ନୂଆଦିଲ୍ଲୀ ୧୬।୨: ଦିଲ୍ଲୀ ସରକାର ଗଠନ ନେଇ ବଡ଼ ଖବର ସାମ୍ନାକୁ ଆସୁଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫେବୃଆରୀ ୧୮ରେ ନୂଆ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ହୋଇପାରେ। ସୂଚନା ଅନୁସାରେ ଶପଥପାଠ ଉତ୍ସବ ରାମଲିଳା ମୈଦାନରେ ହେବ। ତେବେ ଏହା ପୂର୍ବରୁ ଫେବୃଆରୀ ୧୭ ତାରିଖଦିନ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ନିଷ୍ପତ୍ତି ନିଆ ଯାଇପାରେ।
ଷଷ୍ଠଥର ବିଧାୟକ ନିର୍ବାଚିତ ହୋଇଥିବା ମୋହନ ସିଂହ ବିଷ୍ଟ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଚୟନ ନିର୍ବାଚିତ ୪୮ ବିଧାୟକଙ୍କ ମଧ୍ୟରୁ ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଶାସନ ପାଖାପାଖି ୨୭ ବର୍ଷ ପରେ ବିଜେପି ହାତକୁ ଯାଇଛି। ୭୦ ସଦସୀୟ ବିଧାନସଭାରେ ବିଜେପିକୁ ୪୮ଟି ଆସନ ମିଳିଛି। ଲଗାତାର ୧୦ ବର୍ଷ ହେଲା ଶାସନରେ ଥିବା ଆମ ଆଦମୀ ପାର୍ଟିକୁ ୨୨ଟି ଆସନ ମିଳିଛି। ତେବେ ଲଗାତାର ତୃତୀୟବାର କଂଗ୍ରେସ ଦିଲ୍ଲୀରେ ଖାତା ଖୋଲିପାରି ନାହିଁ। ବିଜେପି ସମ୍ମୁଖରେ ଏବେ ନୂଆ ସରକାର ଗଠନ ସହିତ ଅନେକ ଚ୍ୟାଲେଞ୍ଜ ରହିଛି। ତେବେ ଆମ ଆଦମୀ ପାର୍ଟି କହିଛି ବିଜେପି ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ଯେପରି ପୁରଣ କରେ ତାହା ଆମେ ନିଶ୍ଚିତ କରିବୁ।