ବେଟିଂ ଆପ୍ ପ୍ରମୋଟରଙ୍କ ବିବାହରେ ଯୋଗଦେବା ପଡ଼ିପାରେ ଭାରି, ବଲିଉଡ୍ କଳାକାରଙ୍କୁ ସମନ କରିପାରେ ଇଡି

Published By : Prameya-News7 Bureau | September 16, 2023 IST

ନୂଆଦିଲ୍ଲୀ: ବଢ଼ିପାରେ ବଲିଉଡ ସେଲିବ୍ରିଟିଙ୍କ ଅଡ଼ୁଆ । ମହାଦେବ ଅନଲାଇନ ବେଟିଂ ମାମଲାରେ ଫସିପାରନ୍ତି ବଲିଉଡ୍‌ ଅଭିନେତା ଅଭିନେତ୍ରୀ। ଆପ୍‌ ପ୍ରମୋଟରଙ୍କ ବିବାହରେ ଯୋଗଦେଇଥିବା ବଲିଉଡ କଳାକାର ଏବେ ଇଡି ସ୍କାନରରେ । ପ୍ରକୃତରେ ବଲିଉଡର କିଛି କଳାକାର ବେଟିଂ ଆପ୍‌ର ପ୍ରମୋଟରଙ୍କ ବିବାହରେ ଯୋଗଦେଇଥିଲେ। ଏହି ବେଟିଂ ଆପ୍‌ ବିରୋଧରେ ଇଡି ତଦନ୍ତ କରୁଛି । କୁହାଯାଉଛି ଏହି ମାମଲାରେ ଇଡି ବଲିଉଡ କଳାକାରଙ୍କୁ ସମନ କରିପାରେ।

ସୂଚନାଯୋଗ୍ୟ, ଏହି ସେଲିବ୍ରିଟିମାନେ ଗତ ଫେବ୍ରୁଆରୀରେ ଦୁବାଇରେ ଆପ୍‌ର ପ୍ରମୋଟର ସୌରଭ ଚନ୍ଦ୍ରାଙ୍କର ବିବାହରେ ଯୋଗଦେଇଥିଲେ। ଇଡି ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏଥିପାଇଁ ସେମାନଙ୍କୁ ଟଙ୍କା ମଧ୍ୟ ମିଳିଥିଲା। କୁହାଯାଉଛି ସୌରଭଙ୍କ ବିବାହରେ ଟାଇଗର ସ୍ରୌଫ୍‌, ସନି ଲିଓନି, ନେହା କକ୍କର, ଆତିଫ ଅସଲମ, ରାହତ ଫତେହ ଅଲି ଖାନ୍, ଅଲି ଅସଗର, ଭିଶାଲ ଦଦଲାନୀ, ଅଲି ଅଭରାମ, ଭାରତୀୟ ସିଂହ. ଭାଗ୍ୟଶ୍ରୀ, କ୍ରିତି ଖରବନ୍ଦା, ନୁସରତ ଭରୁଚ୍ଚା, କ୍ରିଷ୍ଣା ଅଭିଶେକ ଏବଂ ସୁଖଓ୍ବିନ୍ଦର ସିଂହ ଯୋଗଦେଇଥିଲେ। ଏହି ବିବାହ ଉତ୍ସବରେ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚା ହୋଇଥିଲା। ଯେଉଁଥିରେ ହୋଟେଲ ବୁକିଂ, ନାଗପୁରରୁ ଦୁବାଇ ଫେରୀ ଇତ୍ୟାଦି ଖର୍ଚ୍ଚ ରହିଛି। ସୌରଭ ଚନ୍ଦ୍ରାକର ବିବାହ ସମୟର ଏକ ଭିଡିଓରେ ମଧ୍ୟ ​ବଲିଉଡ୍ ତାରକାଙ୍କୁ ଦେଖାଯାଇଛି।

