ମହାରାଷ୍ଟ୍ରରେ NDAର ସିଟ୍ ସେୟାରିଂ ଚୂଡ଼ାନ୍ତ; ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଉପସ୍ଥିତିରେ ଛିଡ଼ିଲା ଭାଗବଣ୍ଟା

Published By : Prameya-News7 Bureau | October 20, 2024 IST

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ଭୋଟ୍ । ନିର୍ବାଚନ କମିଶନ ମତଦାନ ତାରିଖ ଘୋଷଣା କରିବା ପରେ ରାଜନୈତିକ ଉସ୍ମତା ବଢ଼ିଲାଣି । ସିଟ୍ ସେୟାରିଂ ନେଇ ବିଭିନ୍ନ ରାଜନୈତିକ ପାର୍ଟିମାନେ କସରତ ଆରମ୍ଭ କରି ଦେଲେଣି । ଶୁକ୍ରବାର ବିଳମ୍ବିତ ରାତିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ  ବାସଭବନରେ ଏନ୍‌ଡିଏର ମେଣ୍ଟ ମଧ୍ୟରେ ସିଟ୍ ଭାଗବଣ୍ଟା ହୋଇଛି । ସୂଚନା ମୁତାବକ, ରାଜ୍ୟର ୨୮୮ ବିଧାନସଭା ଆସନ ମଧ୍ୟରୁ ବିଜେପି ୧୫୫, ଶିବସେନା ଶିନ୍ଦେ ଗୋଷ୍ଠୀ ୭୮ ଏବଂ ଏନ୍‌ସିପି ଅଜିତ୍ ପାୱାରଙ୍କ ଗୋଷ୍ଠୀ ୫୫ଟି  ଆସନରେ ନିଜର ପ୍ରାର୍ଥୀ ଦେବ । ଛୋଟ ଦଳଗୁଡିକୁ  ମଧ୍ୟ କିଛି ଆସନ ଦେବା ଲାଗି ବୈଠକରେ ସହମତି  ହୋଇଛି । ଛୋଟ ଦଳଗୁଡ଼ିକୁ ବିଜେପି ନିଜ କୋଟାରୁ ଆସନ ଦେବ । କୌଣସି ଦଳ ନିକଟରେ ଜିତିବା ଭଳି ପ୍ରାର୍ଥୀ ନଥିଲେ ୫ଟି ସ୍ଥାନରେ ପ୍ଲସ୍‌-ମାଇନସ୍‌  ହୋଇପାରେ । କିଛି ଆସନକୁ ନେଇ ତିନି ଦଳ  ମଧ୍ୟରେ ସାମାନ୍ୟ ସମସ୍ୟା ଥିବାବେଳେ ଶାହଙ୍କ ନିର୍ଦ୍ଦେଶ ପରେ ତାକୁ ରାଜ୍ୟ ସ୍ତରରେ ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଛି । 

ସେହିଭଳି ବିଜେପି,  ଏନ୍‌ସିପି ଓ ଶିବସେନା କିଛି ଆସନ ବଦଳାଇବା  ନେଇ ମଧ୍ୟ ନିର୍ଣ୍ଣୟ ନେଇଛନ୍ତି । ଦିଲ୍ଲୀରେ ଅମିତ୍  ଶାହଙ୍କ ସହିତ ସାକ୍ଷାତ ପରେ ଦୁଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ଓ ଅଜିତ୍ ପାୱାର ମହାରାଷ୍ଟ୍ର  ଫେରି ଆସିଛନ୍ତି । ମୁଖ୍ୟମନ୍ତ୍ରୀ ସିନ୍ଦେ ଅଦ୍ୟାବଧି  ଦିଲ୍ଲୀରେ ଥିବା ସୂଚନା ମିଳିଛି । ମହାରାଷ୍ଟ୍ରରେ ଗୋଟିଏ  ପର୍ଯ୍ୟାୟରେ ନଭେମ୍ବର ୨୦ ତାରିଖରେ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବ । ନଭେମ୍ବର ୨୩ରେ ଫଳାଫଳ  ସାମ୍ନାକୁ ଆସିବ । ସେଠାରେ ମହାୟୁତି ସରକାର ପୁଣି  କ୍ଷମତାକୁ ଫେରିବ ନା ମହାବିକାଶ ଅଘାଡି କୌଣସି  ଚମତ୍କାର ଦେଖାଇବ ଏହା ସମୟ ହିଁ କହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.