ଗୁଜରାଟ କଚ୍ଛରେ ବ୍ୟାପୁଛି ସନ୍ଦିଗ୍ଧ ରୋଗ, ୪ ଦିନରେ ୧୨ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | September 08, 2024 IST

କଚ୍ଛ ୮।୯: ଗୁଜରାଟ କଚ୍ଛରେ ସନ୍ଦିଗ୍ଧ ରୋଗ ଏବେ ଆତଙ୍କର କାରଣ ପାଲଟିଛି। କଚ୍ଛ ଲଖପତ ତହସିଲରେ ଏହି ରୋଗ ବ୍ୟାପୁଥିବା ବେଳେ ଗତ ୪ ଦିନରେ ୧୨ ଜଣଙ୍କ ମୃତ୍ୟୁ ହେଲାଣି। ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର କାରଣ ପାଲଟିଥିବା ବେଳେ ସୂଚନା ମିଳିବା ପରେ ଡାକ୍ତରଙ୍କ ଯାଞ୍ଚ ଟିମ୍ ଏବେ ଲଖପତ ତହସିଲରେ କ୍ୟାମ୍ପ କରୁଛନ୍ତି। ହେଲଥ ଟିମ୍‌ ମୃତକଙ୍କ ପରିବାରରୁ ନମୁନା ସଂଗ୍ରହ କରିଥିବା ବେଳେ ଅସୁସ୍ଥ ଗ୍ରାମୀଣଙ୍କ ନମୁନା ନିଆଯାଇଛି। 

ଜିଲ୍ଲା ପଞ୍ଚାୟତ ସଦସ୍ୟ ମିନାବା ଦେଶୁଭା ଜଡେଜା ଏ ନେଇ ଜିଲ୍ଲାପ୍ରଶାସନକୁ ଏକ ପତ୍ର ଲେଖିଥିବା ବେଳେ ଲଖପତତହସିଲ ଅନ୍ତର୍ଗତ ବେଖଡା, ସାନ୍ଧ୍ରୋ, ମୋରଗର, ମେଡି ସମେତ  ୭ଟି ଗାଁରେ ଗତ ୪ ଦିନରେ ସନ୍ଦିଗ୍ଧ ରୋଗ ଯୋଗୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଓ ଅନେକ ଲୋକ ଅସୁସ୍ଥ ହୋଇଥିବା ସୂଚିତ କରିଥିଲେ। ପତ୍ରରେ ମାମଲାର ଗରୁତ୍ୱକୁ ଅନୁଭବ କରି ତୁରନ୍ତ ପଦକ୍ଷେପ ନେବାକୁ ନିବେଦନ କରିଥିଲେ। 

ଜିଲ୍ଲା କଲେକ୍ଟର  ଅମିତ ଆରୋରା ମାମଲାର ସୂଚନା ମିଳିବାମାତ୍ରେ ଆମେ ସ୍ୱାସ୍ଥ୍ୟ ବିଭାଗ ଟିମକୁ ପଠାଇଥିବା କହିଛନ୍ତି। ଏହା ଛଡା ପ୍ରାଥମିକ ଚିକିତ୍ସା ସମେତ ଘରକୁ ଘର ବୁଲି ସର୍ଭେ ମଧ୍ୟ କରାଯାଉଛି। ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କ ସାମ୍ପଲ ମଧ୍ୟ ସଂଗ୍ରହ କରାଯାଇଛି। ଉପୁଜିଥିବା ପରିସ୍ଥିତିରେ କିଛି ଡାକ୍ତରଙ୍କୁ ସେଠାକୁ ଡେପୁଟେସନରେ ପଠାଯାଇଥିବା ଆରୋରା କହିଛନ୍ତି। ଏହା ଛଡା ରାଜ୍ୟ ସରକାର ରାଜକୋଟରୁ ମଧ୍ୟ ଏକ ଡାକ୍ତରୀ ଟିମ୍‌ ପଠାଇଛନ୍ତି। ଏହି ଟିମ୍ ଗାଁକୁ ଯାଇ ବ୍ୟାପୁଥିବା ସନ୍ଦିଗ୍ଧ ରୋଗର କାରଣ କଣ ଜାଣିବାକୁ ଚେଷ୍ଟା କରିବେ। ତେବେ ଡାକ୍ତରଙ୍କ ଏକ ବିଶେଷ ଟିମ୍ ଗାଁରେ ଲୋକଙ୍କ ଚିକିତ୍ସା କରୁଥିବା ଗୁଜୁରାଟ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଷ ପଟେଲ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.