ପାଣିପାଗ ବିଜ୍ଞାନୀଙ୍କ ଆକଳନ, ପୁରୀରୁ ବାଲେଶ୍ୱର ଭିତରେ ଅତିକ୍ରମ କରିପାରେ ବାତ୍ୟା ‘ଦାନା’

Published By : Prameya-News7 Bureau | October 21, 2024 IST

ଭୁବନେଶ୍ୱର ୨୧/୧୦: ପୁରୀରୁ ବାଲେଶ୍ବର ଭିତରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ଦାନା’ । ଆଇଏମଡି ବର୍ତ୍ତମାନ ସୁଦ୍ଧା ଲାଣ୍ଡଫଲ ନେଇ ସ୍ପଷ୍ଟ କରିନାହିଁ । ତେବେ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ ଅନୁସାରେ ପୁରୀରୁ ବାଲେଶ୍ବର ଭିତରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିପାରେ । ବାତ୍ୟା ଗତିପଥକୁ ନେଇ ଭିନ୍ନ ଭିନ୍ନ ମଡେଲରେ ଏଭଳି ଚିତ୍ର ବି ଦେଖିବାକୁ ମିଳୁଛି ବୋଲି ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି । 

ସେପଟେ ବାତ୍ୟା ‘ଦାନା’ ପାଇଁ ଆଲର୍ଟ ମୋଡ଼ରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ। ଏସଆରସିଙ୍କ କାର୍ଯ୍ୟାଳୟରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ବାତ୍ୟା କେଉଁ ବାଟେ ଦେଇ ଯିବ, ବାତ୍ୟାର ଗତିପଥ ଉପରେ କଣ୍ଟ୍ରୋଲ ରୁମ୍ ତୀକ୍ଷଣ ନଜର ରଖିଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର କାର୍ଯ୍ୟ ଉପରେ ନଜର ରଖିଛି ଏସଆରସିଙ୍କ କାର୍ଯ୍ୟାଳୟରେ ଖୋଲିଥିବା କଣ୍ଟ୍ରୋଲ ରୁମ । 


ସେପଟେ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ଯିବେ ବରିଷ୍ଠ ଆଇଏସ୍ ଅଧିକାରୀ । କେଉଁ ଜିଲ୍ଲାକୁ କେତେ ଏନଡ଼ିଆରଏଫ ଏବଂ ଓଡ୍ରାଫ ଟିମ ଯିବେ, ସେନେଇ ଚାଲିଛି ଯୋଜନା । ଉପକୂଳ ଓଡ଼ିଶା ଯଥା ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତିରେ ଅଧିକ ଏନଡ଼ିଆରଏଫ, ଓଡ୍ରାଫ  ଓ ଅଗ୍ନିଶମ ଟିମ୍ ମୁତୟନ ହେବେ।

ବାତ୍ୟା ନେଇ ଭୟଭୀତ ନହେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ କରିବେ ବାତ୍ୟା ସମୀକ୍ଷା । ଅପରାହ୍ନ ୪ ଟାରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ କରିବେ ସମୀକ୍ଷା । ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ରହିବେ ଉପସ୍ଥିତ ।

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.