ଆମେରିକାରୁ ଅବୈଧ ପ୍ରବାସୀ ଭାରତୀୟଙ୍କ ପଠାଯିବା ପ୍ରକ୍ରିୟା ଉପରେ ଜବାବ ଦେଲେ ଜୟଶଙ୍କର, କହିଲେ-ନୂଆ ପ୍ରସଙ୍ଗ ନୁହେଁ

Published By : Prameya-News7 Bureau | February 06, 2025 IST

ନୂଆଦିଲ୍ଲୀ: ଆମେରିକାରେ ଥିବା ଅବୈଧ ପ୍ରବାସୀ ଭାରତ ଫେରିବା ଉପରେ ପ୍ରଥମ ଥର ପାଇଁ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ପ୍ରତିକ୍ରିୟା ଦେଇଛନ୍ତି । ବେଆଇନ ଭାବେ ରହୁଥିବା ନାଗରିକଙ୍କୁ ଗ୍ରହଣ କରିବା ଦେଶର ଦାୟିତ୍ୱ ବୋଲି ସେ କହିଛନ୍ତି । ବୁଧବାର ୧୦୪ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଧରି ଆମେରିକାର ଯୁଦ୍ଧ ବିମାନ ପଞ୍ଜାବର ଅମୃତସରରେ ଅବତରଣ କରିଥିଲା । ଭାରତ ପଠାଯିବାର ପ୍ରକ୍ରିୟାକୁ ନେଇ ବିରୋଧୀ ଆପତ୍ତି ଉଠାଇଛନ୍ତି ।

ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, 'ଏହା ସବୁ ଦେଶର ଦାୟିତ୍ୱ ଯେ ଯଦି ତାଙ୍କ ନାଗରିକ ବିଦେଶରେ ଅବୈଧ ଭାବେ ରହୁଛନ୍ତି, ତେବେ ସେମାନଙ୍କୁ ଫେରାଇ ନେବେ ।' ସେ ଏହା ବି କହିଛନ୍ତି ଯେ ଡିପୋର୍ଟେସନ ପ୍ରକ୍ରିୟା କୌଣସି ନୂଆ ନୁହେଁ । ବିଦେଶ ମନ୍ତ୍ରୀ କହିଛନ୍ତି, 'ଆମେରିକା ପକ୍ଷରୁ କରାଯାଉଥିବା ଡିପୋର୍ଟେସନ କାମ ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ ଏନ୍‌ଫୋର୍ସମେଣ୍ଟ (ଆଇସିଇ) ପକ୍ଷରୁ କରାଯାଉଛି । ICE ଯେଉଁ ଏସଓପି ଆଧାରରେ କାମ କରୁଛି, ତାହା ୨୦୧୨ରୁ ପ୍ରଭାବୀ ରହିଛି । ସେଥିରେ ବନ୍ଧା ଯିବା କଥା ମଧ୍ୟ ଉଲ୍ଲେଖ ରହିଛି । ମହିଳା ଏବଂ ପିଲାଙ୍କୁ ବନ୍ଧା ଯାଇନଥିବା ଆଇସିଇ ଆମକୁ ସୂଚନା ଦେଇଛି । ଏହାସହ ଆମେରିକା ସରକାରଙ୍କ ସହ ଆଲୋଚନା କରି ଅବୈଧ ପ୍ରବାସୀଙ୍କ ସହ ଯେପରି ଦୁର୍ବବ୍ୟହାର ନକରାଯିବା ତାହା ସୁନିଶ୍ଚିତ କରୁଛୁ ।'

କଂଗ୍ରେସ ସାଂସଦ ରଣଦୀପ ସୁର୍ଜେୱାଲାଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଜବାବରେ ସେ କହିଛନ୍ତି, ଆମ ଜାଣିଛୁ ଯେ ଗତକାଲି ୧୦୪ ଜଣ ଭାରତ ଆସିଛନ୍ତି । ଆମେ ସେମାନଙ୍କୁ ସ୍ୱୀକାର କରିଛୁ । ଏହା କୌଣସି ନୂଆ ମୁଦ୍ଦା ବୋଲି ଆମେ ନଭାବିବା ଦରକାର । ଏହା ଉପରେ ଏକ ପ୍ରସଙ୍ଗ ଯାହା ପୂର୍ବରୁ ଚାଲିଆସିଛି ।

ବିଦେଶ ମନ୍ତ୍ରୀ ସଂସଦରେ ୨୦୦୯ରୁ ଆରମ୍ଭ କରି ୨୦୨୫ ଯାଏ ଭାରତ ପଠାଯାଇଥିବା ଲୋକଙ୍କ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ୨୦୦୯ରେ ୭୩୪, ୨୦୧୦ରେ ୫୯୭, ୨୦୧୨ରେ ୫୩୦, ୨୦୧୩ରେ ୫୫୦, ୨୦୧୪ରେ ୫୯୧, ୨୦୧୫ରେ ୭୦୮, ୨୦୧୬ରେ ୧୩୦୩, ୨୦୧୭ରେ ୧୦୨୪, ୨୦୧୮ରେ ୧୧୮୦, ୨୦୧୯ରେ ୨୦୪୨, ୨୦୨୦ରେ ୧୮୮୯, ୨୦୨୧ରେ ୮୦୫, ୨୦୨୨ରେ ୮୬୨, ୨୦୨୩ରେ ୬୭୦, ୨୦୨୪ରେ ୧୩୬୮ ଏବଂ ୨୦୨୫ରେ ୧୦୪ ଜଣଙ୍କୁ ଡିପୋର୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.