ଦୂର ସଂଚାର କ୍ଷେତ୍ରରେ ବଡ଼ ପରିବର୍ତ୍ତନର ଆଭାସ; ଷ୍ଟାରଲିଙ୍କ, ଜିଓ ଓ ଏୟାରଟେଲ୍ ମଧ୍ୟରେ ଲଢ଼େଇ, ଶସ୍ତା ହେବ ତ ମୋବାଇଲ ସେବା ?

Published By : Prameya-News7 Bureau | November 09, 2024 IST

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଦୂରସଂଚାର କ୍ଷେତ୍ରରେ ବଡ଼ ପରିବର୍ତ୍ତନର ଆଭାସ ମିଳିଲାଣି। ବଦଳିଯିବ ଡିଜିଟାଲ ଇଣ୍ଡିଆର ରୂପରେଖ। ଭାରତୀୟ ମାର୍କେଟ୍‌ରେ ଶେଷ ହୋଇପାରେ ଜିଓ ଓ ଏୟାରଟେଲ୍‌ ରାଜୁତି। କାରଣ ଇଣ୍ଡିଆରେ ଏଣ୍ଟ୍ରି ମାରିପାରନ୍ତି ବିଶ୍ୱର ନମ୍ବର ୱାନ ଧନୀ ଏଲନ ମସ୍କ। ମସ୍କଙ୍କ ଏଣ୍ଟ୍ରି ନେଇ ମଧ୍ୟ ରାସ୍ତା ପରିଷ୍କାର ହେଉଥିବା ଦେଖିବାକୁ ମିଳିଛି। କେନ୍ଦ୍ର ଟେଲିକମ ମନ୍ତ୍ରୀ ଜ୍ଯୋତିରାଦିତ୍ଯ ସିନ୍ଧିଆ କହିଛନ୍ତି, ସ୍ଯାଟେଲାଇଟ ବ୍ରଣ୍ଡବ୍ଯାଣ୍ଡ ସ୍ପେକ୍ଟ୍ରମର ନିଲାମ ହେବନି। ବରଂ ଆବଣ୍ଟନ କରାଯିବ। କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଶୁଣି ମସ୍କ ତ ବେଶ୍ ଖୁସ୍। ହେଲେ ଅମ୍ବାନୀ ଓ ସୁନୀଲ ମିତଲଙ୍କ ମନ ଦୁଃଖ। ସେପଟେ ଶସ୍ତା ଓ ସ୍ପିଡ୍ ଇଣ୍ଟରନେଟ୍ ଅପେକ୍ଷାରେ ଗ୍ରାହକ।
ସାଟେଲାଇଟ ବ୍ରଡ୍‌ବ୍ୟାଣ୍ଡ ନେଇ ଏଲନ ମସ୍କଙ୍କ ଷ୍ଟାର୍‌ଲିଙ୍କ ଓ ଅମ୍ବାନୀଙ୍କ ଜିଓ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝାରେ ମସ୍କଙ୍କର ଏକପ୍ରକାର ବିଜୟ ସୁନିଶ୍ଚିତ। ପିଟିଆଇକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଯାହା କହିଛନ୍ତି ସେଥିରେ ଘରୋଇ ଲିଡର ଜିଓ ଓ ଏୟାରେଟେଲ୍ ଛାତିରେ ଛନକା ପଶିଛି। କାରଣ ଭାରତୀୟ ମାର୍କେଟରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ଏଲନ ମସ୍କ। ପ୍ରତିଯୋଗୀତା ଅଧିକ ବଢ଼ିଲେ ମାର୍କେଟର ମୂଲ୍ଯ କମିବ। ଆଉ ମୂଲ୍ଯ କମିଲେ ଗ୍ରାହକ ସୁବିଧା ଅନୁସାରେ ସେବା ବାଛିବେ। ଏଥିରେ କାହାର ବି ଏକଚାଟିଆ ପ୍ରଭାବ ରହିବ ନାହିଁ। ତେବେ ଅମ୍ବାନୀ ଓ ମିତଲଙ୍କ ମନରେ ଯେଉଁ ଭୟ ଥିଲା, ତାହା ଦୂର କରିଛନ୍ତି କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ଜ୍ଯୋତିରାଦିତ୍ଯ ସିନ୍ଧିଆ। ମନ୍ତ୍ରୀ କହିଛନ୍ତି କାହାକୁ ବି ମାଗଣା ସ୍ପେକ୍ଟ୍ରମ ଦିଆଯିବ ନାହିଁ। ଟେଲିକମ ରେଗୁଲେଟୋରୀ ଅଥୋରିଟି ବା ଟ୍ରାଇ ଏହାର ମୂଲ୍ଯ ନିର୍ଦ୍ଧାରଣ କରିବ।
 
ଦୁଇ ଘରୋଇ ଟେଲିକମ କମ୍ପାନୀ ଯଥା ରିଲାଏନ୍ସ ଜିଓ ଓ ଏୟାରଟେଲ୍ ଚାହୁଁଛନ୍ତି, ସାଟେଲାଇଟ ବ୍ରଣ୍ଡବ୍ୟାଣ୍ଡ ସ୍ପେକ୍ଟ୍ରମର ନିଲାମ କରାଯାଉ ଓ ସମସ୍ତଙ୍କୁ ନିଲାମୀରେ ସମାନ ସୁଯୋଗ ଦିଆଯାଉ। ଆଉ ଯଦି ସରକାର ସାଟେଲାଇଟ ବ୍ରଡବ୍ୟାଣ୍ଡ୍ ଏୟାରୱେଭ୍ ମୂଲ୍ୟ ସ୍ଥିର କରି ଆବଣ୍ଟିନ କରନ୍ତି ତେବେ ପ୍ରତିଯୋଗିତାରେ ଅସମାନତା ଦେଖା ଦେବ ବୋଲି ଦୁଇ କମ୍ପାନୀ ଦାବି କରିଛନ୍ତି। ଏୟାରଟେଲ୍ ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ କହିଛନ୍ତି, ଯେଉଁ ସାଟେଲାଇଟ୍ କମ୍ପାନି ଭାରତର ସହରାଞ୍ଚଳରେ କାମ କରିବାକୁ ଚାହୁଁଛି ଓ ରିଟେଲ୍ ଗ୍ରାହକଙ୍କୁ ସେବା ଦେବାକୁ ଚାହୁଁଛି, ତାଙ୍କୁ ମଧ୍ୟ ଅନ୍ୟମାନଙ୍କ ପରି ଟେଲିକମ ଲାଇସେନ୍ସ ପାଇଁ ଅର୍ଥ ଦେବା ଉଚିତ୍। ତା’ ଉପରେ ସେହି ସର୍ତ୍ତ ଲାଗୁ ହେବା ଉଚିତ୍, ଯାହା ଅନ୍ୟ କମ୍ପାନି ଉପରେ ଲାଗୁ ହୋଇଛି। ଅମ୍ବାନୀ କହିଛନ୍ତି ଯେଉଁମାନେ ଏୟରୱେବ୍‌ସ କିଣିବା ସହିତ ଟେଲିକମ ଟାୱାର ସ୍ଥାପନ କରୁଛନ୍ତି ସେମାନଙ୍କୁ ସମାନ ସୁଯୋଗ ଦିଆଯିବା ଦରକାର।
ଭାରତରେ ଜିଓ ଓ ଏୟାର ଟେଲ୍ ଭୂତଳ କେବଲ ବିଛାଇ ଟେଲିକମ ସେବା ଦେବାକୁ ବିପୁଳ ପୁଞ୍ଜି ନିବେଶ କରି ଖର୍ଚ୍ଚାନ୍ତ ହୋଇଛନ୍ତି। ସେତେବେଳ ସରକାର ଟେଲିକମ ସ୍ପେକ୍ଟ୍ରମ ପାଇଁ ନିଲାମୀ ଡାକିଥିଲେ। ଦୁଇ କମ୍ପାନ ଏକଚାଟିଆ ଭାବେ ନିଲାମୀ ଧରି ବିପୁଳ ପୁଞ୍ଜି ନିବେଶ କରିଥିଲେ। ହେଲେ ଏବେ ସାଟକମ ପାଇଁ ନିଲାମୀ ଡକା ନଯିବାରୁ ମସ୍କ ଖୁବ୍ ଖର୍ଚ୍ଚରେ ସ୍ପେକ୍ଟ୍ରମ ପାଇଯିବେ। ଏଥିରେ ପ୍ରତିଯୋଗୀତାର ଅସମାନତା ଦେଖା ଦେବ ବୋଲି ଭାରତୀୟ ଟେଲିକମ କମ୍ପାନୀଗୁଡ଼ିକ ଦାବି କରିଛନ୍ତି।
