ସମୁଦ୍ରରେ ଥାଇ ତାଉ ଦେଖାଇଲାଣି 'ଦାନା': ପବନ ଅପେକ୍ଷା ବର୍ଷାକୁ ଅଧିକ ଡ଼ର ! ୬ ଜିଲ୍ଲାକୁ ବେଶୀ ବିପଦ

Published By : Prameya-News7 Bureau | October 23, 2024 IST

News7

ନୂଆଦିଲ୍ଲୀ: ସମୁଦ୍ରରୁ ବଳ ଗୋଟାଇ ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା। ୨୪ରେ ନେବ ଭୀଷଣ ବାତ୍ୟାର ରୂପ। ତେବେ ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ଉପକୂଳରେ ପହଞ୍ଚିବ ଦାନା। ୨୪ ରାତି ଓ ୨୫ ସକାଳ ସୁଦ୍ଧା ବାତ୍ୟା ସିଭିୟର ସାଇକ୍ଲୋନ ଭାବେ ଲ୍ୟାଣ୍ଡଫଲ୍ କରିବ। ଭିତରକନିକା-ଧାମରା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍ ! ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ।

ବାତ୍ୟା ଦାନା ଏବେ ପାରାଦୀପ ଠାରୁ ୪୬୦ କିମି ଦୂରରେ ରହିଛି ଦାନା। ଏହା ଘନୀଭୂତ ହୋଇ ଗୁରୁବାର ସକାଳେ ଭୀଷଣ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ଏହା ସ୍ଥଳଭାଗ ଛୁଇଁବ। ଲ୍ୟାଣ୍ଡଫଲ୍ ସମୟରେ ପବନର ଗତି ରହିବ ୧୦୦ରୁ ୧୧୦ କିମି। ଝଟକା ପବନର ବେଗ ରହିବ ୧୨୦ କିମି। ବାତ୍ୟା ପାଇଁ ୨୪ ଓ ୨୫ ତାରିଖ ସବୁଠୁ ଗୁରୁତ୍ୱପୂର୍ଣ୍ଣ।

୨୪ ତାରିଖ ଅର୍ଥାତ ଗୁରୁବାର ପାଇଁ ୭ ଜିଲ୍ଲାକୁ ଜାରି କରାଯାଇଛି ରେଡ ଓ୍ୱାର୍ଣ୍ଣିଂ। ସେହି ଜିଲ୍ଲାଗୁଡିକ ହେଲା- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର। ଏସବୁ ଜିଲ୍ଲାରେ ୨୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୫ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- କେନ୍ଦୁଝର, ଢ଼େଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ।   ସେହିପରି ୬ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। 

ସେହିପରି ୨୫ ତାରିଖ ଅର୍ଥାତ ଶୁକ୍ରବାର ୪ ଜିଲ୍ଲାରେ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ମୟୁରଭଞ୍ଜ, କେନ୍ଦୁଝର , ବାଲେଶ୍ୱର ଓ ଭଦ୍ରକ। ସେହିପରି ୬ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର। ସେହିପରି ୬ ଜିଲ୍ଲାକୁ ୟେଲ୍ଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ରେଡ୍‌ ଓ୍ୱାର୍ଣ୍ଣିଂ ଜିଲ୍ଲାରେ ୨୦ ସେମି ବା ତା ଠୁ ଅଧିକ ବର୍ଷା ହୋଇପାରେ। ସେହିପରି ଅରେଞ୍ଜ ଓ୍ୱାର୍ଣ୍ଣିଂ ଜିଲ୍ଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଓ ୨୫ ତାରିଖରେ ପବନର ବେଗ ରହିବ। ୩ ଜିଲ୍ଲାରେ ୧୦୦ରୁ ୧୧୦ କି.ମି. ବେଗରେ ପବନ ବହିବ। କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ପବନରେ ବେଗ ଅଧିକ ରହିବ। ସେହିପରି ମୟୂରଭଞ୍ଜରେ ପବନର ବେଗ ରହିବ ୮୦ରୁ ୯୦ କି.ମି.। ଜଗତସିଂହପୁର, କଟକ, ଯାଜପୁରରେ ପବନର ବେଗ ୬୦ରୁ ୮୦ କିମି ରହିବ। ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝରରେ ପବନର ବେଗ ୬୦ରୁ ୭୦ କିମି ରହିବ। ତେବେ ପବନ ବେଗ ଅପେକ୍ଷା ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଚାଷ ଉଜୁଡିଯିବାର ଆଶଙ୍କା ରହିଛି।


 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.