ବିଷ ବଳୟରେ ରାଜଧାନୀ,ଜାଣନ୍ତୁ ଆଗାମୀ ସପ୍ତାହେ କେମିତି ରହିବ ସ୍ଥିତି

Published By : Prameya-News7 Bureau | October 20, 2024 IST

ନୂଆଦିଲ୍ଲୀ ୨୦/ ୧୦: ଶୀତ ଆରମ୍ଭରୁ ଦିଲ୍ଲୀରେ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ । ବାୟୁର ମାନ ଅତ୍ୟନ୍ତ ଖରାପ । ବିଷ ବଳୟରେ ରାଜଧାନୀ । ଧୂଳି ଧୂଆଁରେ ଅଣନିଶ୍ବାସୀ ଦିଲ୍ଲୀ ବାସୀ । ଦିଲ୍ଲୀ-ଏନ୍‌ସିଆର୍‌, ଆନନ୍ଦ ବିହାର, ରୋହିଣୀ ଓ ନୋଏଡାରେ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ରବିବାର ମଧ୍ୟ ଦିଲ୍ଲୀର ଅନେକ ସ୍ଥାନରେ ବାୟୁର ଗୁଣବତ୍ତା ସୂଚକାଙ୍କ ବା AQI ୩ଶହ ଅତିକ୍ରମ କରିଛି ।

ଏପଟେ ଦିଲ୍ଲୀ ପ୍ରଦୂଷଣକୁ ନେଇ ରାଜନୀତି ଜୋର୍‌ । ଯାହାକୁ ପ୍ରସଙ୍ଗ କରି ଆପ୍‌ ଉପରେ ବର୍ଷିଛି ବିଜେପି । ପ୍ରଦୂଷଣର ହଟ୍‌ସ୍ପଟ ହୋଇଥିବା ଆନନ୍ଦବିହାରକୁ ଗସ୍ତ କରି ସ୍ଥିତି ପରଖିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାଏ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୩୨୫ଟି ସ୍ମଗ ଗନ ଲଗାଯିବା ସହ ୯୯ଟି ଟିମ୍‌ ଗଠନ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ମର୍ଲେନା । ସ୍ଥିତି ସଂଗୀନ ହେଉଥିବାରୁ ଖୁବ ଶୀଘ୍ର GRAP-2 କଟକଣା ଲାଗୁ କରିବାକୁ ପ୍ଲାନ କରୁଛନ୍ତି ଦିଲ୍ଲୀ ସରକାର । 

ଦିଲ୍ଲୀରେ କୁହୁଡ଼ି ମିଶ୍ରିତ ବହଳ ଧୂଆଁର ସ୍ତର ଦେଖିବାକୁ ମିଳିଛି । ଅଧିକାଂଶ ସ୍ଥାନର AQI ୨୫୦ରୁ ୩୦୦ ମଧ୍ୟରେ ରହିଛି, ଯାହା ଚିନ୍ତାଜନକ ସ୍ଥିତି । ଶୂନ୍ୟରୁ ୫୦ ମଧ୍ୟରେ AQIକୁ ‘ଭଲ’ ଶ୍ରେଣୀ ବୋଲି କୁହାଯାଉଥିବା ବେଳେ, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦ରୁ ୩୦୦’ ଖରାପ’, ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’ ଏବଂ ୪୦୧ରୁ ୫୦୦ ‘ସାଂଘାତିକ’ ବୋଲି ବିବେଚନା କରାଯାଏ । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୪ ଦିନ ପ୍ରଦୂଷଣ ସ୍ଥିତି ଗମ୍ଭୀର ରହିବ । ଯାହା ଦିଲ୍ଲୀବାସୀଙ୍କ ଚିନ୍ତା ବଢାଇଛି ।  

 

  • delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.