ରାଜନଗରରେ ମାଡ ହେବ ବାତ୍ୟା 'ଦାନା', ଗୁରୁବାର ରାତିରୁ ଶୁକ୍ରବାର ସକାଳେ ଲ୍ୟାଣ୍ଡଫଲ

Published By : Prameya-News7 Bureau | October 22, 2024 IST

ଭୁବନେଶ୍ୱର ୨୨/୧୦: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଓ  ଭିତରକନିକାରେ ମାଡ଼ ହେବ ବାତ୍ୟା  ‘ଦାନା’ । ୨୪ ତାରିଖ ଅର୍ଥାତ ଗୁରୁବାର ରାତିରେ ଛୁଇଁବ । ସ୍ଥଳଭାଗରେ ପ୍ରବେଶ କଲା ବେଳେ ବାତ୍ୟା ଭୀଷଣ ରୂପରେ ଥିବ । ଘଣ୍ଟା ପ୍ରତି  ୧୧୦ରୁ ୧୨୦ କିଲୋମିଟର ବେଗରେ ଧକ୍କା ଦେବ ପବନ । ଭିତରକନିକାରେ  ତାଣ୍ଡବ ରଚାଇ ଭଦ୍ରକ ଜିଲ୍ଲାରେ ପଶିବ ।  ଯାଜପୁର, କେନ୍ଦୁଝର ଦେଇ ମୟୂରଭଞ୍ଜ ଦିଗରେ ମୁହାଁଇବ ।  

ଭାରତୀୟ ପାଣିପାଗ ବିଭାଗ  (ଆଇଏମ୍‌ଡି)ର ବାତ୍ୟା ଗତିପଥ ଏଭଳି ଆକଳନ ଦର୍ଶାଇଛି । ତେବେ ‘ଦାନା’ର  ଭୀଷଣତା ଓ ଗତିପଥ ନେଇ ବିଭିନ୍ନ  ପାଣିପାଗ ମଡେଲ ଭିନ୍ନ ଭିନ୍ନ ପୂର୍ବାନମାନ ଦେଇଛନ୍ତି । ଉପକୂଳ ଛୁଇଁବା ବେଳକୁ ଏହାର ତୀବ୍ରତା ଛୋଟ ଧରଣର ବାତ୍ୟା କିମ୍ବା ଅବପାତ ଥିବ ବୋଲି କେତେକ ମଡେଲ  ଦର୍ଶାଉଥିବା ବେଳେ ଆଉ କେତେକ  ପୂର୍ବାନୁମାନ ଦେଇଛନ୍ତି, ବାତ୍ୟା ପଶ୍ଚିମବଙ୍ଗ  କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇପାରେ ।  

ଆଇଏମ୍‌ଡି ଜାରି କରିଥିବା ବାତ୍ୟାର ସମ୍ଭାବ୍ୟ ଟ୍ରାକ୍‌ ଅନୁସାରେ  ବାତ୍ୟା ୨୪ ତାରିଖ ରାତି ସାଢ଼େ  ୧୧ଟାରେ ‘ଦାନା’ ୨୦.୭ଡିଗ୍ରୀ(ଉତ୍ତର)  ଅକ୍ଷାଂଶ ଓ ୮୭ଡିଗ୍ରୀ (ପୂର୍ବ) ଦ୍ରାଘିମା  ଦେଇ ସ୍ଥଳଭାଗରେ ପ୍ରବେଶ କରିବ। ରାଜନଗରର ଅବସ୍ଥିତି ଏଇଠି।  ବାତ୍ୟା ପ୍ରଭାବରେ ୨୪ ଓ ୨୫  ତାରିଖ ଦୁଇ ଦିନ ବାଦଲ ଫଟା ବର୍ଷା  ହେବ । ଅତି ଭୀଷଣ ବର୍ଷା ଆଶଙ୍କା ଥିବାରୁ  ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ୨୪ରେ ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ,  କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲ୍ଲାରେ ୨୦୦ମିମିରୁ ଅଧିକ  ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି ସତର୍କ କରାଇଛି । 

୭ ଜିଲ୍ଲାର ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟା ପରିସ୍ଥିତି  ସୃଷ୍ଟି ହେବାର ଆଶଙ୍କା ରହିଛି । ଗୁରୁବାର କେନ୍ଦୁଝର,  ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ  ଜିଲ୍ଲାରେ ବି ନନଷ୍ଟପ୍‌ ବର୍ଷା ଗାଳିବ । ଏହି ୭ ଜିଲ୍ଲାରେ  ୭୦ରୁ ୨୦୦ମିମି ଯାଏ ବର୍ଷା ହୋଇପାରେ। ସୁନ୍ଦରଗଡ଼,  ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ,  କନ୍ଧମାଳ ଓ ଗଜପତି ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ ବୋଲି  ଆଇଏମ୍‌ଡି ପୂର୍ବାନୁମାନ କରିଛି । ୨୫ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ  ଭଦ୍ରକରେ ଅତି ଭୀଷଣ ବର୍ଷା ହୋଇପାରେ । ୪ଜିଲ୍ଲାରେ  ୨୦୦ମିମିରୁ ଅଧିକ ବର୍ଷା ଆଶଙ୍କା ଥିବାରୁ ରେଡ୍‌ ୱାର୍ଣ୍ଣିଂ ଜାରି  ହୋଇଛି । 

ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ,  ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବାତ୍ୟା ଲ୍ୟାଣ୍ଡଫଲ୍‌ ବେଳେ ପବନର ଝଟ୍‌କା ୧୨୦କିମି  ବେଗ ଯାଏ ଯାଇପାରେ । କେନ୍ଦ୍ରାପଡ଼ାର ରାଜନଗରରେ  ବାତ୍ୟା ସ୍ଥଳଭାଗ ଛୁଇଁବାର ଥିବାରୁ ଭିତରକନିକା ଜାତୀୟ  ଉଦ୍ୟାନରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା ଅଛି । ପ୍ରବଳ  ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇପାରେ ।  

ସହରାଞ୍ଚଳର ବିଭିନ୍ନ ତଳିଆ ଅଞ୍ଚଳ ଓ ଅଣ୍ଡରପାସ୍‌ରେ ପାଣି  ଜମିବା ଯୋଗୁ ଜଳବନ୍ଦୀ ସ୍ଥିତି ସୃଷ୍ଟି ଆଶଙ୍କା ଅଛି । ଉଲ୍ଳେଖଯୋଗ୍ୟ, ସୋମବାର ସକାଳ ସାଢ଼େ ୫ଟାରେ  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ  ସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ପଶ୍ଚିମ  ଦିଗରେ ମୁହାଁଇ ଦିନ ସାଢ଼େ ୧୧ଟା ବେଳେ ପୂର୍ବ କେନ୍ଦ୍ରୀୟ  ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ ବା ୱେଲ  ମାର୍କଡ୍‌ ଲୋ ପ୍ରେସରରେ ପରିଣତ ହୋଇଛି । ଏହା କ୍ରମଶଃ  ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଆଗକୁ ବଢ଼ିବା ସହ  ସମୁଦ୍ରରୁ ବଳ ଗୋଟାଇ ଅଧିକ ଘନୀଭୂତ ହେବ ।  

୨୨ ତାରିଖ ସକାଳ ସୁଦ୍ଧା ଏହା ଅବପାତରେ ପରିଣତ  ହେବ । ୨୩ତାରିଖରେ ଏହା ଅଧିକ ବଳୁଆ ହୋଇ  ବାତ୍ୟାରେ ପରିଣତ ହେବ । ବାତ୍ୟା ସୃଷ୍ଟି ପରେ ଉତ୍ତର  ପଶ୍ଚିମ ଦିଗରେ ଅଗ୍ରସର ହେବ । ୨୪ ତାରିଖ ରାତି ବା ୨୫  ତାରିଖ ସକାଳୁ ଏହି ବାତ୍ୟା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ  ଉପକୂଳରେ ପୁରୀ ଓ ସାଗର ଦୀପ ମଝିରେ ଲ୍ୟାଣ୍ଡଫଲ୍‌  କରିପାରେ ବୋଲି ଆଇଏମ୍‌ଡି ଆକଳନ କରିଛି । ବାତ୍ୟା ସୃଷ୍ଟି ଓ ଏହାର ଗତିପଥକୁ ନେଇ ଏକାଧିକ  ମଡେଲ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । 

ଆଇଏମ୍‌ଡି ଜିଏଫଏସ୍‌  ମଡେଲ କହୁଛି, ବାତ୍ୟା ୨୪ ତାରିଖ ସାଢ଼େ ୮ଟାରେ  ବାଂଲାଦେଶ ଉପକୂଳରେ ମାଡ଼ ହେବ । ଏନସିଇପି ଜିଏଫଏସ୍‌  ମଡେଲ ଦର୍ଶାଇଛି, ୨୪ ତାରିଖ ସକାଳ ସାଢ଼େ ୧୧ଟାରେ  ଏହା ଭୀଷଣ ବାତ୍ୟା ରୂପ ନେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ  ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ । ଏନସିୟୁଏମ(ଜି)  ମଡେଲ କହିଛି, ଏହା ୨୫ ତାରିଖ ସକାଳ ସାଢ଼େ ୫ଟାରେ  ଓଡ଼ିଶା ଉପକୂଳରେ ଅତିକ୍ରମ କରିବ । ଇସିଏମଡବ୍ଲୁଏଫ୍‌  ଦର୍ଶାଇଛି, ବାତ୍ୟା ୨୫ ତାରିଖ ସକାଳ ସାଢ଼େ ୫ଟାରେ ଓଡ଼ିଶା ଉପକୂଳରେ ମାଡ଼ ହେବ । ଆଇଏମଡି ଏମଏମଇ ଦେଖାଇଛି,  ବାତ୍ୟା ନୁହେଁ, ଅବପାତ ହୋଇ ୨୫ ତାରିଖ ସାଢ଼େ ୧୦ଟାରେ  ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ । 

ସେହିଭଳି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର  ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବାତ୍ୟାର ଦୁଇଟି ଗତିପଥ ସମ୍ଭାବନା ଅଛି । ପ୍ରଥମ ଆକଳନ ହେଉଛି ଏହା ଚାନ୍ଦବାଲିରୁ  ଦୀଘା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ । ଦ୍ୱିତୀୟ ଆକଳନ  ହେଉଛି, ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପରେ ପହଞ୍ଚିବ ।  ଏଭଳି ହେଲେ ଓଡ଼ିଶା ବର୍ଷା ଓ ପବନରୁ ବର୍ତ୍ତିଯିବ ।  ତେବେ ୨୩ ତାରିଖରେ ଏହାର ଗତିପଥ ସ୍ପଷ୍ଟ ହେବ ।

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.