ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ କର୍ଣ୍ଣାଟକ ସରକାରଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ୍

Published By : Prameya-News7 Bureau | November 27, 2023 IST

ନୂଆଦିଲ୍ଲୀ: କର୍ଣ୍ଣାଟକର ସିଦ୍ଧରମେୟାଙ୍କ ସରକାରଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ୍। ତେଲେଙ୍ଗାନାରେ ସରକାରୀ ବିଜ୍ଞାପନ ଦେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ସୋମବାର (ନଭେମ୍ବର ୨୭) ନିର୍ବାଚନ ଆୟୋଗ ଏହି ନୋଟିସ୍ ଜାରି କରିଛନ୍ତି।

ନିର୍ବାଚନ ପ୍ୟାନେଲ କହିଛି ଯେ ଭାରତୀୟ ଜନତା ପାର୍ଟି ଏବଂ ତେଲେଙ୍ଗାନାର ଶାସକ ଭାରତୀୟ ରାଷ୍ଟ୍ର ସମିତି (ବିଆରଏସ) ଦଳ ଏହି ଅବିଯୋଗ କରିଛନ୍ତି। କର୍ଣ୍ଣାଟକ ସରକାର ଅନେକ ଖବରକାଗଜର ହାଇଦ୍ରାବାଦ ସଂସ୍କରଣରେ ବିଜ୍ଞାପନ ପ୍ରକାଶ କରିଛନ୍ତି ବୋଲି ଉଭୟ ଦଳ ଇସିଙ୍କ ପାଖରେ ଅଭିଯୋଗ କରିଛନ୍ତି।
ନିର୍ବାଚନ ଆୟୋଗ କହିଛନ୍ତି ଯେ ରେକର୍ଡ ଯାଞ୍ଚ କରି ଜଣାପଡିଲା ଯେ ନା କଂଗ୍ରେସକୁ ଏପରି ଅନୁମୋଦନ ଦିଆଯାଇଥିଲା ନା କର୍ଣ୍ଣାଟକ ସରକାରଙ୍କ ଇସିଙ୍କ ପାଖରେ ଏପରି କୌଣସି ଆବେଦନ ବିଚାରାଧୀନ ନାହିଁ। ତେବେ କେଉଁ ଅଧିକାରରେ ରାଜ୍ୟ ସରକାର ବିଜ୍ଞାପନ ଦେଲେ ବୋଲି ଇସି ନୋଟିସ୍‌ରେ ପ୍ରଶ୍ନ କରିଛନ୍ତି।

ପଢ଼ନ୍ତୁ-ବିଜେପି କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାଁ ବଦଳାଇ ଭାଗ୍ୟନଗର କରିବୁ: ଜି. କିଶନ ରେଡ୍ଡୀ

ନିର୍ବାଚନ ଆୟୋଗର ବିଜ୍ଞପ୍ତିରେ କୁହାଯାଇଛି ଯେ କର୍ଣ୍ଣାଟକ ସରକାର ନିର୍ବାଚନ ମୁଖର ରାଜ୍ୟ ତେଲେଙ୍ଗାନାର ଖବରକାଗଜ ଗୁଡ଼ିକରେ କଂଗ୍ରେସ ସରାକରଙ୍କର ଜନକଲ୍ୟାଣକାରୀ ଯୋଜନା ଓ ଉପଲବ୍ଧିବାଲା ବିଜ୍ଞାପନ ଦେଇଛନ୍ତି। ଏହା ଆୟୋଗର ନିର୍ଦ୍ଦେଶର ଚରମ ଉଲ୍ଲଂଘନ ବୋଲି ଇସି କହିଛନ୍ତି।

ଏହି ଘଟଣାରେ ନଭେମ୍ବର ୨୮ ତାରିଖ ସୁଦ୍ଧା ସ୍ପଷ୍ଟୀକରଣ ଦେବାକୁ ନିର୍ବାଚନ ଆୟୋଗ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେଲେଙ୍ଗାନାରେ ଏଭଳି ବିଜ୍ଞାପନ ପ୍ରକାଶନକୁ ତୁରନ୍ତ ବନ୍ଦ କରିବାକୁ ନିର୍ବାଚନଆୟୋଗ ମଧ୍ୟ ସିଦ୍ଧରମେୟା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ଦାୟିତ୍ୱରେ ଥିବା ସଚିବଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଆୟୋଗ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.