ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି; ୨୧ରେ ଲଘୁଚାପ, ୨୩ରୁ ପ୍ରବଳ ବର୍ଷା, ବାତ୍ୟା ଚିତ୍ର ମଙ୍ଗଳବାର ସ୍ପଷ୍ଟ କରିବ IMD

Published By : Prameya-News7 Bureau | October 20, 2024 IST

ଭୁବନେଶ୍ୱର,୨୦/୧୦: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି । ୨୧ ତାରିଖ ସୁଦ୍ଧା ଏହା ଘନ୍ନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପର ରୂପ ନେବ  । ଏହା ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ୨୩ ତାରିଖବେଳକୁ ଅବପାତରେ ପରିଣତ ହେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାଛଡ଼ା ସମ୍ଭାବ୍ୟ ବାତ୍ୟା ଚିତ୍ର ଆସନ୍ତା ମଙ୍ଗଳବାର ସ୍ପଷ୍ଟ ଆଇଏମଡି ସ୍ପଷ୍ଟ କରିବ ବୋଲି କହିଛି ।  

ଏହା ଆଗକୁ କେତେ ଶକ୍ତିଶାଳୀ ହେବ ? ବାତ୍ୟା ହେଲେ କୁଆଡ଼େ ମୁହାଁଇବ ? ଏବେଠାରୁ କିଛି ସ୍ପଷ୍ଟ ଆକଳନ କରାଯାଇନାହିଁ । ବିଭିନ୍ନ ମଡେଲ୍‌ ଭିନ୍ନ ଭିନ୍ନ ଆକଳନ ଦେଖାଉଛନ୍ତି । ଅଧିକାଂଶ ମଡେଲ୍‌ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛନ୍ତି । କିଛି ଦର୍ଶାଉଛନ୍ତି, ଏହା ଓଡ଼ିଶାକୁ ମୁହାଁଇବ । ଆଉ କିଛି ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁଇବା ସମ୍ଭାବନା କହୁଛନ୍ତି । 

ଆଇଏମ୍‌ଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବର୍ତ୍ତମାନ ଏହାର ସମ୍ଭାବ୍ୟ ତୀବ୍ରତା, ଗତିପଥ ନେଇ କିଛି କହିହେବନି । ଲଘୁଚାପ ହେବା  ପରେ ହିଁ ଏ ନେଇ ସ୍ପଷ୍ଟ ଆକଳନ  କରିହେବ । ବର୍ତ୍ତମାନ ଓଡ଼ିଶା ଉପରେ ଏହାର କିଛି ପ୍ରଭାବ ନାହିଁ । ୨୩ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୪ ଓ ୨୫ରେ ଅଧିକ ବର୍ଷା ହେବ । ଏପରିକି ପ୍ରବଳରୁ ଅତି ପ୍ରବଳ ବର୍ଷା  ଆଶଙ୍କା ଅଛି ଉପକୂଳ ଓଡ଼ିଶାରେ ।  ଡ. ମହାପାତ୍ର କହିଛନ୍ତି,   ସମୁଦ୍ର ଭିତରେ ୨୧ ତାରିଖରୁ  ପ୍ରଭାବ ପଡ଼ିବ । ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀମାନେ ୨୧ ତାରିଖରୁ ସମୁଦ୍ର ଭିତରକୁ ଯିବାକୁ ବାରଣ  କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ର ଭିତରକୁ  ଯାଇଛନ୍ତି, ସେମାନେ ଶୀଘ୍ର ଫେରି ଆସିବାକୁ କୁହାଯାଇଛି । 

ବିଭିନ୍ନ ଆନ୍ତର୍ଜାତିକ ମଡେଲ୍‌ ବାରମ୍ବାର ସମ୍ଭାବ୍ୟ ବାତ୍ୟା ଓ ଗତିପଥ ନେଇ ଭିନ୍ନ ଭିନ୍ନ ପୂର୍ବାନୁମାନ  ଦେଖାଉଛନ୍ତି । ଇସିଏମ୍‌ଡବ୍ଲ୍ୟୁଏଫ୍‌ ମଡେଲ୍‌ ଦେଖାଉଛି, ଏହା ଓଡ଼ିଶା ଆଡ଼କୁ ମୁହାଁଇବ । ୨୪  ତାରିଖ ଅପରାହ୍ଣ ବେଳକୁ ଏହା ଓଡ଼ିଶା ଉପକୂଳ କଡ଼ରେ ଥିବ । ୨୫ ତାରିଖରେ ଓଡ଼ିଶା ଉପକୂଳ  ଛୁଇଁପାରେ । ମାତ୍ର ଏହା ବାତ୍ୟା ରୂପ ନେଇ ନ  ପାରେ । ଅବପାତ କିମ୍ବା ଗଭୀର ଅବପାତ ଅବସ୍ଥାରେ  ସ୍ଥଳଭାଗ ଛୁଇଁପାରେ । ପରବର୍ତ୍ତୀ ସମୟରେ ଏହା  ପଶ୍ଚିମ ଭାରତ ଆଡ଼କୁ ଯାଇପାରେ । 

ଜିଏଫଏସ୍‌ ମଡେଲ୍‌ର ଆକଳନ ଅନୁଯାୟୀ, ସମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେଇ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ଭିତରେ ପଶ୍ଚିମବଙ୍ଗରେ ମାଡ଼ ହୋଇପାରେ । ଏହାର ବଡ଼ ପ୍ରଭାବ କିନ୍ତୁ ଉତ୍ତର ଓଡ଼ିଶା ଉପରେ ପଡ଼ିପାରେ । ଇସି-ଏଆଇଏଫଏସ୍‌ ଅନୁସାରେ ସମ୍ଭାବ୍ୟ ବାତ୍ୟା ବିଶେଷ ଶକ୍ତିଶାଳୀ ନ ହୋଇପାରେ । ୨୫ ତାରିଖବେଳକୁ ଏହା ଉତ୍ତର ଓଡ଼ିଶା ପାଖ ଦେଇ  ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ଅଧିକରୁ ଅଧିକ ବର୍ଷା କରାଇପାରେ ।  ସିଏମସି ମଡେଲ୍‌ ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁପାରେ ଆସନ୍ତା ୨୫-୨୬ ତାରିଖବେଳକୁ । ନାଭଜେମ୍‌ ମଡେଲ୍‌ ଦେଖାଉଛି- ଆସନ୍ତା ୨୪ ତାରିଖ ରାତିରେ ବାତ୍ୟା ଓଡ଼ିଶାରେ ମାଡ଼ ହେବାର ସମ୍ଭାବନା ଅଛି । ଆଉ କିଛି ମଡେଲ୍‌ ଅନୁସାରେ ଏହା ପଶ୍ଚିମବଙ୍ଗ-ବାଂଲାଦେଶକୁ ଯାଇପାରେ । କିଛି ମଡେଲ୍‌ ଆନ୍ଧ୍ର ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ ଦେଖାଉଛନ୍ତି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.