ପ୍ରିୟଙ୍କା ଗାନ୍ଧି ନୋମିନେସନ ଭିଡିଓକୁ ନେଇ ବିବାଦ, ବିଜେପିର ପ୍ରଶ୍ନ–ବାହାରେ କାହିଁକି ଛିଡା ହୋଇଥିଲେ ଦଳିତ ନେତା ଖଡଗେ?

Published By : Prameya-News7 Bureau | October 24, 2024 IST

ନୂଆଦିଲ୍ଲୀ ୨୪।୧୦: ପ୍ରିୟଙ୍କା ଗାନ୍ଧି ୱାୟନାଡରୁ ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ଏକ ଭିଡିଓ ଭାଇରାଲ ହେବା ପରେ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଯାଇଛି। ଏହି ଭିଡିଓରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରାର୍ଥୀପତ୍ର ଦାଖଲ କକ୍ଷର ଦ୍ୱାର ବାହାରେ ଛିଡା ହୋଇଥିବା ଦେଖାଯାଉଛି। ଏହି ଭିଡିଓକୁ ନେଇ କଂଗ୍ରେସ ଉପରେ ବିଜେପି ଦଳିତ ନେତାଙ୍କ ଅପମାନ ଅଭିଯୋଗ ଆଣିଛି। 

ଆସାମ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱା ଶର୍ମା ସର୍ବ ପ୍ରଥମେ ଏହି ଭିଡିଓକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଖଡଗେଙ୍କ ଭଳି ବରିଷ୍ଠ ସାଂସଦ ଓ ଦଳିତ ନେତାଙ୍କ ସହିତ କରାଯାଇଥିବା ବ୍ୟବହାର ଅତ୍ୟାନ୍ତ ନୈରାଶ୍ୟଜନକ। ଗାନ୍ଧି ପରିବାର ତାଙ୍କୁ କେବଳ ଏକ ‘ରବର ଷ୍ଟାମ୍ପ’ କରିଦେଇଛନ୍ତି।  ସେହିପରି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହାକୁ ନେଇ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ମଲ୍ଲିକାର୍ଜୁନ ଖଡଗେ କେଉଁଠି ଥିଲେ? ତାଙ୍କୁ କଣ ଏଥି ପାଇଁ ବାହାରେ ରଖାଯାଇଥିଲା ଯେହେତୁ ସେ ଗାନ୍ଧି ପରିବାରର ନୁହନ୍ତି?ଏହା ଆତ୍ମସମ୍ମାନ ଓ ଗାରିମାର ଘୋର ଅପମାନ। 


ଯଦି ଏହି ପରିବାର ନିଜର ଦଳିତ ନେତା ଓ ପାର୍ଟି ଅଧ୍ୟକ୍ଷଙ୍କ ସହିତ ଏପରି ବ୍ୟବହାର କରିପାରେ, ତେବେ ୱାଇନାଡ ଲୋକଙ୍କ ସହ କିପରି ଆଚରଣ ହେବ? ବୋଲି ତନ୍ଦ୍ରଶେଖର ପ୍ରଶ୍ନ କରିଛନ୍ତି। ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲଭ୍ୟ ମଧ୍ୟ ଏହି ଘଟଣାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଅମିତ ମାଲବ୍ୟ କହିଛନ୍ତି ମଲ୍ଲିକାର୍ଜୁନ ଖଡଗେ ଯିଏ କଂଗ୍ରେସର ସଭାପତି ଓ ବରିଷ୍ଠ ନେତା, ସେ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରାର୍ଥୀପତ୍ର ଦାଖଲ କାଳରେ ତାଙ୍କୁ ବାହାରେ ରଖା ଗଲା। କାରଣ ଏହା ଏଥିପାଇଁ ହେଲା ଯେ ଖଡଗେ ଦଳିତ ବର୍ଗର। 



ବିଜେପି ଅଭିଯୋଗର କଂଗ୍ରେସ ତୁରନ୍ତ ଜବାବ ଦେଇଛି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଖଡଗେଙ୍କ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସହିତ ଏକାଠି ବସିଥିବାର ଦେଖାଯାଉଛି।  ସୁପ୍ରିୟା ଲେଖିଛନ୍ତି ‘ତୁମେ ମିଛ କହୁଛ’। ନିର୍ବାଚନ ପ୍ରକ୍ରିୟା କାଳରେ ଗୋଟିଏ ସମୟରେ ମାତ୍ର କିଛି ଜଣ ଲୋକ କାର୍ଯ୍ୟାଳୟରେ ରହି ପାରନ୍ତି। ଖଡଗେଜୀ, ସୋନିଆଜୀ ଓ ରାହୁଲ ଗାନ୍ଧି ବାହାରେ ଅପେକ୍ଷା କରିଥିଲେ । କାରଣ କାର୍ଯ୍ୟାଳୟ ଭିତରେ ପୂର୍ବରୁ ଅନେକ ଲୋକ ଥିଲେ ବୋଲି ଉଲ୍ଲେଖ କରିଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.