ନୂଆଦିଲ୍ଲୀ ୯/୧: ଆମର ଦୈନନ୍ଦିନ ନିତ୍ୟକର୍ମର ଅଂଶବିଶେଷ ଗାଧୋଇବା । ସକାଳୁ ଉଠୁ ଉଠୁ ଅନେକ ଗାଧୋଇବାକୁ ପସନ୍ଦ କରନ୍ତି । ହେଲେ ଶୀତ ଦିନ ଆସିଲେ ଲୋକଙ୍କର ଗାଧୋଇବାର ଜୋସ୍ କମିଯାଏ । ଯେଉଁମାନେ ଗାଧୋଇ ନଥାନ୍ତି ସେମାନେ ଏ କଥା କାହା ଆଗରେ କହିବାକୁ ଲାଜ କରିଥାନ୍ତି । ଏଭଳି କାଟାଗୋରି ଲୋକଙ୍କ ପାଇଁ ସୋସିଆଲ ମିଡିଆରେ ଆସିଛି ଖୁସି ଖବର । ଶୀତ ଦିନେ ନଗାଧୋଇବା କିଛି ଖରାପ କଥା ନୁହେଁ । ଶୀତ ଦିନେ ଗାଧୋଉନଥିବା ଲୋକଙ୍କ ଆୟୁଷ ବଢେ । ଇନଷ୍ଟାଗ୍ରାମରେ ଜାରି ହୋଇଥିବା ଭିଡିଓରେ ଏହି ଦାବିକୁ ନେଇ ନାନା ଜୋର୍ ଧରିଛି ଚର୍ଚ୍ଚା ଓ ଆଲୋଚନା ।
ଡକ୍ଟର ରେବେକ୍କା ପିଣ୍ଟୋ (Dr Rebecca Pinto)ସୋସିଆଲ ମିଡିଆରେ ସେୟାର କରିଥିବା ଭିଡିଓରେ ଏମିତି କିଛି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଶୀତଦିନରେ ନଗାଧୋଇଲେ ଏତେ ବି ଖରାପ ନୁହେଁ । କାରଣ ଏହା ଆପଣଙ୍କ ବୟସ ୩୪% ବୃଦ୍ଧି କରିଥାଏ । ଭିଡିଓଟି ଇନଷ୍ଟାରେ ପ୍ରାୟ ୭ ମିଲିୟନ ୟୁଜର୍ସ ଦେଖିସାରିଲେଣି । ଏହି ଭିଡିଓରେ ଦିଆଯାଇଥିବା ତଥ୍ୟକୁ ଅନେକ ଲୋକ ବିଶ୍ବାସ କରୁନାହାନ୍ତି । ଏନେକ ୟୁଜର୍ସ କମେଣ୍ଟ ମାଧ୍ୟମରେ ସନ୍ଦେହ ପ୍ରକାଶ କରିଛନ୍ତି ।
ଡକ୍ଟର ରେବେକ୍କା ନଗାଧୋଇବାର ଲାଭ ବିଷୟରେ ଯାହା ବି ତଥ୍ୟ ରଖିଛନ୍ତି ତାର କୌଣସି ଗବେଷଣାତ୍ମକ ପ୍ରମାଣ ରଖିନାହାନ୍ତି । ଯାହାକୁ ନେଇ କେତେଜଣ ୟୁଜର୍ସ ପ୍ରଶ୍ନ କରିଛନ୍ତି ଏହା ଉପରେ କୌଣସି ଗବେଷଣାତ୍ମକ ଲେଖା ଅଛି କି ? ଯଦି ହଁ ପ୍ରମାଣ ସେୟାର କରିବା ଉଚିତ ଥିଲା ।
ଡକ୍ଟର ରେବେକ୍କାଙ୍କ ଦାବିକୁ ଅନ୍ୟ ବିଶେଷଜ୍ଞମାନେ ପୁରା ସମର୍ଥନ କରିନାହାନ୍ତି ସତ ହେଲେ କିଛି ମାତ୍ରାରେ ଏକମତ ହୋଇଛନ୍ତି । ସେମାନଙ୍କ କହିବା କଥା ଶୀତଦିନେ ଗାଧୋଇବା ସଂପୂର୍ଣ୍ଣ ବନ୍ଦ କରିଦେଲେ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ବେଙ୍ଗାଲୁରର ଗ୍ଲେନିଆଗେଲ୍ସ BGS ହସ୍ପିଟାଲ HOD ଡକ୍ଟର ବାଳକୃଷ୍ଣ ଜି.କେ କହିଛନ୍ତି ସଂପୂର୍ଣ୍ଣ ନଗାଧୋଇବା ଦ୍ବାରା ଆୟୁଷରେ ୩୪ ପ୍ରତିଶତ ବୃଦ୍ଧି ଘଟିବା ଦାବି ଅତିରଞ୍ଜିତ । ଯଦିଓ ବାରମ୍ବାର ଗାଧୋଇବା ଦ୍ବାରା ଚର୍ମରେ ଥିବା ମାଇକ୍ରୋବାଇଓମ୍ ଓ ପ୍ରାକୃତିକ ପ୍ରତିରକ୍ଷା ଶକ୍ତି କ୍ଷତି ହୋଇପାରେ କିନ୍ତୁ ନଗାଧୋଇଲେ ଏହା ସଂକ୍ରମଣକୁ ନିମନ୍ତ୍ରଣ କରିବ ।
କମ୍ ତାପମାତ୍ରା ଓ ଥଣ୍ଡାର ସଂସ୍ପର୍ଶ ଶରୀରରେ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପକାଇପାରେ, ଏହା ବିଭିନ୍ନ ପ୍ରଜାତି ପାଇଁ ସତ୍ୟ । ରିସର୍ଚ୍ଚରୁ ଜଣାପଡିଛି ଯେ ଥଣ୍ଡା ପ୍ରଜାତିର ମେଟାବୋଲିକ ହାରକୁ କମାଇପାରେ । କିନ୍ତୁ ଏହା ମଣିଷ କ୍ଷେତ୍ରରେ କେତେ ସତ ତାର କୌଣସି ବଳିଷ୍ଠ ପ୍ରମାଣ ନାହିଁ । ।ଯଦିଓ ସମସ୍ତେ ଗାଧୋଇବାକୁ ଜରୁରୀ ଭାବିଥାନ୍ତି କିନ୍ତୁ ବିଭିନ୍ନ ସଂସ୍କୃତିରେ ସ୍ବଚ୍ଛତାର ମାନ ଭିନ୍ନ ଭିନ୍ନ ହୋଇଥାଏ । ଥଣ୍ଡା ଜଳବାୟୁରେ ଲୋକମାନେ ପ୍ରତିଦିନ ସ୍ନାନ ନକରିବା ସାଧାରଣ କଥା । ତଥାପି ପରିଷ୍କାର ପରିଚ୍ଛନତା ବଜାୟ ରଖିବା ଉଚିତ । ଗାଧୋଇବାର ମଧ୍ୟ ଅନେକ ଫାଇଦା ରହିଛି ।