ନୂଆଦିଲ୍ଲୀ ୧୦/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଡ । ୭୦ ରୁ ଅଧିକ ଦେଶକୁ ପାରସ୍ପରିକ ଶୁଳ୍କରୁ ୯୦ ଦିନର ଛାଡ ଦିଆଯାଇଛି । କିନ୍ତୁ ଚୀନକୁ ଏହି ପରିସରରୁ ବାହାରେ ରଖାଯାଇଛି । ଚୀନ୍ ଉପରେ ୧୨୫ ପ୍ରତିଶତର ଏକ ବଡ଼ ଶୁଳ୍କ ଲାଗୁ କରାଯାଇଛି ।
ଯାହା ଯୋଗୁଁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏପରି ସ୍ଥିତିରେ, ଏହା ଚର୍ଚ୍ଚା ହୁଏ କି, ଟ୍ରମ୍ପଙ୍କ ଏହି ଟାରିଫ୍ ବୋମା ଚିନ୍ତାଧାରା ପଛରେ କିଏ ? କହିବାକୁ ଗଲେ ଟ୍ରମ୍ପ ଆରମ୍ଭରୁ ଶୁଳ୍କ ବୃଦ୍ଧିର ସମର୍ଥକ ହୋଇଆସୁଛନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ବିଶ୍ୱର ବିଭିନ୍ନ ଦେଶ ଶତାବ୍ଦୀ ଧରି ସେମାନଙ୍କୁ ଲୁଟି ଆସୁଛନ୍ତି । କିନ୍ତୁ ଏବେ ଆମେରିକା ଆଉ ଲୁଟିବ ନାହିଁ।
ଚୀନର ବିରୋଧୀ ଓ ଟାରିଫ୍ ଆର୍କିଟେକ୍ ନୈବାରୋ:
ସବୁଠାରୁ ବଡ଼ ନାମ ପିଟର ନୈବାରୋ । ସେ ଡୋନାଲ୍ଡ ଟ୍ରମ୍ପଙ୍କ ଅର୍ଥନୈତିକ ପରାମର୍ଶଦାତା । ଆଜିକାଲି ତାଙ୍କ ନାମ ସାରା ବିଶ୍ୱରେ ଚର୍ଚ୍ଚାରେ ଅଛି । ଶୁଳ୍କ ନେଇ ଏଲନ ମସ୍କଙ୍କ ସହ ତାଙ୍କର ବିବାଦ ଖବରର ଶିରୋନାମା ପାଲଟିଛି। ନୈବାରୋଙ୍କୁ ଚୀନର ସବୁଠାରୁ ବଡ଼ ସମାଲୋଚକ ବୋଲି ବିବେଚନା କରାଯାଏ । ସେ ୨୦୦୬ରେ "ଚାଇନା ଓ୍ୱାର୍" ଏବଂ ୨୦୧୧ରେ "ଡେଥ୍ ବାଏ ଚାଇନା" ନାମକ ଦୁଇଟି ପୁସ୍ତକ ମଧ୍ୟ ଲେଖିଛନ୍ତି । ଏହି ପୁସ୍ତକଗୁଡ଼ିକରେ ତାଙ୍କର ଚୀନ୍ ବିରୋଧୀ ଦୃଷ୍ଟିକୋଣ ସ୍ପଷ୍ଟ ଭାବରେ ବୁଝାପଡୁଛି । ନୈବାରୋ ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ହ୍ୱାଇଟ୍ ହାଉସରେ ନ୍ୟାସନାଲ୍ ଟ୍ରେଡ୍ କାଉନସିଲର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ସେ ଟ୍ରମ୍ପଙ୍କ ଆମେରିକା ଫାଷ୍ଟ ନୀତିର ଜଣେ ଦୃଢ଼ ସମର୍ଥକ।
ପିଟର ନୈବାରୋଙ୍କୁ ଟ୍ରମ୍ପଙ୍କ ଟାରିଫ୍ ନୀତିର ସ୍ଥପତି ବୋଲି ବିବେଚନା କରାଯାଏ । ସେ ସୁରକ୍ଷାବାଦ ଏବଂ ଶୁଳ୍କ ମାଧ୍ୟମରେ ଆମେରିକାର ବାଣିଜ୍ୟ ନିଅଣ୍ଟ ହ୍ରାସ କରିବା ସପକ୍ଷରେ ଅଛନ୍ତି । ସେ ବିଶ୍ୱାସ କରନ୍ତି ଯେ ଉଚ୍ଚ ଶୁଳ୍କ ଆମେରିକୀୟ ଉତ୍ପାଦନକୁ ବୃଦ୍ଧି କରିବ । ବିଦେଶୀ ଆମଦାନୀକୁ ମହଙ୍ଗା କରି ନିଯୁକ୍ତି ସୃଷ୍ଟି କରିବ।
ନୈବାରୋ ପ୍ରଥମେ ଟ୍ରମ୍ପଙ୍କ ସମ୍ମୁଖରେ ପାରସ୍ପରିକ ଶୁଳ୍କ ଧାରଣା ରଖିଥିଲେ । ଆମେରିକୀୟ ସାମଗ୍ରୀ ଉପରେ ଅନ୍ୟ ଦେଶମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ପ୍ରତି ଜବାବରେ ସେ ସମାନ ଶୁଳ୍କ ଲାଗୁ କରିବାକୁ ସମର୍ଥନ କରିଥିଲେ । ଏହା ପଛରେ ତାଙ୍କର ଯୁକ୍ତି ଥିଲା ଯେ, ଏହା ଆମେରିକାର ବାଣିଜ୍ୟ ନିଅଣ୍ଟକୁ ସନ୍ତୁଳିତ କରିବ ଏବଂ ବିଦେଶୀ ଦେଶମାନଙ୍କୁ ସେମାନଙ୍କର ନୀତି ପରିବର୍ତ୍ତନ କରିବାକୁ ବାଧ୍ୟ କରିବ।
ସ୍କଟ୍ ବେସାଣ୍ଟଙ୍କ ଅର୍ଥନୀତି ବୃଦ୍ଧି ତତ୍ତ୍ୱ:
ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସାଣ୍ଟ ରାଜନୀତିରେ ଯୋଗ ଦେବା ପୂର୍ବରୁ ଜଣେ ହେଜ୍ ଫଣ୍ଡ ମ୍ୟାନେଜର ଥିଲେ। ସେ ଜର୍ଜ ସୋରୋସଙ୍କ ସହ ମଧ୍ୟ କାମ କରିଛନ୍ତି। ୨୦୧୫ ମସିହାରେ, ସେ ନିଜର ନିବେଶ କମ୍ପାନୀ KEY Square Group ଆରମ୍ଭ କରିଥିଲେ। ସ୍କଟ୍ ବେସାଣ୍ଟ ଟ୍ରମ୍ପଙ୍କ ଟାରିଫ୍ ନୀତିର ସମର୍ଥକ।
ନୈବାରୋଙ୍କ ପାରସ୍ପରିକ ଚିନ୍ତାଧାରାକୁ ସମର୍ଥନ କରି, ବେସାଣ୍ଟ ବିଶ୍ୱାସ କରୁଥିଲେ ଯେ ଶୁଳ୍କ କେବଳ ବାଣିଜ୍ୟକୁ ସନ୍ତୁଳିତ କରିବ ନାହିଁ । ବରଂ ଆମେରିକୀୟ ଅର୍ଥନୀତିକୁ ମଧ୍ୟ ବୃଦ୍ଧି କରିବ। ବେସାଣ୍ଟ ବିଶ୍ୱ ସ୍ତରରେ ପାରସ୍ପରିକ ଶୁଳ୍କକୁ ଦୃଢ଼ ଭାବରେ ସମର୍ଥନ କରିଥିଲେ । ଶୁଳ୍କ ବୃଦ୍ଧି ପରେ ଷ୍ଟକ୍ ବଜାର ଦ୍ରୁତ ଗତିରେ ହ୍ରାସ ପାଇବା ପରେ, ବେସାଣ୍ଟ ଦୃଢ଼ତାର ସହିତ କହିଥିଲେ ଯେ ଆମେରିକା ମାନ୍ଦାବସ୍ଥାର ସମ୍ମୁଖୀନ ହେବ ନାହିଁ । କିନ୍ତୁ ଦେଶର ଅର୍ଥନୀତି ଏଥିରୁ ଲାଭବାନ ହେବ।
ଶୁଳ୍କ ବୃଦ୍ଧିରେ ଟ୍ରମ୍ପଙ୍କ ବିଶ୍ୱସ୍ତ ଲୁଟନିକଙ୍କ ଭୂମିକା କ’ଣ ?
ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଜଣେ ନିବେଶ ବ୍ୟାଙ୍କର ରହିଆସିଛନ୍ତି । ସେ ନିବେଶ ଫାର୍ମ କାଣ୍ଟର ଫିଜଗେରାଲ୍ଡର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ । ସେ ଟ୍ରମ୍ପଙ୍କର ଦୀର୍ଘଦିନର ବନ୍ଧୁ ଓ ଲୁଟନିକ୍ ତାଙ୍କର ସମସ୍ତ ପ୍ରମୁଖ ନିଷ୍ପତ୍ତିରେ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କୁ ଟ୍ରମ୍ପଙ୍କ ଜଣେ ବିଶ୍ୱସ୍ତ ବୋଲି କୁହାଯାଏ।
ଟ୍ରମ୍ପଙ୍କ "ମେକ୍ ଆମେରିକା ଗ୍ରେଟ୍ ଏଗେନ୍" ନୀତି ଅନୁଯାୟୀ ଲୁଟନିକ୍ଙ୍କୁ ଶୁଳ୍କର ପ୍ରକୃତ ଚେହେରା ବୋଲି କୁହାଯାଉଛି। ସେ ଟ୍ରମ୍ପଙ୍କ ଦଳର ଜଣେ ଅଂଶ, ଯେଉଁମାନେ ଶୁଳ୍କ ସମ୍ପର୍କିତ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଥିଲେ । ଲୁକନିକ୍ ଶୁଳ୍କକୁ ଏକ ଆଲୋଚନା ଉପକରଣ ଭାବରେ ଉପସ୍ଥାପନ କରିଥିଲେ ଯାହାର ଉଦ୍ଦେଶ୍ୟ ହେଉଛି ଅନ୍ୟ ଦେଶଗୁଡ଼ିକୁ ଆମେରିକୀୟ ଉତ୍ପାଦ ପାଇଁ ସେମାନଙ୍କର ବଜାର ଖୋଲିବା ଓ ବାଣିଜ୍ୟ ନୀତି ପରିବର୍ତ୍ତନ କରିବା।
ଲୁକନିକ୍ ଚୀନ୍ ଏବଂ ଭିଏତନାମ ଭଳି ଦେଶଗୁଡ଼ିକ ଉପରେ ଅଧିକ ଶୁଳ୍କ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ। ଏହା ପଛରେ ତାଙ୍କର ଯୁକ୍ତି ଥିଲା ଯେ ଆମେରିକା ଚୀନ୍ ଅପେକ୍ଷା ସେମାନଙ୍କର ଉତ୍ପାଦ ଅଧିକ କିଣେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଦୌ ସନ୍ତୁଳିତ ନୁହେଁ, ଯାହାକୁ ସଂଶୋଧନ କରାଯିବା ଆବଶ୍ୟକ।
ସେ ଟ୍ରମ୍ପଙ୍କ ଟାରିଫ୍ ନୀତିର ଜଣେ ପ୍ରମୁଖ ସମର୍ଥକ ଏବଂ ପ୍ରବର୍ତ୍ତକ ଅଟନ୍ତି । ଯାହାକୁ ସେ ଆମେରିକାର ଅର୍ଥନୀତି ଓ ଜାତୀୟ ସୁରକ୍ଷା ପାଇଁ ଆବଶ୍ୟକ ବୋଲି ଦେଖନ୍ତି। ସେ କେବଳ ଏହାକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିନଥିଲେ । ଏହାକୁ ଜନସାଧାରଣ ଏବଂ ବଜାର ନିକଟରେ ଯଥାର୍ଥ କରିବାର ଦାୟିତ୍ୱ ମଧ୍ୟ ନେଇଥିଲେ।