ସେପଟେ ଆଉ ଏକ କି ଫ୍ୟାକ୍ଟେର ହେଉଛି ଭାରତୀୟ ମାର୍କେଟ୍‌ରେ ବର୍ତ୍ତମାନ ଅନ୍ୟ ଟେଲିକମ କମ୍ପାନୀ ଥିଲେ ବି ଜିଓ ଓ ଏୟାରଟେଲ୍ ରାଜୁତି କରୁଛନ୍ତି। ଏପରି ସ୍ଥଳେ ଯଦି ତୃତୀୟ ପକ୍ଷର ଏଣ୍ଟ୍ରି ହୁଏ, ତାହା ପୁଣି ସାଟେଲାଇଟ୍ ମାଧ୍ୟମରେ ଓ ସ୍ୱଳ୍ପ ଖର୍ଚ୍ଚରେ ତେବେ କମ୍ପାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଶସ୍ତାରେ ସେବା ଯୋଗାଇ ଦେବ। ଆଉ ଗ୍ରାହକ ଦରବୃଦ୍ଧିରୁ ଆଶ୍ୱସ୍ଥି ପାଇ ଘରୋଇ କମ୍ପାନୀ ଛାଡ଼ି ଷ୍ଟାର୍‌ଲିଙ୍କ ମୁହାଁ ହେବେ। ଫଳରେ ଭାରତୀୟ ମାର୍କେଟ୍‌ରେ ଘରୋଇ କମ୍ପାନୀଙ୍କ ଏକ୍‌ଚାଟିଆ ପ୍ରଭାବ କମିଯିବାର ଭୟ ରହିଛି।
ତେଣୁ ସ୍ପେକ୍ଟ୍ରମ ନିଲାମୀ ନେଇ ଲବି କରୁଛନ୍ତି ଘରୋଇ ମାର୍କେଟ୍ ଲିଡର। ହେଲେ ମନ୍ତ୍ରୀ କହିଛନ୍ତି “ ପ୍ରତ୍ଯେକ ଦେଶକୁ ଅନ୍ତର୍ଜାତୀୟ ଦୂର ସଂଚାର ସଂଘ ବା ITUର ନିୟମ ମାନିବା ଉଚିତ। ITU ସ୍ପେଶ୍ ସାଟେଲାଇଟ୍‌ ସ୍ପେକ୍ଟ୍ରମ ପାଇଁ ନୀତି ନିର୍ଦ୍ଧାରଣ କରିଥାଏ। ଆସାଇନମେଣ୍ଟ ଆଧାରରେ ସ୍ପେକ୍ଟ୍ରମ ଦିଆଯାଉ ବୋଲି ITU ସ୍ପଷ୍ଟ କହିଛି। ଏହାଛଡ଼ା ସାରା  ବିଶ୍ୱରେ କୌଣସି ଦେଶରେ ସାଟେଲାଇଟ ସ୍ପେକ୍ଟ୍ରମ ନିଲାମୀ କରାଯାଉ ନାହିଁ। ତେଣୁ ଭାରତ କିଭଳି ନିୟମ ବାହାରେ କାମ କରିବ ବୋଲି ବୋଲି ସିନ୍ଧିଆ କହିଛନ୍ତି। ତା ଛଡ଼ା ଡିସେମ୍ବରରେ ପାସ୍ ହୋଇଥିବା ୨୦୨୩ ଟେଲିକମ ଆକ୍ଟର ସିଡ୍ୟୁଲ୍ଡ -୧ରେ ସାଟକମ ସ୍ପେକ୍ଟ୍ରମ ଆବଣ୍ଟନ ପ୍ରଶାସନିକ ସ୍ତରରେ ହେଉ ବୋଲି ନିୟମ ରହିଥିବା ମନ୍ତ୍ରୀ କହିଛନ୍ତି। 

ଭାରତରେ ସାଟେଲାଇଟ୍ ମାଧ୍ୟଣରେ ଟେଲିକମ ସେବା ଯୋଗାଇବାକୁ ଚାହୁଁଛି ଏଲନ ମସ୍କଙ୍କର ଷ୍ଟାର ଲିଙ୍କ। ଏଥିପାଇଁ କମ୍ପାନୀ ଲାଇସେନ୍ସ ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ହେଲେ କେନ୍ଦ୍ରମନ୍ତ୍ରୀ କିନ୍ତୁ ଏନେଇ କୌଣସି ସୂଚନା ଦେଇ ନାହାନ୍ତି। ସିନ୍ଧିଆ କହିଛନ୍ତି ବର୍ତ୍ତମାନ ସମୟରେ ଯେଉଁମାନେ ଭାରତରେ ନିବେଶ କରିବାକୁ ଇଚ୍ଛୁକ ସେମାନେ ଆବେଦନ କରିପାରିବେ। ମୁଁ ଭାବୁଛି କେବଳ ଗୋଟିଏ କିମ୍ବା ଦୁଇଟି ଲାଇସେନ୍ସ ଦିଆଯାଇଛି। ଯିଏ ଏଥିରେ ଭାଗ ନେବାକୁ ଚାହିଁବେ ଭାରତ ଏଥିରେ ସହଯୋଗ କରିବ।  

