ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ୍ ପାୱାର ଗୋଷ୍ଠୀକୁ 'ସୁପ୍ରିମ୍' ଆଶ୍ୱସ୍ତି, ସର୍ତ୍ତ ସହ ବ୍ୟବହାର କରିପାରିବେ ନିର୍ବାଚନୀ ଚିହ୍ନ ‘ଘଣ୍ଟା’

Published By : Prameya-News7 Bureau | October 24, 2024 IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ୍ ପାୱାର ଗୋଷ୍ଠୀକୁ ସୁପ୍ରମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ନିର୍ବାଚନରେ ଅଜିତ୍ ପାୱାର ଗୋଷ୍ଠୀ ନିର୍ବାଚନୀ ଚିହ୍ନ 'ଘଣ୍ଟା'କୁ ବ୍ୟବହାର କରିପାରିବେ । ଅକ୍ଟୋବର ୨ରେ ଏନସିପି (ଶରଦ ପାୱାର) ସୁପ୍ରିମକୋର୍ଟରେ ଏହା ଉପରେ ରୋକ ଲଗାଇବା ପାଇଁ ଆବେଦନ କରିଥିଲା । ତେବେ ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଏବଂ ନ୍ୟାୟମୂର୍ତ୍ତି ଉଜ୍ଜ୍ୱଳ ଭୂଇଆଁଙ୍କ ଖଣ୍ଡପୀଠ ଅଜିତ୍ ପାୱାରଙ୍କ ଗୋଷ୍ଠୀ ଦ୍ୱାରା ଘଣ୍ଟା ଚିହ୍ନ ବ୍ୟବହାର ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ।

ସୁପ୍ରିମକୋର୍ଟ ଏହି ଅନୁମତି ଦେବା ସହ ଏନସିପି ଅଜିତ୍ ପାୱାର ଗୋଷ୍ଠୀକୁ କିଛି ସର୍ତ୍ତ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ବାଚନୀ ଚିହ୍ନକୁ ଡିସକ୍ଲେମର ସହ ବ୍ୟବହାର କରିବେ । ଏହାସହ ଏହି ନିର୍ଦ୍ଦେଶର ଉଲ୍ଲଂଘନ କରିବେ ନାହିଁ ବୋଲି ନଭେମ୍ୱର ୪ ସୁଦ୍ଧା ଏକ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏକ ନୂଆ ସତ୍ୟପାଠ ଦାଖଲ କରି ନିର୍ବାଚନ ଶେଷ ଯାଏ ଆପଣ (ଅଜିତ୍ ପାୱାର ଗୋଷ୍ଠୀ) ଆମ ଆଦେଶରେ ଉଲ୍ଲଂଘନ କରିବେ ନାହିଁ । ଏହାସହ ସର୍ବୋଚ୍ଚ ଅଦାଲତ କହିଛନ୍ତି, 'ଆପଣ ନିଜ ପାଇଁ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିବେ ନାହିଁ । ଯଦି ଆମ ଆଦେଶକୁ ଜାଣିଶୁଣି ଉଲ୍ଲଂଘନ କରାଯାଉଥିବା ଜାଣିବାକୁ ପାଇବୁ ତେବେ ଆମେ ସ୍ୱତଃ ଅବମାନନା ମାମଲା ଆରମ୍ଭ କରିବୁ ।'

ଫେବ୍ରୁଆରୀ ୬ରେ ନିର୍ବାଚନ ଆୟୋଗ ଅଜିତ୍ ପାୱାର ଗୋଷ୍ଠୀକୁ ପ୍ରକୃତ ଏନସିପି ବୋଲି କହିଥିଲେ, ଯାହାକୁ ବିରୋଧ କରି ଶରଦ ପାୱାର ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନିର୍ବାଚନ ଆୟୋଗ ଏନସିପିର ନିର୍ବାଚନୀ ଚିହ୍ନ ଘଣ୍ଟାକୁ ଅଜିତ୍ ପାୱାର ଗୋଷ୍ଠୀଙ୍କୁ ଆବଣ୍ଟିତ କରିଥିଲେ । ମାର୍ଚ୍ଚ ୧୯ରେ ଶୀର୍ଷ ଅଦାଲତ ଶରଦ ପାୱାର ଗୋଷ୍ଠୀକୁ ନିଜ ନାଁ ଏନସିପି (ଶରଦଚନ୍ଦ୍ର ପାୱାର) ବ୍ୟବହାର କରିବା ପାଇଁ ଅନୁମତି ଦେଇଥିଲେ । ଏହାସହ ନିର୍ବାଚନୀ ଚିହ୍ନ ଭାବେ ତୁରୀ ବଜାଉଥିବା ବ୍ୟକ୍ତି ଆବଣ୍ଟିତ କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.