ସନ୍ଧ୍ୟାରେ ହୋଇପାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଘୋଷଣା, ବିଧାୟକ ଦଳ ବୈଠକ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ

Published By : Prameya-News7 Bureau | February 19, 2025 IST

ନୂଆଦିଲ୍ଲୀ ୧୯।୨: ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ୧୧ ଦିନ ପରେ ଅର୍ଥାତ ବୁଧବାର ଦିଲ୍ଲୀକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଯାଇ ପାରନ୍ତି। ବିଜେପିର ନବ ନିର୍ବାଚିତ ବିଧାୟକଙ୍କ ବୈଠକ ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଏହି ବୈଠକରେ ବିଧାୟକ ଦଳ ନେତା ଚୟନ ହୋଇପାରେ ବୋଲି ଆକଳନ କରାଯାଉଛି। ବିଧାୟକ ଦଳ ନେତା ମନୋନୟନ ନିମନ୍ତେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ହରିୟାଣାର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଓମ ପ୍ରକାଶ ଧନଖଡଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। 

ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ବିଧାୟକ ଦଳ ନେତା ନିର୍ବାଚନ ନିମନ୍ତେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତିକୁ ସ୍ୱାଗତ କରିଛନ୍ତି। ଏହି ବୈଠକ ପାର୍ଟି କାର୍ଯ୍ୟାଳୟରେ ସନ୍ଧ୍ୟା ୭ଟା ବେଳେ ଅନୁଷ୍ଠିତ ହେବ। ବୈଠକରେ ବିଧାୟକ ଦଳ ନେତା ମନୋନୟନ ହୋଇଗଲେ ୨୦ ଫେବୃଆରୀ ଗୁରୁବାର ରାମଲିଳା ମୈଦାନରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେବେ। ଏଥି ପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି। 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ଏବେ ଯେଉଁ ନେତାମାନଙ୍କ ନାମ ଚର୍ଚ୍ଚାରେ ରହିଛି ସେମାନଙ୍କ ମଧ୍ୟରେ ପ୍ରବେଶ ବର୍ମା, ପୂର୍ବତନ ବିରୋଧୀ ଦଳ ନେତା ବିଜେନ୍ଦ୍ର ଗୁପ୍ତା, ନୂଆଦିଲ୍ଲୀ ନଗରପାଳିକା ପରିଷଦର ପୂର୍ବତନ ଉପାଧ୍ୟକ୍ଷ ସତୀଶ ଉପାଧ୍ୟାୟ, ପୂର୍ବତନ ପ୍ରଦେଶ ସଙ୍ଗଠନ ମହାନ୍ତ୍ରୀ ପବନ ଶର୍ମା, ଜମ୍ମୁ-କାଶ୍ମୀର ଓ ଗୋଆର ସହ ପ୍ରଭାରୀ ଆଶିଷ ସୁଦ, ବିଜେପି ଜାତୀୟ ସାଧାରଣ ସମ୍ପାଦକ ମନଜିନ୍ଦର ସିଂହ ସିରସା, ରେଖା ଗୁପ୍ତା, ଶିଖା ରାୟ, ଅଜୟ ମହାବର, ଜିତେନ୍ଦ୍ର ମହାଜନ, ରବିନ୍ଦ୍ର ଇନ୍ଦ୍ରାଜ, କୈଳାଶ ଗଙ୍ଗୱାଲ ଓ କର୍ଣ୍ଣଲ ସିଂହ ସୈନୀଙ୍କ ନାମ ଆଗରେ ଚାଲିଛି। ଯଦି କୌଣସି ସାଂସଦଙ୍କୁ ଏହି ଦାୟିତ୍ୱ ଦିଆଯାଏ ତେବେ ଏଥିରେ ମନୋଜ ତିୱାରୀଙ୍କ ପାଳି ମଧ୍ୟ ପଡିପାରେ। 

ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାର୍ଟିର ଜାତୀୟ ସଭାପତି ଜେ.ପି.ନଡ୍ଡା, କେନ୍ଦ୍ରମନ୍ତ୍ରୀ, ବିଜେପି ପଦାଧିକାରୀ ଓ ଅନ୍ୟ ନେତାଙ୍କ ସମେତ ଏନଡିଏ ଶାସିତ ରାଜ୍ୟଙ୍କ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଜେପି କାର୍ଯ୍ୟକର୍ତ୍ତା ଓ ଅଲଗା ଅଲଗା କ୍ଷେତ୍ରର ବିଶିଷ୍ଟ ଲୋକେ ଯୋଗ ଦେବେ। ଏଥି ପାଇଁ ଶପଥଗ୍ରହଣ ସମାରୋହର ଦାୟିତ୍ୱ ନେଇଥିବା ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାବଡେ ଓ ତରୁଣ ଚୁଘଙ୍କ ସହିତ ଦିଲ୍ଲୀ ବିଜପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ବୁଧବାର ରାମଲିଳା ମୈଦାନ ନିରୀକ୍ଷଣ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.