କଜାନରେ ଜୟଶଙ୍କର କହିଲେ-ଆଲୋଚନା ଓ କୁଟନୀତି ମାଧ୍ୟମରେ ହେଉ ବିବାଦ ଓ ମତଭେଦର ସମାଧାନ

Published By : Prameya-News7 Bureau | October 24, 2024 IST

ନୂଆଦିଲ୍ଲୀ ୨୪।୧୦: ବିଦେଶ ମନ୍ତ୍ରୀ ଡ.ଏସ.ଜୟଶଙ୍କର ଋଷିଆର କଜାନରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସର ଆଉଟରିଚ୍‌ ସେସନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଯୋଗ ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ ସଂଘର୍ଷ ଓ ଉତ୍ତେଜନାର ମୁକିବାଲା ନିତ୍ୟାନ୍ତ ଆବଶ୍ୟକ। ବିବାଦ ଓ ମତପାର୍ଥକ୍ୟର ସମାଧାନ ଆଲୋଚନା ଓ କୂଟନୀତି ମାଧ୍ୟମରେ କରାଯିବା ଉଚିତ। ଥରଟିଏ ସହମତି ହୋଇଗଲେ ବିଶ୍ୱସ୍ଥତାର ସହିତ ଏହା ପାଳନ ହେବା ଦରକାର । 

ଏଥିରେ ଡ.ଜୟଶଙ୍କର ଗ୍ଲୋବାଲ ଇନଫ୍ରାଷ୍ଟ୍ରକ୍ଚରରେ ଥିବା ବିସଙ୍ଗତି ଦୂର କରିବାକୁ ଗୁରୁତ୍ୱ ଦେଇଛନ୍ତି। ଏହା ସହିତ କ୍ଷେତ୍ରିୟ ଅଖଣ୍ଡତାକୁ ମଧ୍ୟ ସମ୍ମାନ ଦିଆଯିବା ଜରୁରି ବୋଲି କହିଛନ୍ତି। ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ ବିଶ୍ୱ ଏବେ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଏଣୁ ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକ ପାଇଁ ନୂଆ କରି ବିଚାର କରିବାକୁ ପ୍ରସ୍ତୁତ ରହିବା ଦରକାର। ଆମେ ସବୁ ଏଠାରେ ଏକତ୍ରିତ ହେବା ଏ କଥାର ବାର୍ତ୍ତା ଦେଉଛି ଯେ ଆମେ ଏପରି କରିବା ପାଇଁ ପ୍ରସ୍ତୁତ। 

ଡ.ଜୟଶଙ୍କର ତାଙ୍କ ଭାଷଣାରେ ମୋଦିଙ୍କ ‘ଏହା ଯୁଦ୍ଧର ଯୁଗ ନୁହେଁ’ ସଂଳାପକୁ ଦୋହରାଇଛନ୍ତି। ବିଦେଶମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଜୋର ଦେଇ କହନ୍ତି ଏହା ଯୁଦ୍ଧର ଯୁଗ ନୁହେଁ। ବିବାଦ ଓ ମତପାର୍ଥକ୍ୟର ସମାଧାନ ଆଲୋଚନା ଓ କୁଟନୀତି ମାଧ୍ୟମରେ ସମାଧାନ ହେବା ଦରକାର। ବିନା କୌଣସି ଆପତ୍ତିରେ ଅନ୍ତର୍ଜାତୀୟ ଆଇନର ପାଳନ ହେବା ଦରକାର। ସେହିପରି ଆତଙ୍କ ବିରୋଧରେ ସବୁ ଦେଶଙ୍କ ଏକ ରାୟ ରହିବା ଦରକାର ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଆଜି ପଶ୍ଚିମ ଏସିୟାର ଅବସ୍ଥା ଚିନ୍ତାଜନକ। ଏଥିରୁ ବୁଝାଯାଇ ପାରେ ଯେ ବ୍ରିକ୍ସ ଫୋରମକୁ ଏହା ବୁଝାପଡିବ ଯେ ଗ୍ଲୋବାଲାଇଜେସନର ଫାଇଦା ଅସମାନ ରହିଛି। କୋଭିଡ ଓ ସଂଘର୍ଷ ଗ୍ଲୋବାଲ ସାଉଥର ବୋଝକୁ ବଢେଇ ଦେଇଛି। ସମସ୍ତଙ୍କ ଭଲ ନିମନ୍ତେ ସାମୂହିକ ପ୍ରୟାସ କରାଯିବା ଦରକାର। ସେ ବହୁପକ୍ଷିୟ ମଞ୍ଚକୁ ମଜଭୁତ କରିବା ଓ ସେଗୁଡିକର ବିସ୍ତାର ପାଇଁ ବିଦେଶମନ୍ତ୍ରୀ ଜୋର ଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.