କେଜ୍ରିଓ୍ବାଲଙ୍କ ଜବାବରେ ସନ୍ତୁଷ୍ଟ ନୁହଁନ୍ତି ଇସିଆଇ; ଆପ୍ ସଂଯୋଜକଙ୍କୁ ପୁଣି ପାଞ୍ଚ ପ୍ରଶ୍ନ

Published By : Prameya-News7 Bureau | January 30, 2025 IST

ନୂଆଦିଲ୍ଲୀ: ଯମୁନା ନଦୀରେ ବିଷ ମିଶୁଥିବା କେଜ୍ରିଓ୍ବାଲଙ୍କ ଦାବିକୁ ନେଇ ଘେରିଲା ବିଜେପି । ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେପଟେ ନିର୍ବାଚନ ଆୟୋଗ ମଧ୍ୟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜବାବରେ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି । ନିର୍ବାଚନ କମିଶନର ଅରବିନ୍ଦ କେଜ୍ରଓ୍ବାଲଙ୍କୁ ପ୍ରମାଣ ସହିତ ଜବାବ ଦେବାକୁ ନୋଟିସ୍ ପଠାଇଛନ୍ତି । ଏଥିରେ ପାଞ୍ଚଟି ପ୍ରଶ୍ନ ରହିଛି, ଜାନୁଆରୀ ୩୧ ତାରିଖ ଦିନ ୧୧ଟା ସୁଦ୍ଧା ଜବାବ ଦେବାକୁ କୁହାଯାଇଛି । 

ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଦାବି କରିଥିଲେ ଯେ, ହରିୟାଣାର ବିଜେପି ସରକାର ଯମୁନା ନଦୀରେ ବିଷ ମିଶାଉଛି । ଏହି ପାଣିକୁ ଦିଲ୍ଲୀ ଜଳ ନିୟନ୍ତ୍ରଣ ବୋର୍ଡର ଇଞ୍ଜିନିୟର୍ସ ମାନେ ଅଟକାଇ ନଥିଲେ ରାଜଧାନୀରେ ନରସଂହାର ହୋଇଯାଇଥାନ୍ତା । ଆଗକୁ ଦିଲ୍ଲୀରେ ବିଧାନସଭା ରହିଥିବାରୁ କେଜ୍ରିଓ୍ବାଲଙ୍କ ବୟାନକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି । ଯମୁନା ନଦୀ ମାମଲାରେ  ନିର୍ବାଚନ କମିଶନରଙ୍କୁ ଜବାବ ମିଳିଥିଲେ ମଧ୍ୟ ଏହା ଉପରେ ପ୍ରମାଣ ସହ ପୁଣି ଥରେ ଜବାବ ମାଗିଛନ୍ତି । 

ନିର୍ବାଚନ ଆୟୋଗ କରିଥିବା ପାଞ୍ଚ ପ୍ରଶ୍ନ:-

୧. ହରିୟାଣା ସରକାର ଯମୁନା ନଦୀରେ କେଉଁ ପ୍ରକାର ବିଷ ମିଶାଉଛନ୍ତି ?

୨. ବିଷର ମାତ୍ରା ଓ ପ୍ରକାରକୁ ନେଇ ପ୍ରମାଣ ଦିଅ, ଯେଉଁଥିରୁ ଜଣାପଡ଼ିବ କି ଏଥିରେ ପ୍ରାଣହାନି ଘଟିବ କି ନାହିଁ ?

୩. କେଉଁ ସ୍ଥାନରେ ଯମୁନା ନଦୀରେ  ବିଷ ମିଶାଯାଉଛି ?

୪. ଦିଲ୍ଲୀ ଜଳ ପ୍ରଦୂଷଣ ବୋର୍ଡ କେଉଁ ଇଞ୍ଜିନିୟର୍ସଙ୍କୁ ବିଷର ଯାଞ୍ଚ ନେଇ ଦାୟିତ୍ବ ଦେଇଥିଲା ?

୫. ଦିଲ୍ଲୀରେ ପାଣି ପ୍ରବେଶ ବନ୍ଦ ପାଇଁ ଇଞ୍ଜିନିୟର୍ସ ମାନେ କ’ଣ ଉପାୟ ଅବଲମ୍ବନ କରିଥିଲେ ?

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.