ଫିଲିପାଇନ୍ସରେ ବାତ୍ୟା ଟ୍ରାମିର ତାଣ୍ଡବ, ଗଲାଣି ୨୬ ଜୀବନ

Published By : Prameya-News7 Bureau | October 24, 2024 IST

ନୂଆଦିଲ୍ଲୀ ୨୪।୧୦: ଫିଲିପାଇନ୍ସରେ ତାଣ୍ଡବ ରଚିଛି ବାତ୍ୟା ଟ୍ରାମି । ବାତ୍ୟା ପ୍ରଭାବରେ ପ୍ରାୟ ୨୬ ଜଣଙ୍କ ଜୀବନ ଯାଇଛି । ଏହା ବ୍ୟତୀତ ଅନେକ ଗୁରୁତର ହୋଇଛନ୍ତି । ଦେଢ଼ ଲକ୍ଷ ଲୋକ ନିଜ ଘରଦ୍ବାର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳରେ ରହିଛନ୍ତି । ବାତ୍ୟା ଟ୍ରାମି ଲ୍ୟାଣ୍ଡଫଲ କରିବା ପରେ ପ୍ରବଳ ବର୍ଷା ଲାଗି ରହିଛି । ଏଥିଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ନେଇ ସୂଚନା ମିଳିଛି । ବାତ୍ୟା ପରବର୍ତ୍ତୀ ବନ୍ୟାରେ ରାସ୍ତା ସବୁ ଧୋଇଯାଇଥିବା ବେଳେ କାର, ବସ ଆଦି ଭାସିଯାଇଛି । 

ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ସ୍କୁଲ ଏବଂ କଲେଜ ବନ୍ଦ ରହିଛି ।  ଫିଲିପାଇନ୍ସର ପୂର୍ବ ତଟରେ ବାତ୍ୟା ଟ୍ରାମି ମାଡ଼ ହେବା ପରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ଲକ୍ଷାଧିକ ଲୋକଙ୍କୁ ଉଦ୍ଧାର ଲାଗି ପ୍ରଶାସନ ଚେଷ୍ଟା ଜାରି ରଖିଛି । ଜୀବନ ବିକଳରେ ଘରର ଛାତ ଉପରେ ରହିଯାଇଥିବା ଲୋକମାନଙ୍କୁ ବୋଟ୍‌ ଦ୍ବାରା ଶୁଖିଲା ସ୍ଥାନକୁ ନିଆଯାଉଛି । ଏବେ ବି ଫିଲିପାଇନ୍ସର କେତେକ ସ୍ଥାନରେ ୯୫ କିଲୋମିଟର ଏବଂ ତାଠୁ ଅଧିକ ବେଗରେ ପବନ ପ୍ରବାହିତ ହେଉଛି । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ୧୫୦୦ ପୋଲିସ କର୍ମଚାରୀଙ୍କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି।

ବନ୍ୟା ଏବଂ ଭୂସ୍ଖଳନ ଦ୍ବାରା ବେଶୀ ପ୍ରଭାବିତ ହୋଇଛି ବିକୋଲ ପ୍ରଦେଶ । ଅଧିକାଂଶ ଲୋକ ବନ୍ୟା ପାଣିରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି । ବାତ୍ୟା ଟ୍ରାମି ଦ୍ବାରା ପ୍ରଭାବିତ ଲୋକଙ୍କ ସଂଖ୍ୟା ଖୁବ ଅଧିକ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି । ଯେଉଁମାନଙ୍କୁ ଉଦ୍ଧାର କରାଯାଇ ପାରିବ ନାହିଁ ସେମାନଙ୍କ ପାଖକୁ ଖାଦ୍ୟ ଏବଂ ପାନୀୟ ପଠାଯାଉଛି । ବର୍ଷା ଲାଗି ରହଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.