ସବୁଠୁ ଦୁର୍ନୀତିମୁକ୍ତ ବା ସ୍ୱଚ୍ଛ ରାଷ୍ଟ୍ର, କାହିଁକି ପାଲଟିଲା ବିଶ୍ୱର ବିଶ୍ୱସ୍ତ ଦେଶ

Published By : Prameya-News7 Bureau | February 14, 2025 IST

ନୂଆଦିଲ୍ଲୀ ୧୪/୦୨: ପ୍ରକାଶ ପାଇଛି ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ମାନଙ୍କ ତାଲିକା। ତାଲିକାରେ ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ୧୩୫ ତମ ସ୍ଥାନରେ ରହିଛି। ବିଶ୍ବର ୧୮୦ ରାଷ୍ଟ୍ରଙ୍କୁ ନେଇ ଏହି ତାଲିକା ପ୍ରକାଶ କରାଯାଇଛି। ବିଭିନ୍ନ ମାନକକୁ ନେଇ ପଏଣ୍ଟ ପ୍ରଦାନ କରାଯାଇଥାଏ। ସବୁଠାରୁ ଖରାପକୁ ୦ ଓ ସବୁଠାରୁ ଭଲକୁ ୧୦୦ ମାକ ଦିଆଯାଇଥାଏ। 

ମାର୍କ ଆଧାରରେ ଏହି ରାଙ୍କିଙ୍ଗ ତାଲିକା ପ୍ରକାଶ କରାଯାଇଥାଏ। ୨୦୨୪ ବର୍ଷ ପାଇଁ ମଧ୍ୟ କରପସନ ପେର୍ସପ୍ସନ ଇଣ୍ଡେକ୍ସ (ସିପିଆଇ) ପ୍ରସ୍ତୁତ କରାଯାଇଥିଲା। ତେବେ ସବୁଠୁ ଦୁର୍ନୀତିମୁକ୍ତ ବା ସ୍ୱଚ୍ଛ ରାଷ୍ଟ୍ର ପାଲଟିଛି ଡେନ୍ମାର୍କ । କାହିଁକି ପାଲଟିଲା ବିଶ୍ୱର ବିଶ୍ୱସ୍ତ ଦେଶର । ଆସନ୍ତୁ ଜାଣିବା ଏହା ପଛର କାରଣ...

ଦେଶ ଦୁର୍ନୀତି ମୁକ୍ତ । ୭୪ ପ୍ରତିଶତ ଲୋକେ ଭାରି ବିଶ୍ୱସ୍ତ । ଦୋକାନରେ ଲାଗେନି ତାଲା, ତଥାପି ସୁରକ୍ଷିତ । ଏମାନେ ସହଜରେ ଅଜଣା ଲୋକଙ୍କୁ ବି କରନ୍ତି ବିଶ୍ୱାସ । ଫଳରେ ଅନ୍ୟ ଦେଶରେ ବି ଥାଏ ପାରସ୍ପରିକ ବିଶ୍ୱାସ । ଅନ୍ତର୍ଜାତୀୟ ସର୍ଭେରେ, ଡେନମାର୍କକୁ ସାଧାରଣତଃ ବିଶ୍ୱର ସବୁଠାରୁ ଖୁସି ଦେଶ ମଧ୍ୟରୁ ଗୋଟିଏ ଭାବରେ ସ୍ଥାନିତ କରାଯାଏ। ଏହା ପଛର ବି ରହିଛି କାରଣ । ସର୍ଭେ କୁହେ ଏଠାକାର ଶିକ୍ଷା ବ୍ୟବସ୍ଥା ବେଶ୍ ଭଲ । ଘରେ ଘରେ ଏଠି ଉଚ୍ଚଶିକ୍ଷିତ । 


କାରଣ ମାଗଣାରେ ପାଠପଢ଼ା ସୁବିଧା ମିଳେ । କେବଳ ପାଠ ନୁହେଁ ସ୍ୱାସ୍ଥ୍ୟସେବା ସାର୍ବଜନୀନ । ଖାଲି ସେତିକି ନୁହେଁ ଡେନମାର୍କରେ ଉଚ୍ଚ ସ୍ତରର ସମାନତା ଏବଂ ସାମାଜିକ କଲ୍ୟାଣ ପାଇଁ ମିଳିତ ଦାୟିତ୍ୱର ଏକ ଦୃଢ଼ ଭାବନା ବି ରହିଛି । ଯଦିଓ ଡେନମାର୍କରେ ଏଗାରଟି ପ୍ରମୁଖ ରାଜନୈତିକ ଦଳ ଅଛନ୍ତି । ସେମାନଙ୍କ ମଧ୍ୟରୁ କେହି ଡେନମାର୍କ କଲ୍ୟାଣ ରାଷ୍ଟ୍ରର ଉଚ୍ଛେଦକୁ ଗମ୍ଭୀରତାର ସହିତ ସମର୍ଥନ କରନ୍ତି ନାହିଁ।

