କଟକ: ରାଜ୍ୟ କଂଗ୍ରେସକୁ ଦୃଢ଼ ନେତୃତ୍ୱ ମିଳିଲା। ଆଗକୁ ଦଳ ଆହୁରି ସଂଗଠିତ ହୋଇ କାମ କରିବ ବୋଲି କହିଛନ୍ତି ବିଧାୟିକା ସୋଫିଆ ଫିର୍ଦୋଶ। ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିଯୁକ୍ତିକୁ ସେ ସ୍ୱାଗତ କରିଛନ୍ତି। ସୋଫିଆ କହିଛନ୍ତି ଯେ, ରାଜ୍ୟରେ କେବଳ କଂଗ୍ରେସ ହିଁ ପ୍ରକୃତ ବିରୋଧୀ ଦଳର ଭୂମିକା ନିଭାଉଛି। ଦଳ ଆଗକୁ ଆହୁରି ସଂଗଠିତ ହେବ ଏବଂ ୨୦୨୯ ନିର୍ବାଚନକୁ ଆଖିରେ ରଖି କାର୍ଯ୍ୟ କରିବ।
ସୂଚନାଯୋଗ୍ୟ, ଦୀର୍ଘ ଦିନ ଯାଏ ମୁରବୀ ଶୂନ୍ୟ ଥିବା ଓଡ଼ିଶା ପ୍ରଦେଶ କଂଗ୍ରେସକୁ ମିଳିଛି ଏହାର ନୂଆ ମୁଖିଆ । ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ନିଯୁକ୍ତ କରାଯାଇଛି । ଏଆଇସିସି ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି । କଂଗ୍ରେସର ଏକ୍ସ ଆକାଉଣ୍ଟରେ ଏନେଇ ପୋଷ୍ଟ କରାଯାଇଛି । ଏଥିରେ ଲେଖାଯାଇଛି, 'କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ।'
ଭକ୍ତ ଚରଣ ଦାସ ଓଡ଼ିଶା କଂଗ୍ରେସର ଜଣେ ଟାଣୁଆ ନେତା । ସେ ଓଡ଼ିଶା ବିଧାନସଭାକୁ ଥରେ ଏବଂ ଲୋକଭାସକୁ ତିନି ଥର ନିର୍ବାଚିତ ହୋଇସାରିଛନ୍ତି । ୧୯୮୫ ବିଧାନସଭା ନିର୍ବାଚନରେ ସେ ଭବାନୀପାଟଣା ଆସନରୁ ନିର୍ବାଚିତ ହୋଇଥିଲେ । ପରେ ସେ ୧୯୮୯, ୧୯୯୬ ଓ ୨୦୦୯ ସାଧାରଣ ନିର୍ବାଚନରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଥିଲେ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଏଆଇସିସି ସାଧାରଣ ସମ୍ପାଦକ ଓ ବିହାର, ମଣିପୁର ଓ ମିଜୋରାମର କଂଗ୍ରେସ ପ୍ରଭାରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ଭକ୍ତ ଦାସ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ମଧ୍ୟ ଅଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ନର୍ଲା ବିଧାନସଭା ଆସନରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ।