ଆସାମରେ ବନ୍ୟା ବିତ୍ପାତ; ୨୯ ଜିଲ୍ଲାରେ ୨୧ ଲକ୍ଷ ଲୋକ ପ୍ରଭାବିତ, ୫୬ ମୃତ

Published By : Prameya-News7 Bureau | July 05, 2024 IST

ଦିଶପୁର: ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ । ମଣିପୁର, ଅରୁଣାଚଳ ପ୍ରଦେଶ ଓ ଆସାମରେ ବନ୍ୟା ସ୍ଥିତି ଉପୁଜିଛି । ଏମିତି କି ଏହି ରାଜ୍ୟଗୁଡ଼ିକରେ ସେନା ଉଦ୍ଧାର ଅଭିଯାନରେ ସାମିଲ  ହୋଇଛି । ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟା ପାଣି ପଶିଛି । ଫଳରେ ନ୍ୟାସନାଲ୍ ପାର୍କରେ ଗଣ୍ଡାଛୁଆ ଓ ହରିଣ ସମେତ ୧୭ ବନ୍ୟପ୍ରାଣୀ ପ୍ରାଣ ହରାଇଛନ୍ତି । ୭୨ ବନ୍ୟପ୍ରାଣୀକୁ ଉଦ୍ଧାର କରାଯାଇଛି । 

ଆସାମର ୨୯ ଜିଲ୍ଲାରେ ୧୬.୨୫ ଲକ୍ଷରୁ ଅଧିକ  ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବୁଧବାର ବନ୍ୟାଜଳରେ ବୁଡ଼ି ୮ ଜଣ ପ୍ରାଣ ହରାଇଥିଲେ । ସୋନିତପୁର, ଶିବସାଗର ଓ ଗୋଲାଘାଟରେ ଆଉ ୩ ଜଣ ବନ୍ୟାସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି ।   ରାଜ୍ୟରେ ବନ୍ୟା, ଭୂସ୍ଖଳନ ଓ ଝଡ଼ତୋଫାନରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ଅନ୍ୟପକ୍ଷରେ ବିହାରର ସିୱାନ ଓ ସାରଣ  ଜିଲ୍ଲାରେ ବୁଧବାର ଦିନକରେ ୬ଟି ପୋଲ ଭୁଶୁଡ଼ି  ପଡ଼ିଛି । ୪ଟି ଗଣ୍ଡକ ନଦୀ ଓ ୨ଟି ଧମହି  ନଦୀ ଉପରେ ନିର୍ମିତ ହୋଇଥିଲା । ଗତ ୧୫ ଦିନ  ମଧ୍ୟରେ ରାଜ୍ୟରେ ପୋଲ ଭୁଶୁଡ଼ିବାର ୧୧ଟି ଘଟଣା ସାମ୍ନାକୁ ଆସିଲାଣି । 

ଏହା ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ  ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର,  ସିକ୍କିମ, ଉତ୍ତର ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ଆସାମ, ନାଗାଲାଣ୍ଡ, ତ୍ରିପୁରା ଓ  ମିଜୋରାମରେ ଅତି ପ୍ରବଳ ବୃଷ୍ଟିପାତ ନେଇ ପୂର୍ବାନୁମାନ  କରିଥିଲା । ସେହିଭଳି ଓଡ଼ିଶା ସମେତ ଜମ୍ମୁ-କାଶ୍ମୀର, ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ,  ମଧ୍ୟ ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ରାଜସ୍ଥାନ,  ମହାରାଷ୍ଟ୍ର, ଗୁଜରାଟ, ଗୋଆ, କର୍ଣ୍ଣାଟକ, କେରଳରେ  ପ୍ରବଳ ବୃଷ୍ଟିପାତ ନେଇ ଆଲର୍ଟ ଜାରି ହୋଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.