କାନାଡାର ଟରଣ୍ଟୋ ବିମାନ ବନ୍ଦରରେ ବଡ଼ ଅଘଟଣ, ଲ୍ୟାଣ୍ଡିଂ ବେଳେ ଓଲଟି ପଡ଼ିଲା ବିମାନ, ୧୮ ଯାତ୍ରୀ ଆହତ

Published By : Prameya-News7 Bureau | February 18, 2025 IST

ନୂଆଦିଲ୍ଲୀ: କାନାଡାର ଟରଣ୍ଟୋ ବିମାନ ବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଲ୍ୟାଣ୍ଡିଂ ସମୟରେ ଡେଲ୍ଟା ଏୟାରଲାଇନର ବିମାନ ଓଲଟି ପଡ଼ିଛି । ସୂଚନା ଅନୁସାରେ ରନୱେ ବରଫରେ ଆଚ୍ଛାଦିତ ହୋଇଥିବାରୁ ବିମାନ ଓଲଟିପଡ଼ିଛି । ବିମାନରେ ୮୦ଜଣ ଯାତ୍ରା କରୁଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ୭୬ଜଣ ଯାତ୍ରୀ ଥିବାବେଳେ ୪ ବିମାନ ସଦସ୍ୟ ଅଛନ୍ତି । ଡେଲ୍ଟା ଏୟାରଲାଇନର ଏହି ବିମାନରେ ମିନିୟାୋଲିସରୁ ଟରଣ୍ଟୋ ଗସ୍ତ କରୁଥିଲା । ଅବତରଣ ବେଳେ ବିମାନ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ଏମର୍ଜେନ୍ସି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସବୁ ଯାତ୍ରୀଙ୍କୁ ବାହାର କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ୧୮ଜଣଙ୍କ ଆହତ ହୋଇଛନ୍ତି । 

ବିମାନ ଦୁର୍ଘଟଣା ବେଳର ଏକ ଭିଡିଓ ସାମନାକୁ ଆସିଛି । ଏଥିରେ ବରଫରେ ଆଚ୍ଛାଦିତ ରନୱେରେ ବିମାନ ଅବତରଣ କରୁଥିବା ଦେଖିବାକୁ ମିଳୁଛି । ଦେଖୁ ଦେଖୁ କଳା ଧୂଆଁ ବାହାରିଥିଲା ଓ ବିମାନର ପଛ ଭାଗରେ ନିଆଁ ଲାଗି ଯାଇଥିଲା । ତେବେ ସୌଭାଗ୍ୟକୁ ତତକ୍ଷଣାତ୍ ଦମକଳ ବାହିନୀ କର୍ମୀ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ବିମାନ ବନ୍ଦରର ଜଣେ ଅଧିକାରୀ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ ଏହି ଦୁର୍ଘଟଣା ପରେ ବିମାନ ବନ୍ଦର ଦେଇ ଅନ୍ୟ ସବୁ ବିମାନର ଉଡାଣ ଏବଂ ଅବତରଣକୁ ବାତିଲ କରାଯାଇଛି ।  

ଡେଲ୍ଟା ଏୟାରଲାଇନ୍ ଦ୍ୱାରା ଏକ୍ସରେ ପୋଷ୍ଟରେ ବିମାନ ଦୁର୍ଘଟଣାର ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଡେଲ୍ଟା ଏୟାରଲାଇନର ବିମାନ ୪୮୧୯ ସ୍ଥାନୀୟ ସମୟ ଅନୁସାରେ, ସୋମବାର ପ୍ରାୟ ୨.୧୫ ମିନିଟରେ ଟରଣ୍ଟୋ ପିୟର୍ସନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଦୁର୍ଘଟଣାର ଶିକାର ହୋଇଛି । ଏହି ବିମାନ ମିନିୟାୋଲିସ-ସେଣ୍ଟ ପଲ୍ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ଟରଣ୍ଟୋ ଆସୁଥିଲା । ପ୍ରାଥମିକ ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ କୌଣସି ଜୀବନହାନି ହୋଇନାହିଁ । ତେବେ ୧୮ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡେଲ୍ଟା ଏୟାରଲାଇନ ପକ୍ଷରୁ ଯାତ୍ରୀଙ୍କ ବିଷୟରେ ଜାଣିବା ପାଇଁ ହେଲ୍ପଲାଇନ କେନ୍ଦ୍ର ଖୋଲାଯାଇଛି । କାନାଡା ଲୋକଙ୍କ ପାଇଁ ୧-୮୬୬-୬୨୯-୪୭୭୫ ଏବଂ ଆମେରିକା ଯାତ୍ରୀଙ୍କ ପାଇଁ ୧-୮୦୦-୯୯୭-୫୪୫୪ ନମ୍ୱର ଜାରି କରାଯାଇଛି ।



 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.