ପରସ୍ପରକୁ ଜୋର ଜବରଦସ୍ତି ମକଦ୍ଦମା ଭିତରକୁ ଟାଣି ନିଅନ୍ତି ନାହିଁ। ଚୋରି, ଡକାୟତି ରୋକିବା ପାଇଁ ସେମାନଙ୍କ ଘର କିମ୍ବା କାରରେ ଲାଗେନି ଆଲାରାମ । ଅନେକ ଦୋକାନରେ ବି ଝୁଲେନି ତାଲା । ଦୋକାନ ପ୍ରବେଶ ପଥରେ ରୁହେ QR କୋଡ୍, ଫଳରେ ସ୍କାନ କଲେ , ଖୋଲିଯାଏ ଦ୍ୱାର । ଏମିତିକି ଦୋକାନରେ ମନ ମୁତାବକ ଜିନିଷ ବାଛି, କାଉଣ୍ଟରରେ ଟଙ୍କା ରଖି ଚାଲିଯାନ୍ତି ଲୋକେ । ନା କେହି ଜିନିଷ ଦେବାକୁ ରୁହନ୍ତି, ନା କଲେକ୍ସନ କରିବାକୁ । 

କେବଳ ସବୁକିଛି ଚାଲେ ଏଠି ବିଶ୍ୱାସ ଭରସାରେ । ଆହୁରି ଗୋଟିଏ ମଜ୍ଜାଦାର କଥା ହେଉଛି, ଅଭିଭାବକ ପିଲାଙ୍କୁ ରାସ୍ତାରେ ଛାଡି ଚାଲିଗଲେ ବି ସମସ୍ୟା ହୁଏନି । ପୋଲିସ କୋର୍ଟ କଚେରୀରେ ବି ଲୋକଙ୍କ ବିଶ୍ୱାସ ଅତୁଟ । ଖାସ୍ ସେଥିପାଇଁ ଡେନମାର୍କର ସରକାରୀ ୱେବସାଇଟ୍ ନିଜକୁ ଲ୍ୟାଣ୍ଡ ଅଫ୍ ଟ୍ରଷ୍ଟ ବୋଲି ଦାବି କରେ ।

ଡେନ୍‌ମାର୍କ ବିଶ୍ୱର ସବୁଠାରୁ ଧନୀ ଦେଶମାନଙ୍କ ମଧ୍ୟରେ ଗଣାଯାଏ । ଏଠାକାର GDP ଅଧିକାଂଶ ୟୁରୋପୀୟ ଦେଶ ଅପେକ୍ଷା ଭଲ। ଏହା ବ୍ୟତୀତ, ସରକାର ନାଗରିକମାନଙ୍କର ଅନେକ ଖର୍ଚ୍ଚ ମଧ୍ୟ ବହନ କରନ୍ତି। ୧୪ ବର୍ଷ ବୟସ ପରେ, ପିଲାମାନେ ଯାଇଥାନ୍ତି ବୋର୍ଡିଂ ସ୍କୁଲ । ଯେଉଁଠି ସରକାର ବହନ କରନ୍ତି ସବୁପ୍ରକାର ଶିକ୍ଷା ଖର୍ଚ୍ଚ । ବିଶ୍ୱବିଦ୍ୟାଳୟର ବି ନଥାଏ  କୌଣସି ପାଠପଢା ଦେୟ । ଛାତ୍ରଛାତ୍ରୀମାନଙ୍କୁ ଭଲ ଆର୍ଥିକ ସହାୟତା ମିଳେ । ଖାସ୍ ସେଥିପାଇଁ ଡେନମାର୍କ ୯୦ ପଏଣ୍ଟ ସହିତ ଲଗାତାର ସପ୍ତମ ବର୍ଷ ପାଇଁ ରହିଛି ଶୀର୍ଷରେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.