ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ NCPକୁ ଝଟକା, ଛଗନ ଭୁଜବଲଙ୍କ ପୁତୁରା ସମୀର ଛାଡିଲେ ପାର୍ଟି

Published By : Prameya-News7 Bureau | October 24, 2024 IST

ମୁମ୍ବାଇ ୨୪।୧୦: ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ରାଜ୍ୟରେ ଆରମ୍ଭ ହୋଇଯାଇଛି ଦଳ ବଦଳ ପର୍ବ। ଏଥିରେ ରାଜ୍ୟ ସରକାରରେ ସାମିଲ ଏନସିପିକୁ ନିର୍ବାଚନ ପୂର୍ବରୁ ଝଟକା ଲାଗିଛି। ଅଜିତ ପାୱାର ଗୋଷ୍ଠୀର ଏନସିପି ନେତା ସମୀର ଭୁଜବଳ ଗୁରୁବାର ପାର୍ଟି ଛାଡିଛନ୍ତି। ରାଜ୍ୟ ସରକାରରେ ମନ୍ତ୍ରୀ ତଥା ବରିଷ୍ଠ ନେତା ଛଗନ ଭୁଜବଲଙ୍କ ପୁତୁରା ସମୀର ଏନସିପି ମୁମ୍ବାଇ ୟୁନିଟି ଅଧ୍ୟକ୍ଷ ଥିଲେ। ସେ ନାନ୍ଦଗାଓଁ ବିଧାନସଭା ଆସନରୁ ନିର୍ଦ୍ଦଳୀୟ ବିଧାୟକ ପ୍ରର୍ଥୀ ହେବେ ବୋଲି ମଧ୍ୟ ଘୋଷଣା କରିଦେଲେଣି। 

ଏହା ପୂର୍ବରୁ ଅଜିତ ପାୱାରଙ୍କ ନିମନ୍ତେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତିଭରା ଖବର ମିଳିଥିଲା। ନିର୍ବାଚନ ସଂକେତ ‘ଘଡି’କୁ ନେଇ ସୁପ୍ରିମକୋର୍ଟରେ ଗୁରୁବାର ଶୁଣାଣି ହୋଇଛି। ଏଥିରେ କୋର୍ଟ ଅଜିତ ଗୋଷ୍ଠୀ ଏନସିପିକୁ ନିର୍ବାଚନରେ ଘଡ଼ି ଚିହ୍ନ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁଙ୍କ ପୀଠ ଏହି ମାମଲାର ଶୁଣାଣି କରୁଥିଲେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି, ଶିବସେନା ଓ ଏନସିପି ମହାଯୁତି ଓ ମହାବିକାଶ ଅଘାଡ଼ି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେବ। ହେଲେ ଉଭୟ ମେଣ୍ଟରେ ଏବେବି ଆସନ ବୁଝାମଣାକୁ ନେଇ ପେଞ୍ଚ ରହିଛି। 

ମହାବିକାଶ ଅଘାଡ଼ି (ଏମଭିଏ) ବୁଧବାର ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ମେଣ୍ଟରେ ୩ ପ୍ରମୁଖ ଦଳଙ୍କ ଆସନ ବୁଝାମଣା ହୋଇ ଯାଇଥିବାର ଦାବି କରିଥିଲେ। ୩ ଦଳ ପ୍ରତ୍ୟେକ ୮୫ଟି ଲେଖାଏଁ ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରିବା ପାଇଁ  ନିଷ୍ପତ୍ତି ନେଇଛନ୍ତି । ବାକି ୧୮ଟି ଆସନ ସାଥୀ ଦଳମାନଙ୍କ ନିମନ୍ତେ ଛଡାଯିବ। ବଳକା ୧୫ଟି ଆସନ ପାଇଁ ମଧ୍ୟ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ହୋଇଯିବ ବୋଲି ଏମଭିଏ ଦାବି କରିଥିଲା। ଏହି ସାମ୍ବାଦିକ ସମ୍ମିଳନୀ ପରେ ବି କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିପାରିନି।

କଂଗ୍ରେସ ସୂତ୍ର ଅନୁସାରେ ଶିବସେନା (ୟୁବିଟି) ସହିତ ଏବେବି କେତେକ ସିଟ୍‌ରେ ବିବାଦ ରହିଛି। ଏଥିରେ ୧୫ଟି ଆସନ ପାଇଁ ଏପର୍ଯ୍ୟନ୍ତ କଥାବାର୍ତ୍ତା ବି ଆରମ୍ଭ ହୋଇନି। ଏହା ଛଡା ଯେଉଁ ସିଟ୍ ପାଇଁ ନିଷ୍ପତ୍ତି ହୋଇଛି ଏଥିରେ ମଧ୍ୟ ଏପରି କେତେକ ସିଟ୍ ରହିଛି ଯେଉଁଗୁଡିକ ୩ ଦଳଙ୍କ ମଧ୍ୟରେ ଅଦଳବଦଳ ହେବ। ଏ କଥାକୁ କଂଗ୍ରେସର ବରିଷ୍ଠ ନେତା ବିଜୟ ବଡେଟିବାର ମଧ୍ୟ ସ୍ୱୀକାର କରିଛନ୍ତି। ତେବେ କେବଳ ବିରୋଧୀ ନୁହେଁ କ୍ଷମତାସୀ ଦଳଙ୍କ ମେଣ୍ଟରେ ମଧ୍ୟ ଆସନ ବୁଝାମଣାକୁ ନେଇ ବିବାଦ ତୁଟି ନଥିବାର ଜଣାପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.