ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଏଯାଏ ସ୍ପଷ୍ଟ ହୋଇନାହିଁ । ହେଲେ ଶପଥ ଗ୍ରହଣ ଉତ୍ସବ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଦିଲ୍ଲୀର ରାମଲୀଳା ମୈଦାନରେ ନୂଆ ସିଏମ୍ ଶପଥ ନେବେ । ଦିଲ୍ଲୀ ଉପ-ରାଜ୍ୟପାଳ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏନେଇ ପୂର୍ବରୁ ତାରିଖ ଏବଂ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ ଏହାକୁ ଏବେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଆସନ୍ତା ଫେବ୍ରୁଆରୀ ୨୦ ତାରିଖ ସାଢ଼େ ୪ଟା ବଦଳରେ ଶପଥ ଉତ୍ସବ ବଦଳରେ ସେହି ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ହେବ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଦିଲ୍ଲୀ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ରେଜଲ୍ଟ ଘୋଷଣା ହୋଇଛି । ଏଥିରେ ବିଜେପି ୪୮ ଆସନ ମିଳିଥିବା ବେଳେ ମାତ୍ର ୨୨ ଆସନରେ ଆମ୍ ଆଦମୀ ପାର୍ଟିକୁ ମିଳିଛି । ନିର୍ବାଚନ ଫଳ ବାହାରିବାକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇନାହିଁ । ତେବେ ଆସନ୍ତାକାଲି ଅର୍ଥାତ୍ ଫେବ୍ରୁଆରୀ ୧୯ ତାରିଖରେ ବିଜେପିର ବିଧାୟକ ଦଳ ବୈଠକ ବସିବ ଏବଂ ଏହାପରେ ସିଏମଙ୍କ ନାଁ ଘୋଷଣା କରାଯିବ । ୨୦ ତାରିଖରେ ଶପଥ ନେବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଦିଲ୍ଲୀ ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମେତ ବହୁ ବରିଷ୍ଠ ନେତା ସାମିଲ ହେବେ । ସେହିପରି ୨୦ ରାଜ୍ୟର ମଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଭିଭିଆଇପିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାମଲୀଳା ମୈଦାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।