ଭାରତରେ ସାଟେଲାଇଟ ସ୍ପେକ୍ଟ୍ରମ ପାଇଁ କାହିଁକି ଏତେ ଟାଣାଓଟରାଟେସଲା ପ୍ଲାଣ୍ଟ ଖୋଲିବାକୁ ଅମଙ୍ଗ ହେଉଥିବା ମସ୍କ କାହିଁକି ଭାରତରେ ସାଟେଲାଇଟ ସ୍ପେକ୍ଟ୍ରମ କିଣିବାକୁ ଚାହୁଁଛନ୍ତିଯଦିବା ମସ୍କଙ୍କ କମ୍ପାନୀ ଷ୍ଟାର୍‌ଲିଙ୍କ ଭାରତରେ ସେବା ପ୍ରଦାନ କରେ ତେବେ ଭାରତୀୟ ଗ୍ରାହକଙ୍କ ପାଇଁ ଶସ୍ତା ହେବ ତ

ବିଶ୍ୱର ନମ୍ବର ୱାନ୍ ଧନୀ ଏଲନ ମସ୍କ, ଯାହାଙ୍କ ସମ୍ପତ୍ତି ୨୪୧ ବିଲିଅନ ଡଲାର ଯାହା ଅମ୍ବାନୀ, ଆଦାନୀ ଓ ମିତଲଙ୍କ ମିଳିତ ସମ୍ପତ୍ତି ଠାରୁ ବି ଅଧିକ ସେ ପ୍ରଥମ ଥର ପାଇଁ ଭାରତୀୟ ସ୍ପେକ୍ଟ୍ରମ କ୍ଷେତ୍ରରେ ଖୋଲାଖୋଲି ସ୍ୱର ଉଠାଇଥିଲେ। ଏଲନ ମସ୍କଙ୍କର ଷ୍ଟାର ଲିଙ୍କ ଓ ଆମାଜାନର କୁଇପର ସିଷ୍ଟମ ସ୍ପେକ୍ଟ୍ରମର ପ୍ରଶାସନିକ ଆବଣ୍ଟନକୁ ସମର୍ଥନ କରୁଛନ୍ତି। ବିଶ୍ୱରେ ଚାଲିଥିବା ଟ୍ରେଣ୍ଡ ଅନୁସାରେ ପ୍ରଶାସନିକ ସ୍ତରରେ ଲାଇସେନ୍ସ ଦିଆଯିବା ଉଚିତ୍ ବୋଲି ବିଦେଶୀ କମ୍ପାନୀ ଦାବି କରିଛନ୍ତି। ହେଲେ ସ୍ପେକ୍ଟ୍ରମ୍ ନିଲାମ ହେଲେ ଷ୍ଟାରଲିଙ୍କ ପାଇଁ ଭାରତରେ ସେବା ଆରମ୍ଭ କରିବା ମହଙ୍ଗା ହୋଇଯିବ। ଘରୋଇ କମ୍ପାନୀ ଅଧିକ ବୋଲିଂ ଲଗାଇ ସ୍ପେକ୍ଟ୍ରମ କିଣିଦେବେ। 

ସେପଟେ ଭାରତରେ ଇଣ୍ଟରନେଟର ଚାହିଦା ବଢ଼ିଛି। ଭାରତୀୟ ଇଣ୍ଟରନେଟ ମାର୍କେଟ୍ ବିଶ୍ୱରେ ନମ୍ବର ୱାନ୍ ହୋଇଛି। ନିକଟରେ ଟେଲିକମ ମନ୍ତ୍ରଣାଳୟ ଜାରି   କରିଥିବା ସୂଚନା ଅନୁସାରେ, ବର୍ତ୍ତିମାନ ଭାରତରେ ବିଶ୍ୱର ସବୁଠାରୁ ଅଧିକ ଇଣ୍ଟରନେଟ୍‌ ସେବା ବ୍ୟବହାର କରାଯାଉଛି। ଏଠାରେ ସର୍ବାଧିକ ୯୬.୯୬ କୋଟି ଇଣ୍ଟରନେଟ ସବସ୍କ୍ରାଇବର ଅଛନ୍ତି। ଯାହା ଆମେରିକା, ଜାପାନ ଏବଂ ରୁଷର ସମୁଦାୟ ଜନସଂଖ୍ୟା ଠାରୁ ବି ଅଧିକ। ସମୁଦାୟ ୯୬.୯୬ କୋଟି ଗ୍ରାହକଙ୍କ ମଧ୍ୟରୁ ୪.୨ କୋଟି ଓ୍ବାୟରଡ କନେକ୍ସନ ଏବଂ ୯୨ କୋଟି ଓ୍ବାୟାରଲେସ କନେକ୍ସନ ରହିଛି। ଆଉ ଏହି ତଥ୍ୟ ହିଁ ଭାରତରେ ବଢ଼ୁଥିବା ଇଣ୍ଟରନେଟ୍‌ର ଚାହିଦାକୁ ଦର୍ଶାଉଛି। ତେବେ ଟ୍ରାଇ ଜାରି କରିଥିବା ସୂଚନା ଅନୁସାରେ, ଡାଟା ଟ୍ରାଫିକରେ ବର୍ତ୍ତମାନ ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ନେଟୱର୍କ। ଜିଓ ଚୀନର କମ୍ପାନି ‘ଚାଇନା ମୋବାଇଲ୍’କୁ ମଧ୍ୟ ପଛରେ ପକାଇ ଦେଇଛି। ଡାଟା ଟ୍ରାଫିକରେ ଚାଇନା ଟେଲିକମ୍ ତୃତୀୟ ସ୍ଥାନରେ ଥିବା ବେଳେ ଭାରତୀୟ କମ୍ପାନୀ ଏୟାରଟେଲ ଚତୁର୍ଥ ସ୍ଥାନରେ ଏବଂ ଭୋଡା ଆଇଡିଆ ଷଷ୍ଠ ସ୍ଥାନରେ ରହିଛି। 

ଭାରତରେ ଇଣ୍ଟରନେଟ୍‌ ମାର୍କେଟ୍‌ ପ୍ରବଳ ଚାହିଦା ଯୋଗୁ ସ୍ପେକ୍ଟ୍ରମ ନିଲାମୀକୁ ନେଇ କମ୍ପାନୀଗୁଡ଼ିକ ମଧ୍ୟରେ ଏଭଳି ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। ଭାରତରେ ବ୍ୟବସାୟର ଅପାର ସମ୍ଭାବନା ଦେଖୁଛି ଷ୍ଟାର୍‌ଲିଙ୍କ। ଯଦି ସରକାର ସ୍ପେକ୍ଟ୍ରମ ମୂଲ୍ୟ ନିର୍ଦ୍ଧାରଣ କରି ଆବଣ୍ଟିତ କରନ୍ତି ତେବେ ବିଦେଶୀ ନିବେଶକଙ୍କ ପାଇଁ ଏଣ୍ଟ୍ରି ଖର୍ଚ୍ଚ କମ ହେବ। କମ୍ ମୂଲ୍ୟରେ ବ୍ୟବସାୟ ଆରମ୍ଭ କଲେ ଷ୍ଟାର୍‌ଲିଙ୍କ ଭାରତୀୟ ଗ୍ରାହକଙ୍କ ପାଇଁ ଶସ୍ତାରେ ଇଣ୍ଟରନେଟ୍ ଯୋଗାଇ ଦେବ। ତେବେ ଯଦି ବିଶ୍ୱ ସ୍ତରରେ ଷ୍ଟାର୍‌ଲିଙ୍କର ମୂଲ୍ୟ ଦେଖିବା ସେହି ଅନୁସାରେ ଲାଗୁ ହେଲେ ଏହା ସବୁଠାରୁ ମହଙ୍ଗା ଇଣ୍ଟରନେଟ୍ ସର୍ଭିସ ହେବ। ତେବେ ଭାରତୀୟ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ମସ୍କ ମୂଲ୍ୟ ହ୍ରାସ କରିପାରନ୍ତି ବୋଲି ଆକଳନ ଚର୍ଚ୍ଚା ହେଉଛି। ବର୍ତ୍ତମାନ ମସ୍କଙ୍କ କମ୍ପାନି ଷ୍ଟାରଲିଙ୍କର ଅରବିଟ୍‌ରେ ୬ ହଜାର ୪୧୯ ସାଟେଲାଇଟ ରହିଛି। ଆଉ ୧୦୦ ଦେଶରେ ୪୦ ଲକ୍ଷ ସବସ୍କ୍ରାଇବର ଅଛନ୍ତି। ଏମିତିରେ ବି ୨୦୨୧ରେ ହିଁ ଭାରତରେ ସେବା ଆରମ୍ଭ କରିବାକୁ ଚାହୁଥିଲେ କିନ୍ତୁ ନିୟମ କାନୁନ କାରଣରୁ ଏହା ବିଳମ୍ବିତ ହେଉଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.