ଦାରିଙ୍ଗବାଡ଼ି ୨୪।୭: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ଅତିରିକ୍ତ ତହସିଲଦାର ନିଯୁକ୍ତ କରିବା ପାଇଁ ଦାବି । ବ୍ରାହ୍ମଣୀଗାଁ ୧୧ ନମ୍ବର ଜୋନ୍ ଅନ୍ତର୍ଗତ ୮ ପଞ୍ଚାୟତ ଜନପ୍ରତିନିଧି ମାନେ ମଙ୍ଗଳବାର କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି l
ସୂଚନାଯୋଗ୍ୟ ଯେ, କନ୍ଧାମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ୮ଟି ପଞ୍ଚାୟତବାସୀ ଅତି ଦୁର୍ଗମ ଅଞ୍ଚଳ ତଥା ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଭାବେ ପରିଚିତ ବ୍ରାହ୍ମଣୀଗାଁ ସମେତ ସରାମୂଳି, ଗଦାପୁର, ତାଜୁଙ୍ଗିଆ, ହାତୀମୁଣ୍ଡା, ଝିଞ୍ଜିରିଗୁଡା, କୁମ୍ଭାରୀଗାଁ, କାଟିଙ୍ଗିଆ ପଞ୍ଚାୟତ ଓ ଏହାର ଆଭ୍ୟନ୍ତରୀଣ ଗ୍ରାମ ଗୁଡ଼ିକ ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ୪୦ରୁ ୭୦କି.ମି. ଦୂରରେ ରହିଛି l ମିଞ୍ଜାପଙ୍କା, ସାଲବା, ରାମ୍ବୁଲି , ହରଗୁଡ଼ା ଆଦି ଗ୍ରାମରୁ ଅତ୍ୟାବଶ୍ୟକୀୟ କାର୍ଯ୍ୟ ପାଇଁ ବ୍ଲକ୍ କିମ୍ବା ତହସିଲ କାର୍ଯ୍ୟାଳୟକୁ ଯାଇ ଫେରିବା ପାଇଁ ଯିବାକୁ ହେଲେ ଦିନରୁ ୨ ଦିନ ଲାଗିଥାଏ l ଲୋକସଂଖ୍ୟା ଦୃଷ୍ଟିରୁ ଏହି ୮ଟି ପଞ୍ଚାୟତର ୫୦ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଦିନ ମଜୁରିଆ ଭାବେ କାମ କରନ୍ତି l ବ୍ଲକ କାର୍ଯ୍ୟାଳୟ ଠାରୁ ଅନେକ ଗ୍ରାମ ଅପହଞ୍ଚ ଇଲାକାରେ ରହୁଥିବାରୁ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ପହଞ୍ଚିପାରୁ ନଥିବା ବେଳେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଲୋକ । ବିଶେଷ କରି ପିଲାଙ୍କ ଭବିଷ୍ୟତ ପାଠପଢା ଓ ବିଭିନ୍ନ ସରକାରୀ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଜାତିଗତ ପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଆୟ ପ୍ରମାଣ ପତ୍ର, ଜମି ବନ୍ଦୋବସ୍ତ, ଜମି ଚିହ୍ନଟ ଓ ଡିମାର୍କେସନ ଆଦି କାର୍ଯ୍ୟ ପାଇଁ ବାରମ୍ବାର ଦାରିଙ୍ଗବାଡ଼ି ତହସିଲ ଅଫିସକୁ ଯାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ଏ ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୦୭ ମସିହାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ପରେ ୨୦୧୦ ମସିହାରେ ତତକାଳୀନ ଜିଲ୍ଲାପାଳ ମନୀଷ ବର୍ମା ଜଣେ ଅତିରିକ୍ତ ତହସିଲଦାର ପ୍ରତାପ ପ୍ରଧାନଙ୍କୁ ବ୍ରାହ୍ମଣୀଗାଁରେ ନିଯୁକ୍ତ କରିଥିଲେ l କିନ୍ତୁ କିଛି ମାସ କାର୍ଯ୍ୟ କରିବା ପରେ ତାଙ୍କର ବଦଳି ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନଟି ଖାଲି ପଡିଛି l ଯାହାଦ୍ୱାରା ଲୋକେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ପୁନର୍ବାର ଜଣେ ଅତିରିକ୍ତ ତହସିଲଦାରଙ୍କୁ ବ୍ରାହ୍ମଣୀଗାଁରେ ନିଯୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ୮ଟି ପଞ୍ଚାୟତର ଜନପ୍ରତିନିଧି ମାନେ ଦାବିପତ୍ର ପ୍ରଦାନ କରିଛନ୍ତି l
You Can Read:
ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଭିତରର ଫଟୋ ଭାଇରାଲ୍, ଫଟୋ ସୁଟ୍କୁ ବ୍ରାହ୍ମଣ ନିଯୋଗର ନିନ୍ଦା