ଦାନା ଅପଡେଟ୍: ୨ ଘଣ୍ଟାରେ ସରିବ ଲ୍ୟାଣ୍ଡଫଲ, ୨୪ ଘଣ୍ଟା ପ୍ରବଳ ବର୍ଷିବ, ଏହିସବୁ ଜିଲ୍ଲାକୁ ୱାର୍ଣ୍ଣିଂ

Published By : Prameya-News7 Bureau | October 25, 2024 IST

ଭୁବନେଶ୍ୱର: ବାତ୍ୟା ଦାନା ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରିଥିଲା। ଖବର ଲେଖାଯିବା ସୁଦ୍ଧା ଦାନା ଧାମରା ଠାରୁ ୧୫ କିମି ଉତ୍ତରରେ ରହିଥିବା ବେଳେ ହବାଳିଖଟି ଠାରୁ ୩୦ କିମି ଉତ୍ତର ଓ ଉତ୍ତର-ପଶ୍ଚିମରେ ରହିଛି। ଏନେଇ ୨୫ ତାରିଖ ଭୋର ୫ଟା ସମୟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକ ମନୋରମା ମାହାନ୍ତି। ବାତ୍ୟାର ପଛପଟ ଭିତରକୁ ପଶିଥିବା ବେଳେ ଆଉ ଘଣ୍ଟାଏ ଦୁଇ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବାର ସମ୍ଭାବନା ରହିଛି ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି। 

ସେହିପରି କେତେ ବର୍ଷା ନେଇ ସବିଶେଷ ତଥ୍ୟ ଆସି ନାହିଁ। ତେବେ ଚାନ୍ଦବାଲିରେ ସବୁଠାରୁ ୧୩୧.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୪୨.୮ ମିଲିଟର ବର୍ଷା ରେକର୍ଡ ହୋଇଛି। ସକାଳ ୯.୩୦ରେ ସବିଶେଷ ତଥ୍ୟ ଆସିଲା ପରେ ବର୍ଷାର ପରିମାଣ ସମ୍ପର୍କରେ ସଠିକ ତଥ୍ୟ ଦେଇପାରିବୁ ବୋଲି ପାଣିପାଗ ବିଭାଗ ନିର୍ଦ୍ଦେଶିକା କହିଛନ୍ତି। ସେହିପରି ପବନର ବେଗ ନେଇ ସମ୍ପୂର୍ଣ୍ଣ ତଥ୍ୟ ନଥିବା ବେଳେ ଚାନ୍ଦବାଲିରେ ଘଣ୍ଟା ପ୍ରତି ୮୨ କିମି ବେଗରେ ପବନ ବୋହିଥିଲା ବୋଲି ସେ ସୂଚନା ଦେଇଛନ୍ତି। 

ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବା ପରେ ବାତ୍ୟା ଘୂର୍ଣ୍ଣିଝଡ଼ରେ ପରିଣତ ହେବା ସହିତ ଏହା ଧୀରେ ଧୀରେ ଅବପାତର ରୂପ ନେବ। ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ,କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଭଦ୍ରକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ନୟାଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା। ରାଜଧାନୀ ଭୁବନେଶ୍ୱରରେ ୨୫ ତାରିଖରେ ହାଲୁକା କିମ୍ବା ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। 

ଭୁବନେଶ୍ୱର ଛାଡ଼ିଲା ପରେ ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପରୁ, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।    

ଶୁଣନ୍ତୁ ମନୋରମା ମାହାନ୍ତିଙ୍କ ସୂଚନା-


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.