ପୁରୀ ସମୁଦ୍ରକୂଳରେ ଲାଗିଲା ନାଲି ପତାକା, ବାତ୍ୟା ଆଶ୍ରୟସ୍ଥଳୀ ତଦାରଖ କରିବେ ସ୍ଥାନୀୟ ପ୍ରଶାସନ

Published By : Prameya-News7 Bureau | October 21, 2024 IST

News7

ପୁରୀ: ବାତ୍ୟା 'ଦାନା'କୁ ନେଇ ଆଶା ଆଶଙ୍କାରେ ଏବେ ଉପକୂଳ ବାସିନ୍ଦା। ବାତ୍ୟାର ପ୍ରଭାବ କେତେ ରହିବ ସେ ନେଇ ଉପକୂଳ ବାସିନ୍ଦାଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଛନକା ଦେଖାଦେଇଛି। ତେବେ ପୁରୀ ଜିଲ୍ଲାରେ ବାତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ନାନା ଆଶା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି। 

ଏସଆରସିଙ୍କ ନିର୍ଦ୍ଦେଶ ପରେ ପୁରୀ ଜିଲ୍ଲାର ତହସିଲଦାର, ବିଡ଼ିଓ ଓ ଥାନା ଅଧିକାରିଙ୍କୁ ଆଲର୍ଟରେ ରଖାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବା ସହ ଆବଶ୍ୟକ ସ୍ଥଳେ ଲୋକଙ୍କୁ ଅଣାଯାଇ ରଖାଯିବା ପାଇଁ ସବୁ ବ୍ୟବସ୍ଥା ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହେବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବା ନେଇ କଟକଣା ହୋଇଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। 

ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଯେଭଳି କଳାବଜାରୀ ନ ହୁଏ ସେ ନେଇ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି। ତେବେ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ କୌଣସି ଅଘଟଣ ଯେଭଳି ନ ହୁଏ ଏବଂ ପର୍ଯ୍ୟଟକମାନେ ସମୁଦ୍ରରେ ଯେଭଳି ନ ଗାଧୋଇବେ ସେନେଇ ମଧ୍ୟ ସଚେତନ କରାଯାଉଛି। ପୁରୀ ସମୁଦ୍ର କୂଳରେ ନାଲି ପତକା ଲଗାଯାଇ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି।

ସେପଟେ ପୁରୀର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା କହିଛନ୍ତି ସମ୍ଭାବ୍ୟ ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସମସ୍ତ ବିଡ଼ିଓ, ତହସିଲଦାରଙ୍କୁ ଏନେଇ ଆଲର୍ଟ କରିଦିଆଯାଇଛି। ବାତ୍ୟାକୁ ଦୃଷ୍ଟି ରେ ରଖି ଆଜିଠାରୁ ଆସନ୍ତା ୨୬ ତାରିଖ ଯାଏଁ ସମୁଦ୍ରକୁ ମାଛ ମାରିବାକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରଯାଇଛି। ଏ ନେଇ ବିଭିନ୍ନ ମତ୍ସ୍ୟଜୀବୀ ସଂଘ କୁ ସଚେତନ କରାଯାଇଛି। 

ପୁରୀ ଜିଲ୍ଲାରେ ଥିବା ୧୭୯ ଟି ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରଖାଯାଇଛି। ଯଦି ଆବଶ୍ୟକତା ପଡେ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ଜିଲ୍ଲା ଯୋଗାଣ ବିଭାଗକୁ କୁହାଯାଇଛି। ଏସଆରସିଙ୍କ ଯାହା ନିର୍ଦ୍ଦେଶନାମା ଆସିବ ତାହାକୁ ଆମେ କାର୍ଯ୍ୟକାରୀ କରାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। 

ଜିଲ୍ଲାରେ କେତେ ଏନ୍ ଡି ଆର୍ ଏଫ୍ ଏବଂ ଓଡ୍ରାଫ୍ ଟିମ୍ ଆବଶ୍ୟକତା ରହିଛି ସେ ନେଇ ଆକଳନ କରାଯିବା ପରେ ଏସଆରସି ଙ୍କୁ ଜଣାଇଦେବୁ। ସେହିପରି ସମୁଦ୍ର ରେ ଯେଭଳି କେହି ପର୍ଯ୍ୟଟକ ବାତ୍ୟା ସମୟରେ ଯେଭଳି ସମୁଦ୍ର ସ୍ନାନ ନ କରନ୍ତି ସେ ନେଇ ପର୍ଯ୍ୟଟକଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲା ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.