ଅବପାତର ରୂପ ନେଲା ବାତ୍ୟା 'ଦାନା', ସ୍ଥଳଭାଗ ଛୁଇଁବା ବେଳେ ବଢିବ ପବନର ବେଗ

Published By : Prameya-News7 Bureau | October 22, 2024 IST

ଭୁବନେଶ୍ୱର ୨୨/୧୦: ମଙ୍ଗଳବାର ସକାଳେ ଅବପାତର ରୂପ ନେଇଛି ସମ୍ଭାବ୍ୟ ବାତ୍ୟା ଦାନା । ଦକ୍ଷିଣ ପୂର୍ବ ପାରାଦ୍ଵୀପରୁ ୭୩୦ କିମି ଏବଂ ସାଗର ଦ୍ଵିପରୁ ୭୭୦ କିମି ଦୂରରେ ରହିଛି । ଖେପୂପାରାରୁ ୭୪୦ କିମି ଦୁରରେ ରହିଛି । ଓଡ଼ିଶାରେ ମାଡ଼ ହୋଇପାରେ ସମ୍ଭାବ୍ୟ ସାଇକ୍ଲୋନ। ବଙ୍ଗୋପସାଗରରୁ ବଳ ଗୋଟାଉଥିବା ଲଘୁଚାପ ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଅତିକ୍ରମ କରିପାରେ। 

ୱେଲ ମାର୍କ ଲୋ ପ୍ରେସର ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଏହାପରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିହ। ୨୪ ରାତି କିମ୍ବା ୨୫ ତାରିଖ ଭୋରରୁ ଓଡ଼ିଶାରେ ମାଡ଼ ହୋଇପାରେ ଭୀଷଣ ବାତ୍ୟା। 

ପୁରୀରୁ ପଶ୍ଚିମ ବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଏହା ଅତିକ୍ରମ କଲାବେଳକୁ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନବ ୧୨୦ କିଲୋମିଟର ଛୁଇଁପାରେ । ଏହାର ପ୍ରଭାବରେ ଭଦ୍ରକ ଓ ବାଲେଶ୍ବର ଉପକୂଳରେ ଉଚ୍ଚ ଜୁଆର ବି ଆସିପାରେ। 

ସମ୍ଭାବ୍ୟ ବାତ୍ୟା ଯେତିକି ଉପକୂଳ ମୁହାଁହେବ ସେତିକି ବଢ଼ିବ ପବନର ବେଗ । 

ଆଜି ସନ୍ଧ୍ୟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ଓ ଝଟକା ପବନ ୭୫ କିଲୋମିଟର ଛୁଇଁବ। ଆସନ୍ତାକାଲି ବଢ଼ିବ ପବନ ବେଗ । କାଲି ସନ୍ଧ୍ୟାରୁ ୨୪ତାରିଖ ସକାଳ ଯାଏ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ୭୦ରୁ ୯୦ କିଲୋମିଟର ରହିପାରେ । ଏହା ବଢ଼ି ଶହେ କିଲୋମିଟର ଛୁଇଁବ । ସେହିପରି ୨୩ରୁ ଓଡ଼ିଶା ଉପକୂଳରେ ବଢ଼ିବ ପବନର ବେଗ। 

୨୩ ସନ୍ଧ୍ୟାରେ ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ରହିବ ୪୦ରୁ ୫୦ କିଲୋମିଟର ଓ ଝଟକା ପବନ ୬୦ କିଲୋମିଟର ଛୁଇଁପାରେ। ୨୪ ତାରିଖ ରାତିରେ ପବନ ଆହୁରି ତୀବ୍ର ହେବ। ୨୪ ରାତିରୁ ୨୫ ସକାଳ ଭିତରେ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ବହିବ ପବନ। ଝଟକା ପବନ ୧୨୦ କିଲୋମିଟର ଛୁଇଁଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.