ଆତଙ୍କୀ ଆକ୍ରମଣରେ ଥରିଲା ତୁର୍କିଏ ରାଜଧନୀ, ୪ ମୃତ, ୧୪ ଆହତ

Published By : Prameya-News7 Bureau | October 23, 2024 IST

ନୂଆଦିଲ୍ଲୀ: ତୁର୍କିଏ ରାଜଧାନୀ ଅଙ୍କାରାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ବୁଧବାର ଦେଶର ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲି ୟେର୍ଲିକାୟା ଆତଙ୍କବାଦୀ ଆକ୍ରମଣ କଥାକୁ ସ୍ପଷ୍ଟ କରିଛନ୍ତି । ଅଲି ସୂଚନା ଦେଇ କହିଛନ୍ତି ଯେ ତୁର୍କିଏ ଏୟରୋସ୍ପେସ୍ ଇଣ୍ଡଷ୍ଟ୍ରିଜ (TUSAS) ମୁଖ୍ୟାଳୟରେ ବଡ଼ ବିସ୍ଫୋରଣ ଏବଂ ଗୁଳିମାଡ଼ ହୋଇଛି । ଏଥିରେ ଅତି କମରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଆକ୍ରମଣ ପାଇଁ ଏବେ ସୁଦ୍ଧା କେହି ବି ନିଜକୁ ଦାୟୀ କରିନାହାନ୍ତି । ସରକାରୀ ଏଜେନ୍ସି କହିଛି ଯେ ଘଟଣାସ୍ଥଳରେ ଆମ୍ୱୁଲାନ୍ସ ଏବଂ ଏମର୍ଜେନ୍ସି ସେବାକୁ ପଠାଯାଇଛି ।

TUSAS ତୁର୍କିଏର ସବୁଠାରୁ ମହତ୍ୱପୂର୍ଣ୍ଣ ପ୍ରତିରକ୍ଷା ଏବଂ ବିମାନ କମ୍ପାନି ମଧ୍ୟରୁ ଗୋଟିଏ । ଏହା ଅନ୍ୟ ପରିଯୋଜନା ବ୍ୟତୀତ ଦେଶର ପ୍ରଥମ ରାଷ୍ଟ୍ରୀୟ ଲଢୁଆ ବିମାନ KAAN ନିର୍ମାଣ କରୁଛି ।

ସ୍ଥାନୀୟ ମିଡିଆ ରିପୋର୍ଟରେ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଇଛି । ଏକ ରିପୋର୍ଟରେ କୁହାଯାଇଛି ଯେ ଆକ୍ରମଣକାରୀ କିଛି ଲୋକଙ୍କୁ ବନ୍ଦୀ କରି ରଖିଛନ୍ତି । ଘଟଣା ସମୟର ସୋସିଆଲ୍ ମିଡିଆ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଆକ୍ରମଣକାରୀ ଫାୟାରିଂ କରୁଥିବା ନଜର ଆସୁଛନ୍ତି । ରିପୋର୍ଟ ଅନୁସାରେ TUSAS ପରିସରରେ ଦୁଇରୁ ତିନୋଟି ବିସ୍ଫୋରଣ ହେବା ପରେ ଗୁଳିମାଡ଼ ହୋଇଛି । ସ୍ଥାନୀୟ ମିଡିଆ ଦ୍ୱାରା ପ୍ରସାରିତ ଫୁଟେଜରେ ସୁରକ୍ଷାକର୍ମୀଙ୍କ ଶିଫ୍ଟ ପରିବର୍ତ୍ତନ ସମୟରେ ଆକ୍ରମଣକାରୀ ଏକ ଟ୍ୟାକ୍ସିରେ ଆସୁଥିବା ଦେଖିବାକୁ ମିଳୁଛି । ଆକ୍ରମଣକାରୀଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ମହିଳା ସାମିଲ ଅଛନ୍ତି । ସମସ୍ତଙ୍କ ହାତରେ ଆସଲ୍ଟ ରାଇଫଲ୍ ରହିଛି ।

ସ୍ଥାନୀୟ ମିଡିଆ ହେବରଟର୍କ ଟିଭି କହିଛି ଯେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏକ ଭିଡିଓ ଫୁଟେଜରେ ସ୍ପେଶାଲ ପୋଲିସ ଏବଂ ସୁରକ୍ଷାକର୍ମୀ କୁର୍ତିଏ ଏୟରୋସ୍ପେସ୍ ଇଣ୍ଡଷ୍ଟ୍ରିଜରେ ପ୍ରବେଶ କରୁଥିବା ନଜର ଆସୁଛନ୍ତି । ତୁର୍କିଏର ନ୍ୟାୟିକ ମନ୍ତ୍ରୀ ଇଲମାଜ ତୁଞ୍ଚ ଏହି ଆକ୍ରମଣର ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.