ପାରାଦୀପରେ ହେବ ଡିଏଫସି ଓ ଡାଉନଷ୍ଟ୍ରିମ ୟୁନିଟ୍, ଓଡ଼ିଶା ସରକାର ଓ IOCL ମଧ୍ୟରେ ୫୮,୦୪୨ କୋଟିର MOU ସ୍ୱାକ୍ଷରିତ

Published By : Prameya-News7 Bureau | April 09, 2025 IST

ଭୁବନେଶ୍ଵର: ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ମିଶନ ଏବଂ ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଓଡ଼ିଶା ସରକାର  ପ୍ରାୟ ୭୦ ହଜାର କୋଟି ଟଙ୍କା ମେଗା ପ୍ରକଳ୍ପ ମୂଲ୍ୟର ୩ଟି ପୃଥକ ପୃଥକ ଏମଓୟୁ ସ୍ୱାକ୍ଷରିତ ହୋଇଛି  । ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଓଡ଼ିଶାର ଶିଳ୍ପ ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଉପସ୍ଥିତି ଥିଲେ। 

ପାରାଦୀପ ଠାରେ ମେଗା ଡୁଆଲ ଫିଡ୍ କ୍ରାକର(ଡିଏଫସି) ଏବଂ ଏହାର ଡାଉନଷ୍ଟ୍ରିମ ୟୁନିଟ୍ ପାଇଁ  ଓଡ଼ିଶା ସରକାର ଏବଂ ଆଇଓସିଏଲ ମଧ୍ୟରେ୫୮ ହଜାର ୪୨ କୋଟିର ଏମଓୟୁ ସ୍ୱାକ୍ଷରିତ ହୋଇଛି। ପାରାଦୀପରେ ପେଟ୍ରୋକେମିକାଲ୍ସର ବିକାଶ ଓ ଅଭିବୃଦ୍ଧି ପାଇଁ ଶ୍ରୀ ପ୍ରଧାନ ୨୦୧୪ ସେପ୍ଟେମ୍ବର ୧୨ରେ ପୂର୍ବରୁ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିବା ସହ ଏକ ପ୍ରାରମ୍ଭିକ ମୂଳଦୁଆ ସ୍ଥାପନ କରିଥିଲେ । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାରେ ତୈଳ ଗ୍ୟାସ ପାଇପଲାଇନ, ବିଶେଷ ତୈଳ ଭଣ୍ଡାର ନିର୍ମାଣ, ଏଲଏନଜି, ଏଲପିଜି ଟର୍ମିନାଲ ଆଦି କ୍ଷେତ୍ରରେ ପୁଞ୍ଜିନିବେଶ ହେବା ନେଇ ରୋଡମ୍ୟାପ୍ ଉପରେ ଆଲୋଚନା କରିଥିଲେ ।

ଏହି ମେଗା ଡୁଆଲ ଫିଡ୍ କ୍ରାକର(ଡିଏଫସି) ଏବଂ ଏହାର ଡାଉନଷ୍ଟ୍ରିମ ୟୁନିଟ୍ ପେଟ୍ରୋକେମିକାଲ୍ସର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରି ଏବଂ ଭାରତର ପେଟ୍ରୋକେମିକାଲ୍ସ ଉଦ୍ୟୋଗକୁ ସୁଦୃଢ କରିବ । ଏହି ପ୍ରକଳ୍ପ ପାରାଦୀପ ପେଟ୍ରୋଲିୟମ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ନିବେଶ କ୍ଷେତ୍ରର ପ୍ରଗତିକୁ ତ୍ୱରାନ୍ୱିତ କରିବ । 

ଫେନଲ, ଆଇସୋପ୍ରୋପାଇଲ, ଆଲକହଲ, PVC, LLDPE, PP, HDPE ଏବଂ ବୁଟାଡାଇନ୍ ଭଳି ବିଶିଷ୍ଟ ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡିକର ସୁବିଶାଳ ସଂଗ୍ରହ ପୂର୍ବ ଭାରତର କ୍ଷୁଦ୍ର ଉଦ୍ୟୋଗଗୁଡିକୁ ବିକଶିତ କରିବ । ଓଡ଼ିଶାରେ ଏମଏମଏମଇ ଗୁଡିକର ବିକାଶ ତ୍ୱରାନ୍ୱିତ, ନିଯୁକ୍ତି ସୃଷ୍ଟି, ରାଜସ୍ୱ ବୃଦ୍ଧି ଏବଂ ଔଦୋଗିକ ନିବେଶକୁ ପ୍ରୋତ୍ସାହିତ କରିବ । ଏହି ଆଧୁନିକ ପେଟ୍ରୋକେମିକାଲ୍ସ ହବ୍ ଶିଳ୍ପ ବିକାଶକୁ ଗତି ଦେବ । ନିଯୁକ୍ତି ସୃଷ୍ଟି ଏବଂ ରାଜସ୍ୱ ବୃଦ୍ଧି କରିବା ସହ ରାଷ୍ଟ୍ରର ପ୍ରଗତି ଓ ସମୃଦ୍ଧିରେ ବିଶାଳ ଏବଂ ମହତ୍ୱପୂର୍ଣ୍ଣ ଯୋଗଦାନ ଦେବ ।    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.