ବିସ୍ଫୋରଣରେ ଥରି ଉଠିଲା କାଶ୍ମୀରରେ କୋର୍ଟ ରୁମ୍‌, ଫୁଟିଗଲା ପ୍ରମାଣ ପାଇଁ ରଖାଯାଇଥିବା ଗ୍ରେନେଡ

Published By : Prameya-News7 Bureau | October 24, 2024 IST

ନୂଆଦିଲ୍ଲୀ: ଟାର୍ଗେଟ କିଲିଂ ଘଟଣା ମଧ୍ୟରେ ଜମ୍ମୁ-କାଶ୍ମୀର ବାରାମୂଳାର ଏକ କୋର୍ଟରେ ବିସ୍ଫୋରଣ ଖବର ଆସିଛି। ଏହି ବିସ୍ଫୋରଣର କୋର୍ଟର ଏଭିଡେନ୍ସ ରୁମ୍‌ରେ ହୋଇଛି। ସୂଚନା ଅନୁଯାୟୀ, କୋର୍ଟରେ ପ୍ରମାଣ ଭାବରେ ଉପସ୍ଥାପନ କରିବାକୁ ଅଣାଯାଇଥିବା ଗ୍ରେନେଡ ଫାଟିଯିବା କାରଣରୁ ଏହି ବିସ୍ଫୋରଣ ଘଟିଥିଲା। ଆଉ ଏଥିରେ ଜଣେ ପୋଲିସକର୍ମୀ ଆହତ ହୋଇଛନ୍ତି। 

ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରମାଣ କକ୍ଷ ଭିତରେ ଗୁରୁବାର ଦିନ ପ୍ରାୟ ୧ଟା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ପୋଲିସକର୍ମୀ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି, ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

ସେପଟେ ଘଟଣା ପରେ ପୋଲିସ ସତର୍କତାମୂଳକ ପଦକ୍ଷେପ ନେଇଛି। ପୋଲିସ ଲୋକଙ୍କୁ କୌଣସି ଗୁଜବ ଉପରେ ବିଶ୍ବାସ ନକରିବା ଏବଂ ସତର୍କତା ଅବଲମ୍ବନ କରିବାକୁ ଅପିଲ କରିବା ସହ, ସ୍ଥିତି ନିୟନ୍ତ୍ରଣରେ ଥିବା ନେଇ ଆଶ୍ବସ୍ତ କରିଛି। 

ତେବେ ଏହି ଘଟଣା ଜମ୍ମୁ-କାଶ୍ମୀରର ମୁଖ୍ୟ ବିଚାରପତିଙ୍କ ଗସ୍ତର ଠିକ୍‌ ପୂର୍ବରୁ ହୋଇଛି, ଯାହାକୁ ନେଇ ଅଦାଲତ ପରିସରରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଅବଶ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯିବା ସହ ସୁରକ୍ଷାବଳ ଅଞ୍ଚଳରେ ଖୋଜ୍‌ କରୁଛନ୍ତି। ହଠାତ ଏହି ବିସ୍ଫୋରଣ ପରେ ଅଧିକାରୀମାନେ ସତର୍କ ହୋଇଛନ୍ତି। କୌଣସିବି ବିପଦକୁ ଯେପରି ନଘଟେ ସେଥିପାଇଁ ଯାଞ୍ଚ କରୁଛନ୍ତି। 

ଏହାରି ମଧ୍ୟରେ କାଶ୍ମୀରରେ ଟାର୍ଗେଟ କିଲିଂର ଘଟଣା ଲଗାତାର ବଢ଼ିବାରେ ଲାଗିଛି। ଗୁରୁବାର ସପ୍ତାହରେ ତୃତୀୟ ଥର ଅଣ କାଶ୍ମୀରୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି। ଗୁରୁବାର ଆତଙ୍କୀ ପୁଲଓ୍ବାମାରେ ଅଣ କାଶ୍ମୀରୀଙ୍କୁ ଟାର୍ଗେଟ କରି ଉତ୍ତର ପ୍ରଦେଶର ଜଣେ ଶ୍ରମିକଙ୍କୁ ଗୁଳି ମାରିଛନ୍ତି। ଆକ୍ରମଣରେ ଗୁରୁତର ଆହତ ଶ୍ରମିକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହା ପୂର୍ବରୁ ରବିବାର ଗାନ୍ଦରବଲରେ ଏକ କନଷ୍ଟ୍ରକସନ ସାଇଟରେ ହୋଇଥିବା ଆକ୍ରମଣରେ ୬ ପ୍ରବାସୀ ଶ୍ରମିକ ଏବଂ ଜଣେ ସ୍ଥାନୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ଅକ୍ଟୋବର ୧୮ରେ ଆତଙ୍କବାଦୀ ବିହାରର ଜଣେ ଶ୍ରମିକଙ୍କୁ ସୋପିୟାଁ ଜିଲ୍ଲାରେ ଗୁଳିମାରି ହତ୍ୟା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.