ମୁମ୍ବାଇ: ରଣବୀର ଆହ୍ଲାବାଦିଆଙ୍କ ଅଶ୍ଳୀଳ ଟିପ୍ପଣୀକୁ ନେଇ ଜାରି ବିବାଦ କମେଡିୟାନ ସମୟ ରୈନାଙ୍କ ଶୋ ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ’ର ମୁସ୍କିଲ ଆହୁରି ବଢାଇ ଦେଇଛି। ମହାରାଷ୍ଟ୍ରର ସାଇବର ପୋଲିସ ସମୟ ରୈନା, ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ’ ଶୋର ନିର୍ମାତା ବଲରାଜ ଘଇ ଓ ଅନ୍ୟ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଶୋର ପ୍ରଥମ ଏପିସୋଡରୁ ନେଇ ଷଷ୍ଠ ଏପିସୋଡ ପର୍ଯ୍ୟନ୍ତ ସମସ୍ତ ହୋଷ୍ଟ ଓ ଗେଷ୍ଟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ମହାରାଷ୍ଟ୍ର ସାଇବର ସେଲ୍ ନିଜ ବୟାନରେ କହିଛି, ମହାରାଷ୍ଟ୍ର ସାଇବର ସେଲ ୟୁଟ୍ୟୁବ ଶୋ ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ’ ବିରୋଧରେ ଏବଂ ଏଥିରେ ସଂପୃକ୍ତ ୩୦ରୁ ୪୦ ଲୋକଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି। ଶୋର ପ୍ରଥମ ଏପିସୋଡରୁ ନେଇ ଏପିସୋଡ ୬ ପର୍ଯ୍ୟନ୍ତ ଯେତେ ବି ଲୋକ ଏଥିରେ ସାମିଲ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସମସ୍ତଙ୍କୁ ନୋଟିସ୍ ପଠାଇବାର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ସଭିଙ୍କୁ ବୟାନ ରେକର୍ଡ ପାଇଁ ଡକାଯିବ।
Also read: JEE Main 2025: ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ,୧୪ ପରୀକ୍ଷାର୍ଥୀ ରଖିଛନ୍ତି ୧୦୦ ପ୍ରତିଶତ ମାର୍କ
ଏସବୁ କଣ୍ଟେଣ୍ଟର ସମୀକ୍ଷା ପରେ ଏହି ସମସ୍ତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଆଇଟି ଆକ୍ଟର ଧାରା ୬୭ ଓ ଭାରତୀୟ ନ୍ୟାୟ ସଂହିତା(ବିଏନଏସ)ର ବିଭିନ୍ନ ଧାରା ଆଧାରରେ ଅଭିଯୋଗ ହୋଇଛି। ମହାରାଷ୍ଟ୍ର ସାଇବର ସେଲ୍ ଅନୁଯାୟୀ, ଯାଞ୍ଚ ଜାରି ରହିଛି ଓ ସମସ୍ତ ସମ୍ବନ୍ଧିତ ଲୋକଙ୍କୁ ନୋଟିସ ଜାରି କରାଯାଇଛି। ସମସ୍ତଙ୍କୁ ଆଇନଗତ ପ୍ରକ୍ରିୟା ଆଧାରରେ ଜେରା ପାଇଁ ଉପସ୍ଥିତ ହେବାକୁ ପଡ଼ିବ।
ଗୋଟିଏ ଦିନ ପୂର୍ବରୁ ଆସାମ ପୋଲିସ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏବେ ମୁମ୍ବାଇ ପୋଲିସର ସାଇବର ସେଲ୍ ୟୁନିଟ୍ କେବଳ ୩୧ ବର୍ଷୀୟ ରଣବୀରଙ୍କ ବ୍ୟତୀତ ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ’ର ପ୍ରଥମ ଶୋରୁ ନେଇ ଷଷ୍ଠ ଶୋ ପର୍ଯ୍ୟନ୍ତ ସାମିଲ ସମସ୍ତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତକାଲି ଆସାମରେ କେସ୍ ରୁଜୁ ହୋଇଥିଲା।