ଆହୁରି ପଢ଼ନ୍ତୁ: ଦୁବାଇରେ ବିବାହ ପ୍ରସ୍ତୁତି, ସେଲିବ୍ରିଟିଙ୍କୁ ନିମନ୍ତ୍ରଣ, ପ୍ରାଇଭେଟ୍ ଜେଟ୍; ବେଟିଂ ଆପ୍ କଳା ସାମ୍ରାଜ୍ୟର ଗୁମର ଖୋଲିଲା ଇଡି

ଉଲ୍ଲେଖଯୋଗ୍ୟ, ମହାଦେବ ବୁକ୍‌ ଆପ୍ ହେଉଛି ଏକ ଅନଲାଇନ୍‌ ବେଟିଂ ପ୍ଲାଟଫର୍ମ ଆପ୍‌, ଯାହା ବର୍ତ୍ତମାନ ଇଡି ଏବଂ ବିଭିନ୍ନ ରାଜ୍ୟର ପୋଲିସ୍‌ର ତଦନ୍ତରେ ରହିଛି। ଇଡି ଶୁକ୍ରବାର କମ୍ପାନିର ୪୧୭ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ୍‌ କରିଛି। ଏହି କମ୍ପାନି ଦୁବାଇରୁ ପରିଚାଳିତ ହେଉଥିଲା। ବେଆଇନ ବେଟିଂ ଓ୍ବେବସାଇଟରେ ୟୁଜର୍ସଙ୍କ ନାମ ପଞ୍ଜିକରଣ କରି ବେନାମୀ ବ୍ୟାଙ୍କ ଖାତା ଖୋଲି କୋଟି କୋଟି ଟଙ୍କା ହେରାଫେରୀ ସିଣ୍ଡିକେ଼ଟ୍ ଖୋଲିଥିଲା ବେଟିଂ ଆପ୍ ମାଲିକ । ଟଙ୍କା ଠକେଇ ଅଭିଯୋଗ ଆସିବା ପରେ ମହାଦେବ ଅନଲାଇନ୍ ବୁକ୍ ବେଟିଂ ଆପ୍ ଉପରେ ରେଡ୍ ମାରିଥିଲା ଇଡି ।

ଅନଲାଇନ ବେଟିଂ ଆପ୍ ମାଧ୍ୟମରେ ୧୧୨କୋଟି ଟଙ୍କର ସାମ୍ରାଜ୍ୟ କରିଥିଲା  ସୌରଭ ଚନ୍ଦ୍ରକାର । ବେଟିଂରେ ହେଉଥିବା ରୋଜଗାରକୁ ସିଧା ସିଧା ବିଦେଶୀ ବ୍ୟାଙ୍କରେ ପଠାଇବା ପାଇଁ ବଡ଼ ଧରଣ ମନିଲଣ୍ଡ୍ରିଂ ଅପରେସନ କରୁଥିବା ରେଡ୍ ବେଳେ ତଦନ୍ତକାରୀ ସଂସ୍ଥା ସୂଚନା ଦେଇଛି । ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛତିଶଗଡ଼ରୁ ସିଣ୍ଡିକେଟର ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ମିଥ୍ୟା ସ୍କିମ୍‌ ମାଧ୍ୟମରେ ୧୭୦୦ କୋଟିର ଠକେଇ, ଦୁଇ ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଡି

ଇଡି ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ସୌରଭ ଏବଂ ଆପ୍‌ର ଅନ୍ୟ ପ୍ରମୋଟର ରବି ଉପ୍ପଲଙ୍କ ଦ୍ବାରା ଗତ ବର୍ଷ ସେପ୍ଟେମ୍ବରରେ ଆୟୋଜିତ ପାର୍ଟିକୁ ନେଇ ମଧ୍ୟ ଇଡି ତଦନ୍ତ କରୁଛି। ଏହି ପାର୍ଟିରେ ମଧ୍ୟ ଅନେକ ବଲିଉଡ କଳାକାର ମଧ୍ୟ ଯୋଗ‌ଦେଇଥିଲେ। ସେମାନେ ମଧ୍ୟ ଏବେ ଇଡି ସ୍କାନରରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.