ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ବହୁ କଠୋର ନିଷ୍ପତ୍ତି ନେଇଛନ୍ତି । ଆମେରିକାରୁ ବେଆଇନ ପ୍ରବାସୀଙ୍କୁ ବାହାର କରିବା ସହିତ ବିଭିନ୍ନ ଦେଶ ଉପରେ ଟାରିଫ୍ ଛାଟ ଲଗାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆମେରିକାରୁ ପ୍ରାୟ ୨୦ ହଜାର ପ୍ରବାସୀଙ୍କୁ ବାହାର କରାଯାଇଛି । ମୋଟ୍ ୮୦ ହଜାରରୁ ଅଧିକ ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ମଧ୍ୟ ବିଦା କରାଯିବ ବୋଲି ଟ୍ରମ୍ପ ପ୍ରଶାସନ କହିଛି । ତେବେ ଟ୍ରମ୍ପଙ୍କ ଏହି କଠୋର ନିଷ୍ପତ୍ତିକୁ ଏବେ ଅନୁସରଣ କରୁଛି ବ୍ରିଟେନ୍ । ଇଂଲଣ୍ଡରୁ ବେଆଇନ ପ୍ରବାସୀଙ୍କୁ ବାହାର କରିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ବ୍ରିଟେନର ଲେବର ପାର୍ଟି ଶାସନ କ୍ଷମତାକୁ ଆସିବା ପରେ ଦେଶରୁ ପ୍ରାୟ ୧୯ ହଜାର ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରାଯାଇ ବାହାର କରାଯାଇଛି । ଏମାନଙ୍କୁ ଦେଶରୁ ତଡ଼ିବାକୁ ପୂର୍ବରୁ ଏକ ଭିଡିଓ ମେସେଜ ଜାରି କରିଥିଲେ ବ୍ରିଟେନ ସରକାର ।
ପୂରା ଦେଶ ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କୁ ବାହାର କରିବାକୁ ଅଭିଯାନ ଚାଲୁଛି । ଏହି ଅଭିଯାନ ମାଧ୍ୟମରେ ଭାରତୀୟ ରେଷ୍ଟୁରାଣ୍ଟ, ନେଲ ବାର, ଜେନେରାଲ୍ ଷ୍ଟୋର ଏବଂ କାର୍ ଓ୍ବାଶ ସେଣ୍ଟରରେ ଚଢ଼ାଉ କରାଯାଇଛି । ଏହି ସବୁ ସ୍ଥାନରେ ବହୁ ସଂଖ୍ୟାରେ ପ୍ରବାସୀ କାମ କରୁଥିବା ଅଭିଯୋଗ ହୋଇଥିଲା । ଜାନୁଆରୀ ମାସରେ ୮୨୮ଟି ସ୍ଥାନରେ ରେଡ୍ ମାରିଥିଲେ ବ୍ରିଟେନ ପ୍ରଶାସନ । ଏଥିରେ ୬୦୯ଙ୍କୁ ଗିରଫ କରାଯାଇଥିଲା । ତେବେ ୧୯ ହଜାର ବେଆଇନ ପ୍ରବାସୀଙ୍କୁ ପର୍ଯ୍ୟାୟ କ୍ରମେ ଦେଶରୁ ବତାଡ଼ିତ କରାଯିବ ବୋଲି ବ୍ରିଟେନ ସରକାର କହିଛନ୍ତି ।..