ସତ ହେଉଛି ଗଣନା, ପଞ୍ଜିକାରେ ଲେଖାଥିଲା ବାତ୍ୟା ପୂର୍ବ ସୂଚନା

Published By : Prameya-News7 Bureau | October 22, 2024 IST

ଭୁବନେଶ୍ୱର ୨୨/୧୦: ଚଳିତ ବର୍ଷ ଅକ୍ଟୋବର ମାସରେ ବାତ୍ୟା ହେବା ନେଇ ପୂର୍ବରୁ ଥିଲା ସୂଚନା । ଏକଥା ଆମେ କହୁନୁ ବରଂ ଅସଲି ଖଡ଼ିରତ୍ନ ପଞ୍ଜିକାରେ ହୋଇଥିଲା ଗଣନା । ଯାହା ଏବେ ସତ ହେବାକୁ ଯାଉଛି । ବାତ୍ୟା କେଉଁ ତାରିଖରେ ହେବ ଓ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା। 

ଅସଲି ଖଡ଼ିରତ୍ନ ପଞ୍ଜିକାରେ ୧୯୬ ପୃଷ୍ଠାରେ ଏହା ଉଲ୍ଲେଖ ରହିଥିଲା ବାତ୍ୟା ସମ୍ୱନ୍ଧରେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅସଲି ଖଡ଼ିରତ୍ନ ପଞ୍ଜିକାରେ ପାଣିପାଗ ସଂପର୍କରେ ଗଣନା କରାଯାଇଥିଲା ଯେ, ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର ଓ ନିଆଳି ଆଦି ଅଞ୍ଚଳରେ ସାମୁଦ୍ରିକ ଝଡ଼, ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। 

ଅକ୍ଟୋବର ୧୭ରୁ ୨୩ ମଧ୍ୟରେ ଏବଂ ଅକ୍ଟୋବର ୨୬ରୁ ୩୦ ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ଼, ଲଘୁଚାପ, ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବା ନେଇ ପଞ୍ଜିକାରେ ଗଣନା କରାଯାଇଥିଲା। ବାତ୍ୟା ସଂପର୍କିତ ତଥ୍ୟକୁ ନେଇ ପଞ୍ଜିକାର ଉଲ୍ଲେଖ ଥିବା ୧୯୬ ପୃଷ୍ଠା ଏବେ ସୋସିଆଲ ଭାଇରାଲ୍ ହେଉଛି। 

ସୂଚନାଥାଉକି, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ବାତ୍ୟାର ରୂପ ନେବ। ଏହାପରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସକାଳେ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ପରେ ଏହା ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.