ହାଟକୁ ସଉଦା ଆଣିବାକୁ ଯାଉଥିଲେ, ଟ୍ରକ ଧକ୍କାରେ ଚାଲିଗଲା ଜୀବନ

Published By : Prameya-News7 Bureau | March 15, 2025 IST

ନିଶ୍ଚିନ୍ତକୋଇଲି ୧୫।୦୩ :  ହାଟକୁ ସଉଦା ଆଣିବାକୁ ଯାଉଥିଲେ । ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ । ଏହି ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ନିକଟ ପୋଲ ଉପରେ ଘଟିଛି ଏହି ଦୁର୍ଘଟଣା । 

ଖବର ଅନୁଯାୟୀ, କଟକ ଜିଲ୍ଲା ଗୋପପୁର ଅଞ୍ଚଳର ୫୧ ବର୍ଷୀୟ ମୋହନ ଚରଣ ଦାସ ନିଶ୍ଚିନ୍ତକୋଇଲି ହାଟକୁ ସଉଦା କରିବାକୁ ଆସୁଥିଲେ । ଏହି ସମୟରେ ୮ନମ୍ବର କେନାଲ ପୋଲ ନିକଟରେ ପଛ ପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ ସାଇକେଲ ଚାଳକ ମୋହନ ଚରଣ ତଳ ପଡିଯାଇଥିଲେ । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ତେବେ ଜନଗହଳିପୂର୍ଣ୍ଣ କେନାଲ ବନ୍ଧ, ରାସ୍ତା ଖରାପ, ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଅଘଟଣ ଘଟି ଅକାରଣରେ ଚାଲିଯାଉଛି ଜୀବନ । ଦୁର୍ଘଟଣା ସ୍ଥଳରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ସହ ଗାଡ଼ି ଚଳାଚଳ ବନ୍ଦ ଓ ରାସ୍ତା ଜାମ ରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରେ ଗାଡ଼ି ଚଳାଚଳା ସ୍ୱାଭାବିକ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.