ନୂଆଦିଲ୍ଲୀ: ଇତିହାସ ରଚିଲେ ଏଲନ ମସ୍କ। ୪୦୦ ବିଲିୟନ ଡଲାରର ସମ୍ପତ୍ତି ରଖିବାରେ ହେଲେ ଦୁନିଆର ପ୍ରଥମ ବ୍ୟକ୍ତି। ବୁଧବାର କେବଳ ଗୋଟିଏ ଦିନରେ ହିଁ ତାଙ୍କ ସମ୍ପତ୍ତିରେ ୬୨ ବିଲିୟନ ଡଲାରର ବୃଦ୍ଧି ହୋଇଛି। ଆଉ ତାଙ୍କର ସମୁଦାୟ ସମ୍ପତ୍ତି ବା ନେଟଓ୍ବର୍ଥ ଏବେ ହୋଇଛି ୪୪୭ ବିଲିୟନ ଡଲାର।
ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ବୁଧବାର ସ୍ପେସଏକ୍ସ ଏବଂ ଏହାର ନିବେଶକ କମ୍ପାନିର କର୍ମଚାରୀ ଏବଂ ଅନ୍ୟ ଇନସାଇଡର୍ସଙ୍କ ଠାରୁ ୧.୨୫ ବିଲିୟନ ଡଲାରର ସେୟାର କିଣିବାକୁ ସହମତ ହୋଇଛି। ଏହି ଡିଲ ପରେ ସ୍ପେସଏକ୍ସର ଭାଲ୍ୟୁ ୩୫୦ ବିଲିୟନ ଡଲାର ହୋଇଛି। ଏହା ସହ ସ୍ପେସଏକ୍ସ ଦୁନିଆର ସବୁଠୁ ବଡ଼ ପ୍ରାଇଭେଟ ଷ୍ଟାର୍ଟଅପ୍ ହୋଇଥିବାବେଳେ ଏହି ଡିଲ କାରଣରୁ ଏଲନ ମସ୍କଙ୍କ ନେଟଓ୍ବର୍ଥରେ ବୁଧବାର ୫୦ ବିଲିୟନ ଡଲାରର ବୃଦ୍ଧି ହୋଇଛି। ସେହିଭଳି ଟେସଲାର ଶେୟାରରେ ମଧ୍ୟ ୧୨ ବିଲିୟନ ଡଲାର ବୃଦ୍ଧି ହୋଇଛି। ଏହିଭଳି ଭାବରେ ଗୋଟିଏ ଦିନରେ ମସ୍କଙ୍କୁ ୬୨ ବିଲିୟନ ଡଲାରର ଫାଇଦା ହୋଇଛି। ଯାହା ପରେ ତାଙ୍କ ସମୁଦାୟ ସମ୍ପତ୍ତି ୪୪୭ ବିଲିୟନ ଡଲାର ହୋଇଛି।
ପ୍ରକୃତରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରଠାରୁ ଏଲନ ମସ୍କଙ୍କ ନେଟଓ୍ବର୍ଥରେ ୧୮୩ ବିଲିୟନ ଡଲାରର ବୃଦ୍ଧି ଦେଖିବାକୁ ମିଳିଛି। ନଭେମ୍ବର ୫ରେ ଯେତେବେଳେ ୨୬୪ ବିଲିୟନ ଡଲାର ଥିବା ମସ୍କଙ୍କ ସମ୍ପତ୍ତି ଏବେ ୪୪୭ ବିଲିୟନ ଡଲାରରୁ ଅଧିକ ହୋଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଡିସେମ୍ବର ୪ ପରଠାରୁ ଟେସଲାର ସେୟାରରେ ୭୨ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ନଭେମ୍ବର ୪ରେ ଥିବା ୨୪୩ ଡଲାର ପାଖାପାଖି ଥିବା ସେୟାର ଏବେ ୪୨୪.୭୭ ଡଲାରରେ ପହଞ୍ଚିଲାଣି। ତେଣୁ ଏମିତିରେ ଆସନ୍ତା ବର୍ଷ ମସ୍କଙ୍କ ସମ୍ପତ୍ତି ୫୦୦ ବିଲିୟନ ଡଲାର ପହଞ୍ଚିବା ନେଇ ଅନୁମାନ ମଧ୍ୟ କରାଯାଉଛି।