ନିଜ୍ଜର ଆତଙ୍କବାଦୀ ଥିଲା, ପିଠିରେ ଛୁରୀ ଭୁସିଛି କାନାଡା; ଟ୍ରୁଡୋ ସରକାର ଉପରେ ବର୍ଷିଲେ ସଞ୍ଜୟ ବର୍ମା

Published By : Prameya-News7 Bureau | October 24, 2024 IST

ନୂଆଦିଲ୍ଲୀ: ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡକୁ ନେଇ ଭାରତ ଏବଂ କାନାଡ଼ା ମଧ୍ୟରେ କୂଟନୈତିକ ସମ୍ପର୍କ ସବୁଠୁ ଖରାପ ସ୍ତରରେ ରହିଛି । କାନାଡାରୁ ଫେରିଥିବା ଭାରତୀୟ କୂଟନୀତିଜ୍ଞ ସଞ୍ଜୟ ବର୍ମା କହିଛନ୍ତି ଯେ ନିଜ୍ଜର ଆମ ପାଇଁ ଆତଙ୍କବାଦୀ ଥିଲା, କିନ୍ତୁ ଗଣତନ୍ତ୍ରରେ ନ୍ୟାୟ ପ୍ରଣାଳୀ ବାହାରେ ସବୁ କାମ ଭୁଲ ଅଟେ, ସତ ସାମନାକୁ ଆସିବା ଦରକାର । ନିଜ୍ଜର ହତ୍ୟାକାଣ୍ଡ ଉପରେ କାନାଡା ନିଜ ଅଭିଯୋଗ ସହ ଜଡ଼ିତ କୌଣସି ପ୍ରମାଣ ବର୍ତ୍ତମାନ ସୁଦ୍ଧା ଦେଇନାହିଁ । କାନାଡା ସରକାରଙ୍କ ପଦକ୍ଷେପ ପିଠିରେ ଛୁରୀ ଭୁସିବା ପରି ଅଟେ । ଏହାସହ କାନାଡା ସରକାର ଖଲିସ୍ତାନୀ ଆତଙ୍କବାଦୀ ଏବଂ କଟ୍ଟରପନ୍ଥୀଙ୍କୁ ଶରଣ ଦେଉଥିବା ଅଭିଯୋଗ କରିଛନ୍ତି । 

କାନାଡାର ଟ୍ରୁଡୋ ସରକାର ନିଜ୍ଜର ହତ୍ୟାକାଣ୍ଡକୁ ନେଇ ଭାରତୀୟ ହାଇକମିଶନର ସଞ୍ଜୟ ବର୍ମାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବା ପରେ କୂଟନୈତିକ ବିବାଦ ବଢିଥିଲା । ଏହାପରେ ଭାରତ ସରକାର ନିଜ ବରିଷ୍ଠ କୂଟନୀତିଜ୍ଞଙ୍କୁ ଫେରାଇ ଆଣିବା ସହ କାନାଡାର ଛଅ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ । 

ବରିଷ୍ଠ ଡିପ୍ଲୋମାଟ୍ ସଞ୍ଜୟ ବର୍ମା ଗୁରୁବାର କହିଛନ୍ତି ଯେ ଖଲିସ୍ତାନୀ ହରଦୀପ ସିଂହ ନିଜ୍ଜରର ହତ୍ୟା ମାମଲାରେ କାନାଡା ପିଠିରେ ଛୁରୀ ଭୁସିବା କାମ କରୁଛି । ଏହି ଘଟଣାରେ କାନାଡା ଦ୍ୱାରା ମୋତେ ପର୍ସନ ଇନ୍ ଇଣ୍ଟରେଷ୍ଟ ଘୋଷିତ କରିବା ଏକ ଝଟକା ଥିଲା । କାନାଡାର ଏହି ଆଶ୍ଚର୍ଯ୍ୟଜନକ ପଦକ୍ଷେପ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତି ସବୁଠାରୁ ଖରାପ ବୋଲି ସେ କହିଛନ୍ତି ।

ସଞ୍ଜୟ ବର୍ମା କହିଛନ୍ତି ଯେ କାନାଡାରେ ଖଲିସ୍ତାନୀ ମାନବ ଚାଲାଣ, ବନ୍ଧୁକ ଚୋରା ଚାଲାଣ ଏବଂ ଦାଦା ବଟି ଆଦାୟରେ ସାମିଲ ଅଛନ୍ତି । କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ସଂଖ୍ୟା ବହୁତ କମ, କିନ୍ତୁ ସେମାନେ ଜୋରେ ପାଟି କରନ୍ତି ଏବଂ ସରକାରଙ୍କ ସୁରକ୍ଷା ମିଳୁଛି । କାନାଡା ମାଟି ପ୍ରାୟ ୧୦ ହଜାର ଶିଖ୍ କଟ୍ଟର ଖଲିସ୍ତାନୀ ଅଛନ୍ତି, ଯେଉଁମାନେ ଖଲିସ୍ତାନକୁ ବ୍ୟବସାୟ କରି ଦେଇଛନ୍ତି । କାନାଡାର ଆଇନ ଯୋଗୁଁ ଖଲିସ୍ତାନୀ, ଉଗ୍ରବାଦୀ, ଆତଙ୍କବାଦୀଙ୍କୁ ସେଠାରେ ଶରଣ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.