରୁ ୭୩୦ କିମି ଏବଂ ସାଗର ଦ୍ଵୀପର ଦକ୍ଷିଣ-ଦକ୍ଷିଣପୂର୍ବରେ ୭୭୦ କିମି ଦୂରରେ ରହିଛି । ଖେପୂପାରାରୁ ୭୪୦ କିମି ଦୁରରେ ରହିଛି ।' ଆଇଏମଡିର ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶାର ପାରାଦୀପ ନିକଟରେ ରହିଛି । 

ୱେଲ୍ ମାର୍କ ଲୋ ପ୍ରେସର ଅବପାତରେ ପରିଣତ ହେବା ପରେ ବର୍ତ୍ତମାନ ଏହାର ଗତିପଥ ଅନୁମାନ କହିବା ସହଜ ହେବ । କିନ୍ତୁ କୌଣସି ପାଣିପାଗ ବିଜ୍ଞାନୀ ବାତ୍ୟା ଗତିପଥର ଶତ ପ୍ରତିଶତ ପୂର୍ବାନୁମାନ ନେଇ ଦାବି କରିବେ ନାହିଁ । ଯେହେତୁ ପାଗ ସକ୍ରିୟ ରହିଛି, ତେଣୁ ଷ୍ଟିୟରିଂ ବାତାବରଣରେ ସାମାନ୍ୟ ପରିବର୍ତ୍ତନ ବାତ୍ୟାର ଗତିପଥ ପୂର୍ବାନୁମାନକୁ ବଦଳାଇ ଦେବ ।

ବାତ୍ୟାର ଷ୍ଟିୟରିଂ ବାତାବରଣରୁ ଏହାର ସମ୍ଭାବିତ ଗତିପଥର ସଂକେତ ମିଳୁଛି । ଉପରେ ଦିଆଯାଇଥିବା ଫଟୋରେ ବିହାର, ପୂର୍ବ ୟୁପି, ଉତ୍ତର ଛତିଶଗଡ଼ ଏବଂ ଝାଡ଼ଖଣ୍ଡର କିଛି ଭାଗ ଉପରେ ସକ୍ରିୟ ଥିବା ଉଚ୍ଚ ପରିଧି ଦକ୍ଷିଣ ପ୍ରବାହର ସଂକେତ ଦେଉଛି । ଷ୍ଟିୟରିଂ ପବନ ଦର୍ଶାଉଛି ଯେ ବାତ୍ୟା ଦାନା ଭିତରକନିକା ଜାତୀୟ ଉଦ୍ୟାନ ନିକଟରେ ଓଡ଼ିଶା ଉପକୂଳ ଛୁଇଁବ । ଲ୍ୟାଣ୍ଡଫଲ୍ ପଏଣ୍ଟ ୨୦.୭୭ ଡିଗ୍ରୀ ଉତ୍ତର ଅକ୍ଷାଂଶରୁ ୮୬.୫୪ ଡିଗ୍ରୀ ଦକ୍ଷିଣ ଦ୍ରାଘିମା ରହିପାରେ । ଭିତରକନିକା ଜାତୀୟ ଉଦ୍ୟାନର ଅକ୍ଷାଂଶ ଏବଂ ଦ୍ରାଘିମା ଯଥାକ୍ରମେ ୨୦.୭୨ ଉତ୍ତର ଏବଂ ୮୬.୮୬ ପୂର୍ବ ରହିଛି ।

 

 

 

 

 

 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.