ଆମେରିକା ରାଷ୍ଟ୍ରପତି ନିର୍ବାଚନ; ପ୍ରି' ପୋଲିଂରେ ସାମିଲ୍ ହେଲେ ୨ କୋଟି ଭୋଟର

Published By : Prameya-News7 Bureau | October 24, 2024 IST

ୱାଶିଂଟନ୍‌: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ନଭେମ୍ବର ୫ ତାରିଖରୁ ମତଦାନ ଆରମ୍ଭ ହେବ । ହେଲେ ଏହା ପୂର୍ବରୁ ଦେଶର ଅନେକ ରାଜ୍ୟରେ ଆଗୁଆ ଭୋଟିଂ ହୋଇଛି । ନ୍ୟୁୟର୍କ ଟାଇମ୍ସ ଅନୁସାରେ, ମଙ୍ଗଳବାର ସୁଦ୍ଧା ପ୍ରାୟ ୨ କୋଟି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଆମେରିକୀୟ ଭୋଟ୍ ଦେଇଛନ୍ତି । ୪୭ରୁ ଅଧିକ ରାଜ୍ୟରେ ଲୋକେ ମେଲ୍‌ ଯୋଗେ ଭୋଟଦାନ କରିଛନ୍ତି । ଆମେରିକାରେ  ନିର୍ବାଚନ ପୂର୍ବରୁ ଭୋଟ୍ ଦାନ ପ୍ରକ୍ରିୟାକୁ ପ୍ରି ପୋଲ୍‌ ଭୋଟିଂ କୁହାଯାଇଥାଏ । 

ରାଷ୍ଟ୍ରପତି ଦୌଡ଼ରେ ଥିବା ଡେମୋକ୍ରାଟ୍‌ ପ୍ରାର୍ଥୀ ତଥା ଉପରାଷ୍ଟ୍ରପତି କମଳା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ପ୍ରି ପୋଲ୍‌ ଭୋଟିଂ ପାଇଁ ନିଜ ନିଜ ସମର୍ଥକଙ୍କୁ ଆକୃଷ୍ଟ କରିବା ଲାଗି ଲାଗିପଡ଼ିଛନ୍ତି । ଆମେରିକୀୟ ଭୋଟରମାନେ ମେଲ୍‌-ଇନ୍‌ବାଲଟ୍ ଯୋଗେ କିମ୍ବା ବୁଥ୍‌କୁ ଯାଇ ଆଗୁଆ ଭୋଟ୍ ଦେଉଛନ୍ତି । ଇଲେକ୍ସନ ଲ୍ୟାବ୍‌ ଅନୁସାରେ, ଆଗୁଆ ପଡ଼ିଥିବା ଭୋଟ୍ ମଧ୍ୟରୁ ୭୮ ଲକ୍ଷ ମତଦାତା ବ୍ୟକ୍ତିଗତ ଭାବେ ଏବଂ ୧ କୋଟି ୩୩ଲକ୍ଷ ଭୋଟର ଇ-ମେଲ୍  ଯୋଗେ ଭୋଟ୍ ଦେଇଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ମେଲ୍‌ ବାଲଟ୍ ଯୋଗେ ନିଜ ମତଦାନ କରିଛନ୍ତି । 

ଆଗୁଆ ଭୋଟିଂରେ ରିପବ୍ଲିକାନ ସମର୍ଥକ ମତଦାତାଙ୍କ ସଂଖ୍ୟା ଅଧିକ ରହିଛି । ଇନ୍‌ ପର୍ସନ ମେଥଡ୍‌ରେ ୪୧.୩% ରିପବ୍ଲିକାନ୍‌ ସମର୍ଥକ ଭୋଟ୍ ଦେଇଥିବାବେଳେ ଡେମୋକ୍ରାଟିକ୍‌ ମତଦାତାଙ୍କ ସଂଖ୍ୟା ୩୩.୬% ରହିଛି । ସେହିପରି ମେଲ୍‌ ବାଲଟ୍‌ ଜରିଆରେ ଅଦ୍ୟାବଧି ୨୦.୪% ଡେମୋକ୍ରାଟିକ୍‌ ମତଦାତା ମତଦାନ କରିଥିବାବେଳେ ୨୧.୨% ରିପବ୍ଲିକାନ୍‌ ସମର୍ଥକ ଭୋଟ ଦେଇଛନ୍ତି । ଅନ୍ୟପକ୍ଷରେ ନିର୍ବାଚନରେ ଟ୍ରମ୍ପ୍‌ଙ୍କୁ ଖୋଲାଖୋଲି ସମର୍ଥନ କରୁଛନ୍ତି ଆମେରିକୀୟ ଉଦ୍ୟୋଗପତି ଏଲନ ମସ୍କ । ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ଆଗୁଆ ଭୋଟ୍ ଦେଉଥିବା ଭୋଟରଙ୍କ ମଧ୍ୟରୁ ପ୍ରତିଦିନ ଜଣଙ୍କୁ ଚୟନ କରାଯାଇ ତାଙ୍କୁ ପ୍ରାୟ ୮ କୋଟି ୪୦ ଲକ୍ଷ ଟଙ୍କା ଦେବେ ବୋଲି ମସ୍କ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.