କେରଳ ଟ୍ରାଜେଡି: ମାଟି ତଳୁ ଚାଲିଛି ଜୀବନ ଖୋଜା, ହସ୍ପିଟାଲରେ ପ୍ରିୟ ପରିଜନଙ୍କ ଶବ ଚିହ୍ନୁଛନ୍ତି ସମ୍ପର୍କୀୟ

Published By : Prameya-News7 Bureau | July 30, 2024 IST

Economic Times

ନୂଆଦିଲ୍ଲୀ: କେରଳ ଓ୍ୱାୟନାଡରେ ଭୟଙ୍କର ଭୂସ୍ଖଳନ। ସ୍ତବ୍ଧ ହୋଇଯାଇଛି ସାରା ଦେଶ। ଶତାଧିକ ଲୋକଙ୍କ ମୃତଦେହ ଉଦ୍ଧାର। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା। ଏବେ ବି ଜାରି ରହିଛି ରେସ୍କ୍ୟୁ ଅପରେସନ। ମାଟି ତଳୁ ଖୋଜା ଚାଲିଛି ଜୀବନ। ଏପଟେ ବିଭିନ୍ନ ହସ୍ପିଟାଲରେ ଲାଗିଛି ଭିଡ଼। ସ୍ଥାନୀୟ ହସ୍ପିଟାଲରେ ପାଦ ପକାଇବାକୁ ଜାଗାଟିଏ ନାହିଁ। ଏହି ଭିଡ଼ ଭିତରୁ ସାମନାକୁ ଆସିଛି ହୃଦୟ ବିଦାରକ ଦୃଶ୍ୟ। ଡହଳବିକଳ ହୋଇ ନିଜ ପ୍ରିୟ ପରିଜନଙ୍କୁ ଖୋଜୁଛନ୍ତି ତାଙ୍କର ସମ୍ପର୍କୀୟ। 

କିଛି ଲୋକ ସେମାନଙ୍କ ପ୍ରିୟ ପରିଜନଙ୍କ ଗୁରୁତର ଅବସ୍ଥାକୁ ଦେଖି କିଏ କାନ୍ଦି ପକାଉଛି ତ ଆଉ କିଏ ମୃତଦେହକୁ ଦେଖି ଭୁଇଁରେ ଲୋଟି ପଡୁଛି। ଆଖି ଆଗରେ ପଡ଼ିଛି ନିରୀହ ନିଷ୍କପଟ ପିଲାଙ୍କ ମୃତଦେହ। ଏସବୁ ଦେଖି କିଏ ବା ସହିବ। ଏହାରି ଭିତରେ ଜଣେ ମହିଳା କହିଛନ୍ତି ଯେ ଭୂସ୍ଖଳନ ପରେ ତାଙ୍କ ପରିବାରକୁ ସେ ଖୋଜୁଛନ୍ତି, ଯେଉଁଥିରେ ୨ଟି ପିଲା ବି ଅଛନ୍ତି। ମୃତଦେହ ଓ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ତାଙ୍କୁ ଖୋଜିବା ବି କଷ୍ଟକର ହୋଇପଡ଼ିଛି। ଏବେ କରିବେ ବା କଣ ?

ଜଣେ ବ୍ୟକ୍ତି ତାଙ୍କ ଭାଇଙ୍କୁ ଖୋଜିବାକୁ ଯାଇ ହସ୍ପିଟାଲରୁ ହସ୍ପିଟାଲ ଧାଇଁ ନୟାନ୍ତ ହେଲେ କିନ୍ତୁ ମିଳିଲା ମୃତଦେହ। ସେହିପରି ଅଙ୍ଗନବାଡି କର୍ମୀ ତାଙ୍କ ପରିବାରକୁ ଖୋଜୁଛନ୍ତି। ତାଙ୍କର ଘର ସମ୍ପୂର୍ଣ୍ଣ ମାଟିରେ ମିଶିଛି। ୧୨ ବର୍ଷର ଝିଅକୁ ସେ ଖୋଜିବାରେ ଲାଗିପଡ଼ିଛନ୍ତି। ସବୁଠୁ ବଡ଼ ଦୁଃଖର ବିଷୟ ନିଖୋଜ ଭାଇ ଓ ତାଙ୍କ ପରିବାରକୁ ଖୋଜିବାରେ ଲାଗିପଡ଼ିଛନ୍ତି ଜଣେ ଦିବ୍ୟାଙ୍ଗ। ସୋମବାର ପ୍ରବଳ ବର୍ଷା ହେତୁ ମୋ ପତ୍ନୀ ଏବଂ ମୋ ପୁଅ ମୋ ଭଉଣୀଙ୍କ ଘରକୁ ଚାଲିଯାଇଥିଲୁ। କିନ୍ତୁ ଆମ ଘର ନିକଟରେ ରହୁଥିବା ମୋ ଭାଇ ଏବଂ ତାଙ୍କ ପରିବାର ସେଠାରେ ରହିଯାଇଥିଲେ। ସେମାନେ ବର୍ତ୍ତମାନ ନିଖୋଜ ଅଛନ୍ତି ବୋଲି ସେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.