ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ସଂପ୍ରତି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳା ଯାଉଛି। ପ୍ରଥମ ଦୁଇଟି ଟି-୨୦ ଜିତି ଭାରତୀୟ ଦଳ ସିରିଜ୍ରେ ୨-୦ରେ ଆଗୁଆ ରହିଛି। ତୃତୀୟ ମ୍ୟାଚ୍ ଆସନ୍ତାକାଲି ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯିବ। ଇଂଲଣ୍ଡ ପାଇଁ ତୃତୀୟ ମ୍ୟାଚ୍ ନିର୍ଣ୍ଣାୟକ ରହିଛି। ଏହି ମ୍ୟାଚ୍ ଦଳ କର ବା ମର ସ୍ଥିତି ସୃଷ୍ଟି କରିଛି। ଦଳ ହାରିଲେ ସିରିଜ୍ ହାରିବ ଏବଂ ଜିତିଲେ ସିରିଜ୍ରେ ତିଷ୍ଠିବ। ଏହା ମଧ୍ୟରେ ସୋମବାର ଇଂଲଣ୍ଡ ରାଜକୋଟ୍ ଟି-୨୦ ପାଇଁ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଜୋସ୍ ବଟଲରଙ୍କ ନେତୃତ୍ଵାଧୀନ ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ ହୋଇ ନାହିଁ।
ଇଂଲଣ୍ଡ ନିଜର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନି। ଦ୍ଵିତୀୟ ମ୍ୟାଚ୍ରେ ଖେଳିଥିବା ସେହି ସମାନ ଖେଳାଳିଙ୍କ ସହ ଜୋସ୍ ବଟଲର ରାଜକୋଟ୍ ମଇଦାନକୁ ଓହ୍ଲାଇବେ। ଇଂଲଣ୍ଡ ପାଇଁ ସବୁଠୁ ବଡ଼ ଆଶ୍ଵସ୍ତିକର ବିଷୟ ଖୋଦ୍ ଅଧିନାୟକ ଜୋସ ବଟଲର ଚମତ୍କାର ଫର୍ମରେ ଅଛନ୍ତି। ପ୍ରଥମେ ମ୍ୟାଚ୍ରେ ସେ ୬୮ ରନ କରିଥିବା ବେଳେ ଦ୍ଵିତୂୀୟ ମ୍ୟାଚ୍ରେ ୪୫ ରନ କରିଥିଲେ। ଏହା ବାଦ୍ ଅନ୍ୟ ବ୍ୟାଟର ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି।
Also read: ଟେଷ୍ଟ କ୍ରିକେଟ୍ ଅଫ୍ ଦ ଇୟର ଆଓ୍ଵାର୍ଡ ଜିତିଲେ ବୁମରା, ପଛରେ ରହିଗଲେ ଏହି ତାରକା ଖେଳାଳି
ଆଦିଲ ରଶିଦଙ୍କୁ ବାଦ୍ ଦେଲେ ଅନ୍ୟ ବୋଲର ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି। ଗତ ମୁକାବିଲାରେ ଯୋଫ୍ରା ଆର୍ଚର ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭରରେ ୬୦ ରନ ବ୍ୟୟ କରିଥିଲେ।ନବାଗତ ଖେଳାଳି ମଧ୍ୟ ନିଜର ଛାପ ଛାଡ଼ିବାରେ ସଫଳ ହୋଇ ପାରି ନାହାନ୍ତି। ତୃତୀୟ ମ୍ୟାଚ୍ ଜିତିବାକୁ ହେଲେ ଇଂଲଣ୍ଡ ସବୁ ବର୍ଗରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।
ତୃତୀୟ ଟି-୨୦ ପାଇଁ ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ
ବେନ ଡକେଟ୍, ଫିଲ୍ ସଲ୍ଟ, ଜୋସ୍ ବଟଲର(ଅଧିନାୟକ), ହ୍ୟାରି ବ୍ରୁକ, ଲିୟାମ ଲିଭିଙ୍ଗଷ୍ଟୋନ, ଜେମି ସ୍ମିଥ, ଜେମି ଓଭରଟନ, ବ୍ରାଏଡନ କର୍ସ, ଯୋଫ୍ରା ଆର୍ଚର, ମାର୍କ ଉଡ, ଆଦିଲ ରଶିଦ।