ନୂଆଦିଲ୍ଲୀ,୧୫/୦୨: କିଏ ହେବେ ଦିଲ୍ଲୀ ମୁଖିଆ ? ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ । ଏହାକୁ ନେଇ ସସ୍ପେନ୍ସ ଜାରି ରହିଛି । ବିଜେପି ହାଇକମାଣ୍ଡ ଗ୍ରୀନ୍ ସିଗନାଲ୍ ପରେ ଦିଲ୍ଲୀରେ ଶପଥ ଗ୍ରହଣ ଉତ୍ସବ ହେବ । ଏପଟେ ଆସନ୍ତା ଫେବ୍ରୁଆରୀ ୧୯ରେ ଦିଲ୍ଲୀକୁ ନୂଆ ମୁଖିଆ ମିଳିବ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରୁ ଫେରିବା ପରେ ଫେବ୍ରୁଆରୀ ୧୭ ଓ ୧୮ ତାରିଖରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି ମିଟିଂରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ୬ ମନ୍ତ୍ରୀଙ୍କ ନାଁରେ ମୋହର ଲାଗିବାର ସମ୍ଭାବନା ରହିଛି । ଏହା ପରେ ୧୯ରେ ନୂଆ ସରକାର ଗଠନ ହେବ ବୋଲି ଚର୍ଚ୍ଚା ହେଉଛି।
ନୂଆ ସରକାରରେ ଜଣେ କିମ୍ବା ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି । ଜବାହରଲାଲ ନେହରୁ ଷ୍ଟାଡିୟମ କିମ୍ବା ରାମଲୀଳା ମୈଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ବିଜେପି ଏହି ଶପଥ ସମାରୋହକୁ ମାହା ଆଡମ୍ବରରେ କରିବାକୁ ନିଷ୍ପତ୍ତି ନେଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୋଟ୍ ୭୦ ଆସନରୁ ବିଜେପିକୁ ୪୮ଟି ଆସନ ହାସଲ କରିଛି । ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ବିଜେପି ଦୀର୍ଘ ୨୭ ବର୍ଷ ପରେ ସରକାର ଗଢ଼ିବାକୁ ଯାଉଛି । ଅନ୍ୟପକ୍ଷରେ ୨୦୧୩ରୁ କ୍ଷମତାରେ ଥିବା ଆମ୍ ଆଦ୍ମୀ ପାର୍ଟିକୁ ୨୨ଟି ଆସନ ମିଳିଛି ।