ନବରଙ୍ଗପୁର ୧୩।୮: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଡ଼ାଇରିଆରେ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ । ବ୍ଲକର ଦଣ୍ଡସେନାଗୁଡା ଗ୍ରାମରେ ୫ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୯ ତାରିଖ ଦିନ ଜାନକୀ ଅମନାଟ୍ୟ ନବରଙ୍ଗପୁର ଜିଲ୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସେ ଘରକୁ ଫେରିବା ପରେ ତାଙ୍କ ମୃତ୍ୟୁ ହୋଇଥିଲା । ୧୧ ତାରିଖ ସନ୍ଧ୍ୟାରେ ନରସିଂହ ନାୟକ ନବରଙ୍ଗପୁର ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ତୁଳସା ଅମନାଟ୍ୟ ନାମକ ୬୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଛି । ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ସେହି ଗାଁରେ ପହଞ୍ଚି ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ସୂଚନା ମିଳିଛି ।
ତେବେ ମୃତକ ମାନଙ୍କ ସମ୍ପର୍କରେ ଏଡିଏମଓଙ୍କ କହିବା କଥା ଜଣଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଗାଁରେ ମେଡିକାଲ ଟିମ୍ ରହି ଚିକିତ୍ସା ଜାରି ରଖିଛନ୍ତି । ଗାଁରେ ଚିକିତ୍ସିତ ହେଉଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ୭ ବର୍ଷର ନାବାଳିକା ରହିଛନ୍ତି । ମେଡିକାଲ ଟିମ୍ ଗାଁରେ ରହି ଚିକିତ୍ସା ଜାରି ରଖିଥିବା ବେଳେ ଗାଁର ବିଭିନ୍ନ ସ୍ଥାନରୁ ପାଣି ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡିଛି । ପାଣି ପରୀକ୍ଷା ରିପୋର୍ଟ ଆସିବା ପରେ ଅଧିକ ଚିକିତ୍ସା କରାଯିବ ବୋଲି ଜଣାପଡିଛି ।
You Can Read: