ଯୁବକଙ୍କ ଅଜବ କାଣ୍ଡ,ନିଶାରେ ପେଟ୍ରୋଲ ପମ୍ପରେ ନିଆ ଲଗାଇଲେ,ବାନ୍ଧିଲା ପୋଲିସ

Published By : Prameya-News7 Bureau | October 27, 2024 IST

ହାଇଦ୍ରାବାଦ ୨୭/୧୦: ମଦ ପିଇ ନିଶା ଚଢିବା ପରେ ଭୁଲିଗଲେ ହିତାହିତ ଜ୍ଞାନ । ପେଟ୍ରୋଲ ପମ୍ପରେ ଲଗାଇଦେଲେ ନିଆଁ । ଏମିତି ଜଣେ ଉତ୍ପାତିଆ ଯୁବକଙ୍କୁ ବାନ୍ଧିଛି ପୋଲିସ । ଗିରଫ ଅଭିଯୁକ୍ତ ବିହାରର ଚିରାନ ବୋଲି ଜଣାପଡିଛି । ଶନିବାର ସଂଧ୍ୟାରେ ହାଇଦ୍ରାବାଦର ନାଚାରାମ ପେଟ୍ରୋଲ ପମ୍ପରେ କିଛି ଲୋକ ପେଟ୍ରୋଲ ଭର୍ତ୍ତି କରୁଥିଲେ ।ଏ ହି ସମୟରେ ଜଣେ ବ୍ୟକ୍ତି ନିଶାଗ୍ରସ୍ତ ଅବସ୍ଥାରେ ସେଠାକୁ ଆସିଥିଲେ । ହାତରେ ସିଗାରେଟ ଓ ଲାଇଟର ଧରିଥିଲେ । 

ତାଙ୍କୁ ଏପରି ଅବସ୍ଥାରେ ଦେଖି ପେଟ୍ରୋଲ ପମ୍ପ କର୍ମଚାରୀ ପାଟି କରିଥିଲେ । ସେଠାରୁ ଚାଲିଯିବାକୁ କହିଥିଲେ । ଯାହାକୁ ନେଇ ପାଟିତୁଣ୍ଡ ଓ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ପେଟ୍ରୋଲ ପମ୍ପ କର୍ମଚାରୀ ଯୁବକଙ୍କୁ କହିଥିଲେ ଦମ୍‌ ଅଛି ତ ନିଆଁ ଲଗାଇ ଦେଖା । ଯାହାକୁ ଶୁଣି ଯୁବକ ଜଣକ ରାଗିଯାଇ ପାଇପରେ ଲାଇଟର ମାରିଥିଲେ । ସଙ୍ଗେ ସଙ୍ଗେ ହୁତୁହୁତୁ ହୋଇ ନିଆଁ ଲାଗିଯାଇଥିଲା । 

ଏହି ସମୟରେ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀଙ୍କ ସମେତ ୧୧ ଜଣ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିଲେ । ସେମାନେ ନିଆଁ ଦେଖି ଭୟରେ ଏଣେ ତେଣେ ଦୌଡି ଥିଲେ । ଜଣେ ବ୍ୟକ୍ତି ଉପସ୍ଥିତ ବୁଦ୍ଧି ଲଗାଇ ଅଗ୍ନି ନିର୍ବାପକ ଯନ୍ତ୍ରରେ ନିଆଁକୁ ଆୟତ୍ତ କରିଥିଲେ । ଫଳରେ ବଡ ଅଘଟଣ ଟଳିଯାଇଥିଲା । ପେଟ୍ରୋଲ ଟାଙ୍କିରେ ନିଆଁ ଲାଗିଥିଲେ ବଡ ବିସ୍ଫୋରଣ ହୋଇଥାନ୍ତା । ଘଟଣାର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.